ବିଜେଡିର ବିଧାୟକ ପ୍ରାର୍ଥୀ ଘୋଷଣା: ୨ ଆସନରେ ପ୍ରାର୍ଥୀ ଅଦଳବଦଳ କଲେ ନବୀନ ।

2,788

କନକ ବ୍ୟୁରୋ: ପ୍ରକାଶ ପାଇଛି ବିଜେଡିର ବିଧାନସଭା ପ୍ରାର୍ଥୀ ତାଲିକା । ଏଥିରେ ଖୋଦ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀତ୍ୱ ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବିଶେଷ କରି ସମ୍ବଲପୁର ଆସନରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳ ପୂର୍ବରୁ ପ୍ରାର୍ଥୀ କରିଥିବାବେଳେ ଏନେଇ ବିରୋଧର ସ୍ୱର ଉଠିଥିଲା । ସେଠିକାର ଅଞ୍ଚଳ ସହ ତାଙ୍କର ବିଶେଷ ସମ୍ପର୍କ ନଥାଇ ବି ତାଙ୍କୁ ସେଠାରୁ କିପରି ପ୍ରାର୍ଥୀ କରାଯାଇଛି ବୋଲି ଦଳ ପ୍ରତି ପ୍ରଶ୍ନ ଉଠିଥିଲା । ଏହାପରେ ବିଚାର ବିମର୍ଷ ପରେ ଏହି ଦଳ ପାଇଁ ପ୍ରାର୍ଥୀ ପରିବର୍ତ୍ତନ କରିଛନ୍ତି ବିଜେଡି ସୁପ୍ରିମୋ ।

ସମ୍ବଲପୁରରେ ଦଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ବଦଳରେ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରିଥିବାବେଳେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମିଳିଛି ରେଢାଖୋଲ ଆସନ । ତେବେ ଦଳର ସୁପ୍ରିମୋ ହିସାବରେ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି ତାହାକୁ ଗ୍ରହଣ କରିବେ ବୋଲି କହିଛନ୍ତି ଉଭୟ ନେତା ପ୍ରସନ୍ନ ଆଚାର୍ଯ୍ୟ ଓ ରୋହିତ ପୂଜାରୀ । ରୋହିତ କହିଛନ୍ତି,  ବିଧାନସଭା ନିର୍ବାଚନ କ୍ଷେତ୍ରର ଲୋକଙ୍କ ସହ ସବୁବେଳେ ସେ ରହିଆସିଛନ୍ତି । ତେଣୁ ଆଗାମୀ ନିର୍ବାଚନରେ ଭୋଟର ତାଙ୍କୁ ନିଶ୍ଚୟ ସହଯୋଗ କରିବେ ବୋଲି ଦୃଢ ବିଶ୍ୱାସ ରହିଛି ।

ତେବେ ୨୦୧୯ରେ ବିଜେପିର ଜୟ ନାରାୟଣ ମିଶ୍ର ଏହି ଆସନରୁ ବିଜେଡିର ରାଶେଶ୍ୱରୀ ଦେବୀଙ୍କୁ ୫୭ହଜାର ୩୪୯ ଭୋଟରେ ହରାଇ ବିଜୟୀ ହୋଇଥିଲେ । କିନ୍ତୁ ୫ ବର୍ଷ ଭିତରେ ବିଧାୟକ ନିଜ ଅଞ୍ଚଳ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟ କରିନଥିବାବେଳେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି । ତେଣୁ ଏଥର ତାଙ୍କ ଉପରେ ଭୋଟରଙ୍କ ବିଶ୍ୱାସ ରହିଛି ବୋଲି କହିଛନ୍ତି ରୋହିତ ପୂଜାରୀ ।