ବଜେଟ୍ ପୂର୍ବରୁ ଆଶ୍ୱସ୍ତି ଆଣିଲା ଗ୍ୟାସ ଦର । ଜାଣନ୍ତୁ, କେତେ ଟଙ୍କା କମିଲା ଦାମ?

3,450

କନକ ବ୍ୟୁରୋ: ବଜେଟ୍ ଘୋଷଣା ପୂର୍ବରୁ ଲୋକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର । ତୈଳ କମ୍ପାନୀ ଏବେ କମର୍ସିଆଲ୍ ଗ୍ୟାସ ଦର ହ୍ରାସ କରିଛନ୍ତି । ମିଳିଥିବା ସୂଚନା ମୁତାବକ ୧୯ କେଜି ବିଶିଷ୍ଟ ବ୍ୟବସାୟିକ ଗ୍ୟାସ ଦରରେ ୯୧.୫୭ ଟଙ୍କା ହ୍ରାସ ପାଇଛି । ତେବେ ଏହି ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୯ କେଜି ବ୍ୟବସାୟିକ ଗ୍ୟାସର ଦର ବର୍ତ୍ତମାନ ୧୯୦୭ ଟଙ୍କା ଅଛି ।ସୂଚନାଯୋଗ୍ୟ ଯେ, ଚଳିତ ମାସରେ ଗ୍ୟାସ ଦରରେ କୌଣସି ବୃଦ୍ଧି ହୋଇନଥିଲା । ଆଉ ଆଜି ତୈଳ କମ୍ପାନୀ ଗୁଡିକ ଫେବ୍ରୁଆରୀ ମାସ ପାଇଁ ନୂଆ ଦର ଧାର୍ଯ୍ୟ କରିଛନ୍ତି । ତେବେ ଏହି ନୂଆ ଦରରେ ବିନା ସବସିଡି ଗ୍ୟାସ୍ ଦରରେ କୌଣସି ବୃଦ୍ଧି ଘଟିନାହିଁ ।

ବର୍ତ୍ତମାନ ଦିଲ୍ଲୀରେ ୧୪.୨ କେଜି ଗ୍ୟାସ ସିଲିଣ୍ଡର ଦାମ ୮୯୯.୫୦ ଚଙ୍କା ଥିଲାବେଳେ, କୋଲକାତାରେ ରୋଷେଇ ଗ୍ୟାସ ଦର ୯୨୬ ଟଙ୍କା ରହିଛି । ସେହିପରି ମୁମ୍ବାଇରେ ଏହାର ଦାମ ୮୯୯.୫୦ ଟଙ୍କା ରହିଛି । ଅନ୍ୟପଟେ ଚେନ୍ନାଇରେ ବିନା ସବସିଡି ସିଲିଣ୍ଡରର ଦାମ ୯୧୫ ଟଙ୍କା ୫୦ ପଇସା ରହିଛି । ତେବେ ଆଜି ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି । ଆଉ ଏହାର ଠିକ୍ ପୂର୍ବରୁ ଦେଶରେ ବ୍ୟବସାୟିକ ଗ୍ୟାସ ଦର ହ୍ରାସ ଘଟିବା ଲୋକଙ୍କୁ ଆଶ୍ୱସ୍ତି ଦେଇଛି ।