ଦିଲ୍ଲୀରେ ଶାସକ-ବିରୋଧୀ ଏକାଠି! ଆମ ଭିତରେ କିଛି ଅଛି କି ? ନାହିଁ କଲେ ନରସିଂହ, ସୁର କଲେ ସନ୍ଦେହ

33

କନକ ବ୍ୟୁରୋ :ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଆଜି ଦିଲ୍ଲୀରେ ନବୀନଙ୍କ ବାସଭବନକୁ ଯାଇ ଭେଟିଛନ୍ତି ନରସିଂହ । ଆଉ ଏହାକୁ ନେଇ ଆରମ୍ଭ ହୋଇଛି ଚର୍ଚା ।

ମୋଦି ଓ ନବୀନଙ୍କ ସାକ୍ଷାତ ପରେ ପରେ ଆଉ ଏକ ଘଟଣାକୁ ନେଇ ମଧ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଥିଲା । ବିରୋଧି ଦଳ ନେତା ନରସିଂହ ମିଶ୍ର ଓ ନବୀନଙ୍କ ଆଲୋଚନାକୁ ନେଇ ଏହି ଚର୍ଚ୍ଚା । ବିଶ୍ୱ କପ ହକି କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲିର ଅଉରଙ୍ଗଜେବ ମାର୍ଗ ସ୍ଥିତ ନବୀନଙ୍କ ବାସଭବନରେ ଉଭୟ ନେତା ଆଲୋଚନା କରିଥିଲେ । ତେବେ ଆଲୋଚନାର ବିଷୟବସ୍ତୁ ଅସ୍ପଷ୍ଟ ରହିଛି । ଏନେଇ ନରସିଂହ କହିଛନ୍ତି, ବିଶ୍ୱକପ ହକିର ଲୋଗୋ ଓ ଜର୍ସି ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଦିଲ୍ଲି ଯାଇଥିଲେ । ଏବଂ ଏହି କାର୍ଯ୍ୟକ୍ରମ ପୂର୍ବରୁ ନବୀନଙ୍କୁ ଭେଟିଥିଲେ ବୋଲି କହିଛନ୍ତି ନରସିଂହ ।

ସେପଟେ ଏହି ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖୁଛନ୍ତି ଖୋଦ ଦଳର ଜଣେ ବରିଷ୍ଠ ନେତା ସୁରେଶ ରାଉତରାୟ କହିଛନ୍ତି , ବିଜେପୁର ଲଢେଇ ଚାଲୁଥିବା ବେଳେ ସେପଟେ ଦିଲ୍ଲୀରେ ନବୀନଙ୍କୁ ଭେଟୁଛନ୍ତି ନରସିଂହ । ଏଥିରେ କିଛି ରାଜନୀତି ଥାଇପାରେ ବୋଲି ସେ ସନ୍ଦେହ କରୁଛନ୍ତି । ରାଜ୍ୟର ବିକାଶ ପାଇଁ ନରସିଂହ ଓ ନବୀନଙ୍କ ହୃଦୟ ଫାଟି ପଡୁଛି । ଆଉ ଏଥିପାଇଁ ଦିଲ୍ଲୀରେ ଯାଇ ସାକ୍ଷାତ କରୁଛନ୍ତି ।
ଅନ୍ୟ ପଟେ ଏହି ଘଟଣାକୁ ନେଇ କେବଳ କଂଗ୍ରେସ ନୁହେଁ ବିଜେପି ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଛି । ବିଜେପି କହିଛି, ଏଭଳି ଦିଲ୍ଲୀରେ ଯାଇ ଭେଟି କଂଗ୍ରେସ ଓଡ଼ିଶାସୀଙ୍କୁ କଣ ବାର୍ତ୍ତା ଦେବାକୁ ଚାହୁଁଛି ତାହା ସ୍ପଷ୍ଟ କରିବା ଆବଶ୍ୟକ । ଦିଲ୍ଲୀରେ ନବୀନ ଦୁଇ ବିରୋଧୀ ନରସିଂହ ଓ ମୋଦିଙ୍କୁ ଭେଟିବା ଏବେ ରାଜନୀତିକ ମହଲରେ ଚର୍ଚ୍ଚା ସୃଷ୍ଟି କରିଛି ।