ନେପାଳରେ ନୂଆ ସରକାରର ମଙ୍ଗ ଧରିବେ ମାଓନେତା ପ୍ରଚଣ୍ଡ, ଅଢେଇ ବର୍ଷ ପାଇଁ ହେବେ ପ୍ରଧାନମନ୍ତ୍ରୀ

290

କନକ ବ୍ୟୁରୋ : ନେପାଳରେ ନୂଆ ସରକାର ଗଠନ ନେଇ ସମସ୍ତ ପ୍ରକ୍ରିୟା ପ୍ରାୟ ଶେଷ ପର୍ଯ୍ୟାୟରେ ପହଂଚିଛି । ଏବେ ଏବେ ହୋଇଥିବା ସାଧାରଣ ନିର୍ବାଚନରେ କୌଣସି ଦଳକୁ ବହୁମତ ମିଳିନାହିଁ । ସେପଟେ ରାଷ୍ଟ୍ରପତିଙ୍କୁ ଭେଟିବା ପୂର୍ବରୁ ବଡ ବଡ ରାଜନୈତିକଦଳମାନେ ମେଣ୍ଟ ବାନ୍ଧୁଛନ୍ତି । ହେଲେ ସଂଖ୍ୟାଗଣିଷ୍ଠତା ପ୍ରମାଣ କରିବାର ଆଜି ହେଉଛି ଶେଷ ଦିନ । ଏନେଇ ବିଭିନ୍ନ ଦଳପକ୍ଷରୁ ବସିଥିବା ବୈଠକ ପରେ ଦିନ ୪ଟାରେ ଘୋଷଣା କରାଯାଇଛି କି ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ।

ହିନ୍ଦୁ ବହୁଳ ରାଷ୍ଟ୍ର ନେପାଳରେ ସରକାର ଗଠନ କରିବାକୁ ଏବେ ୬ଟି ରାଜନୈତିକ ଦଳ ମେଣ୍ଟ କରିଛନ୍ତି । ମେଣ୍ଟରେ ସାମିଲ ହୋଇଥିବା ଦଳମାନେ କହିଛନ୍ତି କି ପ୍ରଥମ ଅଢେଇବର୍ଷ ପାଇଁ ପ୍ରଚଣ୍ଡ ପ୍ରଧାନମନ୍ତ୍ରୀ ପଦରେ ରହିବେ । ଏହାପରେ ବାକି ଅଢେଇବର୍ଷ ସିପିଏନ ବା ନେପାଳ କମ୍ୟୁନିଷ୍ଠ ପାର୍ଟି ଓ ୟୁଏମଏଲ କ୍ଷମତା ସମ୍ଭାଳିବେ । ଅର୍ଥାତ ଦ୍ୱତୀୟ ପାଳିରେ ପୂର୍ବ ପ୍ରଧାନମନ୍ତ୍ରୀ ଓଲି ପ୍ରଧାନମନ୍ତ୍ରୀ ହୋଇପାରନ୍ତି ।

ଏହାର କିଛି ସମୟ ପୂର୍ବରୁ ଖବର ଥିଲା କି ନେପାଳର ପୂର୍ବ ପ୍ରଧାନମନ୍ତ୍ରୀ ପ୍ରଚଣ୍ଡ କ୍ଷମତାଧାରୀ ମାଓଇଷ୍ଟ ସେଣ୍ଟରକୁ ସମର୍ଥନ ଦେବାକୁ ମନା କରିଦେଇଛନ୍ତି । ଏହାସହ ସେ ମେଣ୍ଟରୁ ନିଜକୁ ବାହାର କରିନେଇଥିବା ଖବର ଆସିଥିଲା । ନେପାଳ କଂଗ୍ରେସର ବରିଷ୍ଠ ନେତା ରାମଚନ୍ଦ୍ର ପୌଡଲ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ସେପଟେ ନିର୍ବାଚନରେ କୌଣସି ରାଜନୈତିକଦଳକୁ ବହୁମତ ନମିଳିବାରୁ ରାଷ୍ଟ୍ରପତି ବିଦ୍ୟାଦେବୀ ଭଣ୍ଡାରୀ ସମସ୍ତ ଦଳଙ୍କୁ କହିଥିଲେ କି ଆପୋଷ ବୁଝାମଣା ଭିତରେ ସରକାର ଗଠନ କରିବାକୁ ନିଷ୍ପତ୍ତି ନିଆଯାଉ ।