ଋଷ୍-ୟୁକ୍ରେନ୍ ପରେ ଆଉଏକ ଯୁଦ୍ଧ ଆଶଙ୍କା, ଚିହିଁକି ଉଠିଲା ଚୀନ୍! ତାଇୱାନ୍ ଉପରେ କରିବ କି ଆକ୍ରମଣ?

125

କନକ ବ୍ୟୁରୋ: ଆମେରିକାର ବାଚସ୍ପତି ନାନ୍ସି ପେଲୋସଙ୍କ ତାଇୱାନ ଗସ୍ତକୁ ନେଇ ଚିହିଁକି ଉଠିଛି ଚୀନ୍ । ନାନ୍ସିଙ୍କ ଏହି ଗସ୍ତକୁ ନେଇ ଡ୍ରାଗନ ଅନେକଥର ତାଇୱାନ୍ ସହ ଆମେରିକାକୁ ଚେତାବନୀ ଦେଇସାରିଛି । ଏହାରି ଭିତରେ ବୁଧବାର ପେଲୋସି ତାଇୱାନ୍ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି ଏବଂ ଇସାରାରେ ଚୀନକୁ ଟାର୍ଗେଟ କରିଛନ୍ତି । ବୁଧବାର ନାନ୍ସି ତାଇୱାନ ଗସ୍ତ ସାରି ଫେରିବା ପରେ ଚୀନ୍ ତା’ର ସୈନ୍ୟଙ୍କୁ ତାଇୱାନ ଉପରେ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରେ । କାରଣ ଚୀନ୍, ତାଇୱାନକୁ ଚାରିପଟୁ ଅର୍ଥାତ୍ ସମୁଦ୍ର ଓ ଆକାଶମାର୍ଗରୁ ସମରାଭ୍ୟାସ କରିବାକୁ ଘୋଷଣା କରିସାରିଛି । ଏଥିପାଇଁ ଚୀନ୍ ତା’ର ମିସାଇଲ, ଲଢ଼ୁଆ ବିମାନ ଏବଂ ମିସାଇଲ ଡିଫେନ୍ସ ସିଷ୍ଟମ ତାଇୱାନ୍ ସୀମାକୁ ପଠାଇଛି ।

ଯୁଦ୍ଧ ପାଇଁ ଚୀନର ପ୍ରସ୍ତୁତି!
– ତାଇୱାନକୁ ଚାରିପଟୁ ଘେରିଯାଇଛି ଚୀନର ପିପୁଲ ଲିବରେସନ୍ ଆର୍ମି
– ୬ଟି ଦ୍ୱୀପରେ ୪ରୁ ୭ ଅଗଷ୍ଟ ମଧ୍ୟରେ ସମରାଭ୍ୟାସ କରିବାକୁ ଯାଉଛି ପିଏଲଏ
– ତାଇୱାନର ସାମୁଦ୍ରିକ ସୀମା ଭିତରକୁ ପଶିଲା ଚୀନ୍
– ଆକାଶମାର୍ଗରେ ବୁଲୁଛି ଚୀନର ଲଢ଼ୁଆ ବିମାନ
– ୨୧ଥର ତାଇୱାନ୍ ବାୟୁସୀମାରେ ପଶିଲାଣି ଡ୍ରାଗନର ଲଢ଼ୁଆ ବିମାନ
– ତାଇୱାନର ବାୟୁସୀମାକୁ ନିଜ ନିୟନ୍ତ୍ରଣକୁ ନେଇପାରେ ଚୀନ୍
– ତାଇୱାନର ସବୁଠୁ ବଡ଼ ବ୍ୟବସାୟିକ ସହଯୋଗୀ ହେଉଛି ଚୀନ୍
– ୧୦୦ରୁ ଅଧିକ ତାଇୱାନୀ କମ୍ପାନୀଙ୍କ ଠାରୁ ଆମଦାନୀ ଉପରେ କଟକଣା

ସେପଟେ ନାନ୍ସି ପେଲୋସି ତାଇୱାନ ରାଷ୍ଟ୍ରପତି ସାଇ ଇଙ୍ଗ-ୱେନଙ୍କୁ ସାକ୍ଷାତ କରିବା ପରେ ବଡ଼ ବାର୍ତା ଦେଇଛନ୍ତି । ସେ କହିଛନ୍ତି, ଆଜି ସମଗ୍ର ବିଶ୍ୱ ଆଗରେ ଗଣତନ୍ତ୍ର ଓ ଏକଛତ୍ରବାଦ ମଧ୍ୟରେ କୌଣସି ଗୋଟିଏକୁ ବାଛିବା ପାଇଁ ବଡ଼ ଚ୍ୟାଲେଞ୍ଜ ଛିଡ଼ା ହୋଇଛି । ତାଇୱାନ ଓ ସମଗ୍ର ବିଶ୍ୱରେ ଗଣତନ୍ତ୍ରର ସୁରକ୍ଷା ପାଇଁ ଆମେରିକା ପ୍ରତିଶ୍ରୁତିବଦ୍ଧ । ଅପରପକ୍ଷରେ ଚୀନ କହିଛି, ଆମେରିକା ଭୁଲ ରାସ୍ତାରେ ଗଲେ ଏହାର କଡ଼ା ଜବାବ ଦିଆଯିବ ।

କିଏ ନାନ୍ସି ପେଲୋସି?
– ନାନ୍ସି ପେଲୋସି ଆମେରିକାର ୫୨ତମ ବାଚସ୍ପତି
– ପ୍ରଥମ ମହିଳା ବାଚସ୍ପତି ଭାବେ ନିର୍ବାଚିତ ହୋଇ ଇତିହାସ ରଚିଥିଲେ
– ବାଚସ୍ପତି ଭାବେ ନାନ୍ସିଙ୍କର ଏହା ଚତୁର୍ଥ କାର୍ଯ୍ୟକାଳ
– କମ୍ ଖର୍ଚ୍ଚ, ଦରମା ବୃଦ୍ଧି, ଆମେରିକୀୟ ପରିବାର ପାଇଁ ନିଯୁକ୍ତି ସୃଷ୍ଟି ଆଦି କାର୍ଯ୍ୟ ପାଇଁ ବେଶ୍ ପରିଚିତ
– ନାନ୍ସି ଆମେରିକୀୟ ଡେମୋକ୍ରାଟିକ ପାର୍ଟିର ସଦସ୍ୟ
– ୧୯୮୭ରେ ପ୍ରଥମଥର କଂଗ୍ରେସକୁ ନିର୍ବାଚିତ ହୋଇଥିଲେ
– ବାଚସ୍ପତି ଭାବେ ସେ ଉପରାଷ୍ଟ୍ରପତିଙ୍କ ପରେ ରାଷ୍ଟ୍ରପତିଙ୍କ ଉତ୍ତରାଧିକାରୀ ତାଲିକାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି
ଗୋଟିଏ ପଟେ ନାନ୍ସିଙ୍କ ତାଇୱାନ ଗସ୍ତକୁ ନେଇ ଖୁସି ହୋଇଛନ୍ତି ତାଇୱାନ ବାସିନ୍ଦା । ଆଗକୁ ତାଇୱାନ ଓ ଆମେରିକାର ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ତାଇୱାନ ରାଷ୍ଟ୍ରପତି କହିଛନ୍ତି ।