ପ୍ରୟାଗରାଜରେ ନବଙ୍କ ଅସ୍ଥି ବିସର୍ଜନ କଲେ ପୁଅ ବିଶାଳ ଦାସ । ଏଯାଏଁ ହତ୍ୟାକାଣ୍ଡର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ ।

322

କନକ ବ୍ୟୁରୋ :ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଆଜି ଦଶ ଦିନ ପୁରିଛି । ଆଉ ଦଶାହ କ୍ରିୟାକର୍ମ ପାଇଁ ପ୍ରୟାଗରାଜରେ ଅଛନ୍ତି ପୁଅ ବିଶାଳ ଦାସ । ଦଶାହ କ୍ର୍ରିୟାକର୍ମ ପୂର୍ବରୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ନବ ଦାସଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ । ତ୍ରିବେଣୀ ସଙ୍ଗମରେ ବୁଡ ପକାଇବା ନବଙ୍କ ଅସ୍ଥି ବିସର୍ଜନ କରିଛନ୍ତି ପୁଅ । ବିଶ୍ୱାସ ରହିଛି ତ୍ରିବେଣୀ ସଙ୍ଗମରେ ଅସ୍ଥି ବିସର୍ଜନ କଲେ ଆତ୍ମାକୁ ମୋକ୍ଷ ମିଳିଥାଏ । ଯେଉଁଥିପାଇଁ ୨ ଦିନ ପୂର୍ବେ ପ୍ରୟାଗରାଜରେ ପହଞ୍ଚିଥିଲେ ପୁଅ ବିଶାଳ । ପଣ୍ଡିତଙ୍କ ସହ ଆଲୋଚନା ପରେ ଅସ୍ଥି ବିସର୍ଜନ ସହ ଦଶାହ କ୍ରିୟାକର୍ମ କରିଛନ୍ତି ପୁଅ ବିଶାଳ ।

ଅନ୍ୟପଟେ ନବ ଦାସଙ୍କ ହତ୍ୟାକୁ ୧୦ ଦିନ ବିତି ଯାଇଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏହି ହତ୍ୟା ପଛର ପ୍ରକୃତ କାରଣ ଏଯାଏଁ ଖୋଜି ପାରିନାହିଁ । ଅଭିଯୁକ୍ତ ଗୋପାଳ ଏଯାଏଁ ମୁହଁ ଖୋଲୁନଥିବା ବେଳେ ନବଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନବାଚୀ ଛିଡା ହେଲାଣି । ବିଭିନ୍ନ ଦିଗରୁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିବା ବେଳେ ବିରୋଧୀ ଏବେ ଶାସକ ବିଜେଡି ଆଡକୁ ଆଙ୍ଗୁଳି ଉଠାଇବା ଆରମ୍ଭ କଲେଣି । ନବଙ୍କ ହତ୍ୟା ପଛରେ ରାଜନୈତିକ ଓ ବ୍ୟବସାୟିକ ଉଦ୍ଦେଶ୍ୟ ଥାଇପାରେ ବୋଲି ବିରୋଧୀ ଅଭିଯୋଗ କରୁଛନ୍ତି । ଏପରିକି ବିଜେଡି ଦଳରୁ କେହି ତାଙ୍କର ଶତ୍ରୁ ଏଭଳି କରିଥାଇପାରନ୍ତି ବୋଲି ବିରୋଧୀ କହିଛନ୍ତି । ଯାହା ଏବେ ନବଙ୍କ ହତ୍ୟାକାଣ୍ଡ ମାମଲାକୁ ଆହୁରି ସନ୍ଦେହ ଘେରକୁ ଟାଣି ନେଇଛି ।