ନରସିଂହ ମିଶ୍ରଙ୍କ ବଡ ଅଭିଯୋଗ, ଗୋପାଳକୁ ପାଗଳ ପ୍ରମାଣିତ କରିବା ପାଇଁ ହେଉଛି ଉଦ୍ୟମ । ଏପଟେ ଗୋପାଳର ମାନସିକ ସ୍ଥିତି ନେଇ ବଢ଼ୁଛି ଦ୍ୱନ୍ଦ୍ୱ ।

70

କନକ ବ୍ୟୁରୋ: ନବଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସଙ୍କ ମାନସିକ ସ୍ଥିତି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ପ୍ରତିକ୍ରିୟା ରଖି କହିଛନ୍ତି ଗୋପାଳ ଦାସ ପାଗଳ ନଥିଲା ବୋଲି ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ପରୀକ୍ଷାରେ ସ୍ପଷ୍ଟ ହୋଇଛି । କୋର୍ଟ ମଧ୍ୟ ଏହି ରିପୋର୍ଟକୁ ଗ୍ରହଣ କରିଛନ୍ତି । ଯାହା ନିଜେ ଅଭିଯୁକ୍ତ ପ୍ରମାଣ କରିବା କଥା ତାହା ସରକାର କାହିଁକି ପ୍ରମାଣିତ କରିବା ପାଇଁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର । ଅଭିଯୁକ୍ତଙ୍କୁ ଦଣ୍ଡ ଦେବା ପରିବର୍ତେ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି କରିଛନ୍ତି । ଷଡ଼ଯନ୍ତ୍ର ଥିବା ପ୍ରମାଣିତ ହୋଇସାରିଛି । ଅଭିଯୁକ୍ତର ବଡ଼ ଭାଇ ହତ୍ୟା ପରେ ବ୍ରହ୍ମପୁର ପଳାଇବା ଏବଂ ସାଙ୍ଗେ ସାଙ୍ଗେ ଅଭିଯୁକ୍ତର ସ୍ତ୍ରୀ ମୋ ସ୍ୱାମୀର ମାନସିକ ସ୍ଥିତି ଭଲ ନାହିଁ ବୋଲି କହିବା ଷଡ଼ଯନ୍ତ୍ରକୁ ପଦାରେ ପକାଇ ଦେଇଛି ବୋଲି ନରସିଂହ ମିଶ୍ର ଅଭିଯୋଗ କରିଛନ୍ତି । ସେପଟେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଅଭିଯୋଗ ଆଣି କହିଛନ୍ତି ଗୋପଳ ଯିଏ ସୁପାରି ଦେଇଛନ୍ତି ସେ ତାଙ୍କୁ ପ୍ରତିଶୁତି ମଧ୍ୟ ଦେଇଛନ୍ତି । କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ତତେ ବଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିବା ଅଭିଯୋଗ କରିଛନ୍ତି । ବିରୋଧୀଙ୍କ ଏହି ଅଭିଯୋଗର ଜବାବ ରଖିଛି ବିଜେଡି ।

ଅନ୍ୟପଟେ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳଙ୍କ ମାନସିକ ସ୍ଥିତି ଠିକ୍ ଅଛି । ସେ ସବୁ ଦିଗରୁ ସତର୍କ ଓ ସଚେତନ ରହିଛି । ଆଖି ସହ ଆଖି ମିଶାଇ କଥା ହେବା ସହ ସ୍ମରଣ ଶକ୍ତି ଠିକ୍ ଅଛି । ଗୋପାଳର ମାନସିକ ସ୍ଥିତି ଯାଞ୍ଚ ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏପରି ରିପୋର୍ଟ ଦେଇଛି । ୪ଜଣ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ବୋର୍ଡ ଗୋପାଳଙ୍କ ମାନସିକ ସ୍ଥିତି ଯାଞ୍ଚ କରିଛି । ଗୋପାଳ ‘ବାୟୋପୋଲାର ଡିଜଅର୍ଡର’ରେ ଆକ୍ରାନ୍ତ ବୋଲି ତାଙ୍କ ପରିବାର ଲୋକେ କହିଥିଲେ । ଏହି କଥାର ସତ୍ୟାସତ୍ୟ ଯାଞ୍ଚ କରିଛି ବୋର୍ଡ । ୪ତାରିଖ ଦିନ ଗୋପାଳଙ୍କ ମାନସିକ ସ୍ଥିତିର ଯାଞ୍ଚ କରାଯାଇଥିବା ବେଳେ ୫ତାରିଖ ଦିନ କ୍ରାଇମବ୍ରାଞ୍ଚରେ ରିପୋର୍ଟ ଦାଖଲ କରାଯାଇଛି । ଏହି ରିପୋର୍ଟକୁ ଆଧାର କରି ଗୋପାଳ ଦାସର ମାନସିକ ସ୍ଥିତି ଯାଞ୍ଚ ପାଇଁ ବେଙ୍ଗାଲୁରୁ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇନଥିଲେ କୋର୍ଟ । ଏହି ରିପୋର୍ଟ ଓ ରିମାଣ୍ଡ ଅବଧିକୁ ବିଚାରକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ଗୋପାଳକୁ ନିମହାନ୍ସ ନେବା ଲାଗି କରାଯାଇଥିବା ରିଭ୍ୟୁ ପିଟିସନକୁ ଖାରଜ କରିଦେଇଛନ୍ତି କୋର୍ଟ ।