ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ନିରଞ୍ଜନଙ୍କୁ ମିଳିଲା ଅତିରିକ୍ତ ଦାୟିତ୍ୱ ।

991

କନକ ବ୍ୟୁରୋ : ନିରଞ୍ଜନ ପୂଜାରୀ ହେଲେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ । ନବ ଦାସଙ୍କ ଦେହାନ୍ତ ପରେ ଦିଆଗଲା ଅତିରିକ୍ତ ଦାୟିତ୍ୱ, ରାଜ୍ୟପାଳଙ୍କ ସୁପାରିଶ ପରେ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏବେ ଅର୍ଥମନ୍ତ୍ରୀ ସହ ସ୍ୱାସ୍ଥ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ ନିରଞ୍ଜନ । ଗତକାଲି ପୋଲିସ ଏଏସଆଇଙ୍କ ଗୁଳିମାଡରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କର ଦେହାନ୍ତ ହୋଇଥିଲା ।

ଏସବୁ ଭିତରେ ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ ଘଂଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ନିଆଯାଇଛି । ଏହା ସହ ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଂଚ ।

ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ । ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା ହୋଇଛି । ଏହା ଏକ ଷଡଯନ୍ତ୍ର ହୋଇପାରେ ବୋଲି କହିଛନ୍ତି ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହଁ । ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ । ପୋଲିସକୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି । ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ।