ଆଇସିସି ଟୁର୍ଣ୍ଣାମେଣ୍ଟରେ ଡରୁଆ ଭଳି ଖେଳେ ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ୱକପ ପୂର୍ବରୁ ଇଏ କଣ କହିଗଲେ ଇଂଲଣ୍ଡର ପୂର୍ବତନ ଅଧିନାୟକ?

1,108

କନକ ବ୍ୟୁରୋ : ଟି-୨୦ ବିଶ୍ୱକପ୍ ପାଇଁ ଆରମ୍ଭ ହୋଇଛି କାଉଣ୍ଟଡାଉନ । ବିଶ୍ୱକପରେ ବାଜିମାତ କରିବାକୁ ଅଷ୍ଟ୍ରେଲିଆରେ ପହଞ୍ଚି ପ୍ରସ୍ତୁତି ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଏପରିକି ପ୍ରଥମ ଅଭ୍ୟାସ ମ୍ୟାଚରେ ମଧ୍ୟ ବିଜୟୀ ହୋଇଛି ଭାରତ । ଆସନ୍ତା ଅକ୍ଟୋବର ୨୩ରେ ପାକିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବା ସହ ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଭାରତ । ତେବେ ଏହା ପୂର୍ବରୁ ଇଂଲଣ୍ଡର ପୂର୍ବତନ ଅଧିନାୟକ ନାସିର ହୁସେନ ଟିମ୍ ଇଣ୍ଡିଆକୁ ନେଇ ବଡ ବୟାନ ଦେଇଛନ୍ତି । ନାସିର କହିଛନ୍ତି, ଭାରତୀୟ ଦଳରେ ଅନେକ ପ୍ରତିଭାବାନ ଖେଳାଳୀ ରହିଛନ୍ତି ଓ ଟିମ୍ ଇଣ୍ଡିଆ ଅନେକ ଦ୍ୱିପାକ୍ଷିକ ସିରିଜରେ ବିଜୟୀ ମଧ୍ୟ ହୋଇଛି । କିନ୍ତୁ ବିଶ୍ୱକପ ଭଳି ଆଇସିସିର ବଡ ବଡ ଟୁର୍ଣ୍ଣାମେଣ୍ଟରେ ଟିମ୍ ଇଣ୍ଡିଆ ଡରୁଆ ଭଳି ଖେଳେ, ଯାହା ଭାରତକୁ ଅନେକ ସମୟରେ ବ୍ୟାକଫୁଟକୁ ଠେଲି ଦେଇଛି  ।

ନାସିର କହିଛନ୍ତି, ଆଇସିସି ଇଭେଣ୍ଟସରେ ଭାରତ ସେତେଟଶ ସଫଳ ହୁଏ ନାହିଁ । ଦଳ ପାଖରେ ଭଲ ଖେଳାଳୀ ରହିଛନ୍ତି ଯେଉଁଥିପାଇଁ ପ୍ରତି ସିରିଜରେ ଖେଳାଳୀ ଅଦଳବଦଳ କରିବାକୁ ଟିମ୍ ଇଣ୍ଡିଆ ପାଖରେ ସୁଯୋଗ ରହିଥାଏ । ଏପରିକି ବିଶ୍ୱର ବଡ ବଡ ଟିମକୁ ପ୍ରତି କ୍ଷେତ୍ରରେ ମାତ୍ ଦେଇଥାଏ । କିନ୍ତୁ ଆଇସିସିର ବିଭିନ୍ନ ଟୁର୍ଣ୍ଣାମେଣ୍ଟରେ ଦଳ ଡରୁଆ ଭଳି ଖେଳିଥାଏ ଯେଉଁଥିପାଇଁ ଅନେକ ସମୟରେ ଦଳର ଚାମ୍ପିୟନ ହେବା ସ୍ୱପ୍ନ ଅଧୁରା ରହିଥାଏ ।  କିନ୍ତୁ ଏମିତି ଅନେକ ମ୍ୟାଚ୍ ରହିଛି ଯେଉଁଠି ଟିମ୍ ଇଣ୍ଡିଆର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି । ଖାସକରି ପାୱାର ପ୍ଲେରେ । ଟିମ୍ ଇଣ୍ଡିଆ ପାଖରେ ଆକ୍ରମଣାତ୍ମକ କ୍ରିକେଟ ଖେଳିବାର କ୍ଷମତା ରହିଛି । କାରଣ ସୂର୍ଯ୍ୟକୁମାର ଯାଦବଙ୍କ ଭଳି ଖେଳାଳୀ ଏବେ ଚମକ୍ରାର ଫର୍ମରେ ରହିଛନ୍ତି । ତେବେ ଦୁଇ ଷ୍ଟାର ଖେଳାଳୀ ଯଶପ୍ରୀତ ବୁମରା ଓ ରବୀନ୍ଦ୍ର ଜାଡେଜା ଆହତ କାରଣରୁ ଦଳରୁ ବାଦ୍ ପଡିବା ଟିମ୍ ଇଣ୍ଡିଆକୁ ବଡ ଝଟକା ଦେଇଛି । କିନ୍ତୁ ବିଶ୍ୱକପରେ ଭାରତକୁ ସେହି ମାନସିକତାରେ ମୈଦାନକୁ ଓହ୍ଲାଇବାକୁ ପଡିବ ଯେଉଁ ମାନସିକତା ଦ୍ୱିପାକ୍ଷିକ ସିରିଜରେ ଦେଖିବାକୁ ମିଳିଥାଏ ।

ଅନ୍ୟପଟେ ଦୀପକ ଚହର ଆହତ ହୋଇ ବିଶ୍ୱକପ ଟିମରୁ ବାଦ୍ ପଡିବା ପରେ କାହାକୁ ଦଳରେ ସାମିଲ କରାଯିବ ତାହାକୁ ନେଇ ସସପେନ୍ସ ଲାଗି ରହିଥିଲା । ଯାହା ଉପରୁ ଏବେ ପରଦା ହଟାଇଛି ଟିମ୍ ଇଣ୍ଡିଆ । ମହମ୍ମଦ ସାମି, ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁରଙ୍କୁ ଅଷ୍ଟ୍ରେଲିଆ ଟିକେଟ ମିଳିଛି । ତେବେ ଏହି ୩ ଖେଳାଳୀଙ୍କ ମଧ୍ୟରୁ କାହାକୁ ୧୫ ଜଣିଆ ଦଳରେ ସାମିଲ କରାଯିବ ଓ କାହାକୁ ରିଜର୍ଭ ରଖାଯିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଅନୁଭବ ଦୃଷ୍ଟିରୁ ସାମିଙ୍କୁ ଦଳରେ ସାମିଲ କରାଯିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମହମ୍ମଦ ସିରାଜ ଓ ଶାର୍ଦ୍ଦୁଳ ଠାକୁର ମଧ୍ୟ ଜବରଦସ୍ତ ଫର୍ମରେ ରହିଛନ୍ତି । ତେଣୁ ଏହି ୨ ଯୁବ ଖେଳାଳୀଙ୍କୁ ମଧ୍ୟରୁ କାହାକୁ ସୁଯୋଗ ମିଳିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି ।

ପୂର୍ବରୁ ବିସିସିଆଇ ୪ ଜଣ ଖେଳାଳୀଙ୍କୁ ରିଜର୍ଭରେ ରଖିଥିଲା । ଶ୍ରେୟସ ଆୟର, ରବି ବିଷ୍ଣୋୟୀ, ମହମ୍ମଦ ସାମି ଓ ଦୀପକ ଚହରଙ୍କୁ ଦଳ ରିଜର୍ଭ ଖେଳାଳୀ ଭାବେ ରଖିଥିଲା । ତେବେ ଟିମ୍ ମ୍ୟାନେଜମେଣ୍ଟ ବିଷ୍ଣୋୟୀ ଓ ଶ୍ରେୟସଙ୍କୁ ଭାରତରେ ରହିବାକୁ କହିଥିବା ବେଳେ ସାମି, ସିରାଜ ଓ ଠାକୁରଙ୍କୁ ଅଷ୍ଟ୍ରେଲିଆ ପଠାଇବାକୁ ନିଷ୍ପତ୍ତି ନେଇଛି ।