ସରକାର ଗଠନ କରିବାର ସପ୍ତାହେ ପୂରିନି, ୨୦୨୪ ପାଇଁ ଅଣ୍ଟା ଭିଡ଼ିଲାଣି ବିଜେଡି । ନବୀନଙ୍କ ନଜରରେ ମନ୍ତ୍ରୀ; ସାଂଗଠନିକ କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ

787

କନକ ବ୍ୟୁରୋ: ସରକାର ଗଠନ କରିବାର ସପ୍ତାହେ ପୂରିନି। ଆସନ୍ତା ନିର୍ବାଚନ ପାଇଁ ବିଜେଡି ସଜବାଜ ଆରମ୍ଭ କରିଦେଇଛି। ସାଂଗଠନିକ କ୍ଷେତ୍ରରେ ଆମୂଳଚୁଳ ପରିବର୍ତନ ସହିତ ବିଜେଡିକୁ କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ବିଜେଡି ଶୀର୍ଷସ୍ତରରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତା ମାସେ ଭିତରେ ଏହାର କାର୍ଯ୍ୟାନ୍ବୟନ ହେବ। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ଦୋହଲାଇ ଦେଇଥିଲା ବିଜେଡି ଗଡ। କଂଗ୍ରେସ ଭୋଟ ବ୍ୟାଙ୍କକୁ ବିଭାଜିତ କରି ଦଳ ବିଜେଡିକୁ ପିଛା କରିଥିଲା। ପଞ୍ଚାୟତ ନିର୍ବାଚନରୁ ଶିକ୍ଷା ପାଇ ବିଜେଡି ସ୍ଥିତି ସଜାଡିନେଲା ଓ ୨୦୧୯ ସାଧାରଣ ନିର୍ବାଚନରେ ନିଜ ଭୋଟ ବ୍ୟାଙ୍କକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇଛି। କିନ୍ତୁ ବିଜେପିର ଗତିରୋଧ କରିପାରି ନାହିଁ। ବରଂ କଂଗ୍ରେସ ଭୋଟରକୁ ନିଜ ଆଡକୁ ଟାଣିବା ସହିତ ସରକାର ବିରୋଧୀ ଜନମତକୁ ହାତେଇ ବିଜେପି ବିଜେଡିର ନିକଟତର ହେବା ଲାଗି ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛି।

ଏମିତି ଏକ ସ୍ଥିତିରୁ ୨୦୨୪ ନିର୍ବାଚନ ପାଇଁ ପାଗ ଭିଡା ଆରମ୍ଭ କରିଛି ବିଜେଡି। କ୍ୟାଡର ଭିତ୍ତିକ ଦଳରେ ପରିଣତ କରିବା ଲାଗି ପୂରା ନକ୍ସା ପ୍ରସ୍ତୁତ ହୋଇଛି। ଆସନ୍ତା ଏକମାସ ମଧ୍ୟରେ ଦଳରେ ଆମୂଳଚୁଳ ପରିବର୍ତନ କରାଯିବ। ପାଟକୁରା ନିର୍ବାଚନ, ବିଜେପୁର ଉପ ନିର୍ବାଚନ, ମହାନଗର ଓ ପୌର ନିର୍ବାଚନ ଏବଂ ପଞ୍ଚାୟତ ନିର୍ବାଚନରେ ଦଳ ଏହି ପୁନର୍ବିନ୍ୟାସ କାର୍ଯ୍ୟକ୍ରମର ପରୀକ୍ଷା ନିରୀକ୍ଷା କରିବ। ଅତି ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନବୀନ ପଟ୍ଟନାୟକ ଉଭୟ ମୁଖ୍ୟମନ୍ତ୍ରୀ ଓ ବିଜେଡି ରାଜ୍ୟ ସଭାପତି ଭାବେ ଉଭୟ ପଦବିରେ ରହିବେ। ହେଲେ ସରକାର ଓ ଦଳ କିନ୍ତୁ ପୃଥକ୍ ପୃଥକ୍ ଭାବେ କାର୍ଯ୍ୟ କରିବ। ପୂର୍ବରୁ ଯେଭଳି ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ବ ଦିଆଯାଉଥିଲା, ସଂଗଠନ ସଜାଡିବା ଲାଗି ନିୟୋଜିତ କରାଯାଉଥିଲା, ନୂଆ ବ୍ୟବସ୍ଥାରେ କିନ୍ତୁ ସେମିତି ହେବ ନାହିଁ। ସରକାରର ପ୍ରଦର୍ଶନ ଲାଗି ମନ୍ତ୍ରୀମାନେ ଉତ୍ତରଦାୟୀ ରହିବେ। ଯେଉଁ ବିଭାଗ ଭଲ ପ୍ରଦର୍ଶନ କରିବ ନାହିଁ, ସରକାରଙ୍କୁ ମନ୍ତ୍ରୀଙ୍କ ବ୍ୟକ୍ତିଗତ ବା ବିଭାଗୀୟ କାର୍ଯ୍ୟ ଲାଗି ମୂଲ୍ୟ ଦେବାକୁ ପଡିବ, ସେ ମନ୍ତ୍ରୀ େଯ କୌଣସି ସମୟରେ ପଦ ହରାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ େଯଉଁ ବାର୍ଷିକ ଟାର୍ଗେଟ େଦଇଛନ୍ତି, ତାକୁ ହାସଲ କରିନପାରିଲେ, ମନ୍ତ୍ରୀଙ୍କୁ ସମଦଶା େଭାଗିବାକୁ ପଡିପାରେ।

ସଂଗଠନ ଦାୟିତ୍ବରେ ରହିବେ ବଛା ବଛା ନେତା

ସାଂଗଠନିକ ସ୍ତରରେ ପୁନର୍ବିନ୍ୟାସ ପାଇଁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଛି। ନିର୍ବାଚନ ପୂର୍ବରୁ ଦଳର ବହୁ ସଂପାଦକ, ସାଧାରଣ ସଂପାଦକ ତଥା ପର୍ଯ୍ୟବେକ୍ଷକ ଅନ୍ୟ ଦଳକୁ ଡେଇଁଥିଲେ। ନିର୍ବାଚନରେ ପ୍ରାର୍ଥୀଙ୍କ ବିଜୟକୁ ସହଜ କରିବା ଲାଗି ରାତି ଅଧିଆ କିଛି ନେତାଙ୍କୁ ସାଧାରଣ ସଂପାଦକ, ସଂପାଦକ ଭଳି ପଦବି ଦିଆଯାଇଥିଲା। ଜିଲ୍ଲାସ୍ତରରେ ବି। ଏବେ କିନ୍ତୁ ଘର ସଜଡା କାର୍ଯ୍ୟକ୍ରମରେ ବଛା ବଛା ନେତାଙ୍କୁ ସଂଗଠନ ଦାୟିତ୍ବ ଦିଆଯିବ ଓ ଉତ୍ତରଦାୟିତ୍ବ ନ୍ୟସ୍ତ ହେବ। କେବଳ ସେତିକି ନୁହେଁ, ସଂପୃକ୍ତ ନେତାମାନେ ସାଂଗଠନିକ େକ୍ଷତ୍ରରେ ମନ୍ତ୍ରୀମାନଙ୍କ ଠାରୁ ଅଧିକ ଓ ସ୍ବତନ୍ତ୍ର କ୍ଷମତା ଉପଭୋଗ କରିବେ।