ତାଇୱାନରେ ନାନ୍ସି ପେଲୋସି। କାହିଁକି ପେଲୋସିଙ୍କୁ ବିରୋଧ କରୁଛି ଚୀନ ପଢନ୍ତୁ…

125

କନକ ବ୍ୟୁରୋ: ଆମେରିକାର କଂଗ୍ରେସ ବାଚସ୍ପତି ନାନ୍ସି ପେଲୋସି ମଙ୍ଗଳବାର ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୮ଟା ୧୫ରେ ତାଇୱାନରେ ପହଞ୍ଚିଥିଲେ । ସମସ୍ତ ଚେତାବନୀ ଓ ଧମକକୁ ନଡରି ସେ ଆମେରିକାର ବାୟୁସେନା ବିମାନ ସି-୪୦ସି ସ୍ପାର୍-୧୯ରେ ରାଜଧାନୀ ତାଇପେଇରେ ପହଞ୍ଚିଥିଲେ । ଆଉ ବୁଧବାର ତାଇୱାନରୁ ଫେରି ମଧ୍ୟ ଆସିଛନ୍ତି । ଏସବୁ ଭିତରେ ପ୍ରଶ୍ନ ହେଉଛି, ବାସ୍ତବରେ ଜଣେ ରାଜନେତାଙ୍କ ଗସ୍ତରେ ଚୀନ୍ କାହିଁକି ଏତେ ଚିନ୍ତାରେ ପଡ଼ିଲା ଯେ ଆମେରିକାକୁ ଚେତାବନୀ ଦେବାକୁ ପଛାଇଲା ନାହିଁ । ନାନ୍ସି ଓ ଚୀନ୍ ମଧ୍ୟ ତିକ୍ତତା ଆଜିକାଲିର ନୁହେଁ ବରଂ ୩୦ ବର୍ଷ ତଳର ।

୧୯୮୯ରେ ଚୀନ୍ ସରକାରଙ୍କ ବିରୋଧରେ ଜୋରଦାର ପ୍ରତିବାଦ ହୋଇଥିଲା । ପ୍ରଦର୍ଶନକାରୀଙ୍କ ସ୍ୱର ଦବାଇବା ପାଇଁ ସରକାର ସେମାନଙ୍କ ଉପରକୁ ଗୁଳି ଚାଳନା କରିବା ସହ ଟ୍ୟାଙ୍କ ଚଢ଼ାଇ ଦେଇଥିଲେ । ଏହାକୁ ‘ତିୟାନନମେନ୍ ଛକ ନରସଂହାର’ ନାମରେ ନାମିତ କରାଯାଇଥିଲା । ୧୯୯୧ରେ ନାନ୍ସି ଚୀନର ତିୟାନନମେନ୍ ପହଞ୍ଚିଥିଲେ ଏବଂ ମୃତ ପ୍ରଦର୍ଶନକାରୀଙ୍କ ସମର୍ଥନରେ ବ୍ୟାନର ଉଡ଼ାଇଥିଲେ । ଚୀନର ବୈଦେଶିକ ମନ୍ତ୍ରାଳୟ ଏହାକୁ ଡ୍ରାମା ବୋଲି କହିଥିଲା । ଚୀନ୍ ଅନେକଥର ପେଲୋସିଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ମଧ୍ୟ ଲଗାଇଥିଲା ।

କାହିଁକି ପେଲୋସିଙ୍କୁ ବିରୋଧ କରୁଛି ଚୀନ୍?
– ଚୀନରେ ମାନବାଧିକାରର ଉଲ୍ଲଂଘନର ବିରୋଧ କରିଆସୁଛନ୍ତି ପେଲୋସି
– ୨୦୦୮ ବେଜିଂ ଅଲିମ୍ପିକ୍ସର ଉଦଘାଟନ ସମାରୋହକୁ ବର୍ଜନ କରିବା ପାଇଁ ତକ୍ରାଳୀନ ରାଷ୍ଟ୍ରପତି ଜର୍ଜ ବୁଶଙ୍କୁ କରିଥିଲେ ଅନୁରୋଧ
– ଅନୁରୋଧ ସତ୍ତେ୍ୱ ବୁୂଶ୍ ଯାଇଥିଲେ ବେଜିଂ
– ଚୀନରେ ମୁସଲମାନଙ୍କ ଉପରେ ଅତ୍ୟାଚାରକୁ ନେଇ ଉଠାଇଥିଲେ ସ୍ୱର
– ଏବେ ତାଇୱାନକୁ ସମର୍ଥନ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ନାନ୍ସି

ଏବେ ଆସନ୍ତୁ ନଜର ପକାଇବା ଚୀନ-ତାଇୱାନ ମଧ୍ୟରେ ବିବାଦ କ’ଣ?
-ତାଇୱାନକୁ ନିଜର ବୋଲି ଦାବି କରୁଛି ଚୀନ
-ତାଇୱାନ ଏହାକୁ ଗ୍ରହଣ କରୁନାହିଁ, ନିଜକୁ ସ୍ୱତନ୍ତ୍ର ବୋଲି ମାନୁଛି
-ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ଦୁଇଦେଶ ମଧ୍ୟରେ ଲାଗିଛି ଉତ୍ତେଜନା
-ତାଇୱାନରେ ନିଜର ସମ୍ବିଧାନ ଓ ସରକାର ରହିଛି
-ଦକ୍ଷିଣ-ପୂର୍ବ ଚୀନ ଉପକୂଳରୁ ଶହେ ମାଇଲ ଦୂରରେ ଥିବା ଏକ ଦ୍ୱୀପ ହେଉଛି ତାଇୱାନ
-ଚୀନ-ତାଇୱାନ କେହି କାହାକୁ ମାନ୍ୟତା ଦେଇନାହାନ୍ତି
-ବିଶ୍ୱର କେବଳ ୧୩ଟି ଦେଶ ତାଇୱାନକୁ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ଦେଇଛନ୍ତି

ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଚିହିଁକି ଉଠିଥିବା ଚୀନ୍ ଆଗକୁ କ’ଣ ପଦକ୍ଷେପ ନେଉଛି, ତା’ ଉପରେ ସମସ୍ତଙ୍କ ନଜର ରହିଛି ।