ନ୍ୟାସନାଲ ହେରାଲ୍ଡ ମାମଲା : ୮ ତାରିଖରେ ସୋନିଆ ଓ ୧୩ ତାରିଖରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ

84

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ବଢୁଛି ଅଡୁଆ । ନ୍ୟାସନାଲ ହେରାଲ୍ଡ ମାମଲାରେ ସୋନିଆ ଗାନ୍ଧୀଙ୍କୁ ଜୁନ ୮ ତାରିଖରେ ହାଜର ହେବାକୁ ଇଡି ନୋଟିସ କରିଥିବା ବେଳେ ୧୩ ତାରିଖରେ ହାଜର ହେବାକୁ ରାହୁଲ ଗାନ୍ଧୀଙ୍କୁ ନୋଟିସ କରାଯାଇଛି । ରାହୁଲଙ୍କୁ ଇଡିର ଏହା ଦ୍ୱିତୀୟ ନୋଟିସ । ପ୍ରଥମ ନୋଟିସରେ ଗୁରୁବାର ଅର୍ଥାତ ୨ ତାରିଖରେ ଇଡିରେ ହାଜର ହେବାକୁ ନୋଟିସ କରାଯାଇଥିଲା । ହେଲେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଥିବାରୁ ସେ ଏହି ତାରିଖକୁ ପରିବର୍ତ୍ତନ କରିବାକୁ ଇଡି ନିକଟକୁ ଏକ ଆବେଦନପତ୍ର ପଠାଇଥିଲେ । ରାହୁଲଙ୍କ ଆବେଦନକୁ ସ୍ୱିକାର କରି ଇଡି ଏହାକୁ ୧୩ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ।

ଏହା ପୂର୍ବରୁ ନ୍ୟାସନାଲ ହେରାଲ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ସାଂସଦ ରାହୁଲ ଗାନ୍ଧୀଙ୍କୁ ଜୁନ ୧ ତାରିଖରେ ନୋଟିସ କରିଥିଲା । ହେଲେ ଏବେ ସୋନିଆ ଗାନ୍ଧୀ କରୋନା ସଂକ୍ରମିତ ହୋଇଥିବାରୁ ୮ ତାରିଖରେ ଇଡିରେ ହାଜର ହେବାକୁ ନେଇ ସନ୍ଦେହ ପ୍ରକାଶ ପାଇଛି । ହେଲେ କଂଗ୍ରେସ ନେତାମାନେ କହିଛନ୍ତି କି କୌଣସି ପରିସ୍ଥିତିରେ ବି ସୋନିଆ ଗାନ୍ଧୀ ଇଡିର ନୋଟିସ ମୁତାବକ ହାଜର ହେବେ ।

ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ନ୍ୟାସନାଲ ହେରାଲ୍ଡ ମାମଲାରେ ଅର୍ଥ ହେରଫେର ହୋଇଥିବା ସନ୍ଦେହ କରି ଇଡି ଉଭୟ ସୋନିଆ ଓ ରାହୁଲଙ୍କ ବୟାନ ରେକର୍ଡ କରିବାକୁ ଚାହୁଁଛି ।