ଭାଇଚାରାର ସହର କଟକରେ ନାହିଁ ଭେଦଭାବ, ସମସ୍ତେ ସମାନ : ମା’ ଦୁର୍ଗାଙ୍କ ପାଇଁ ଜରି ମେଢ ପ୍ରସ୍ତୁତିରେ ବ୍ୟସ୍ତ ସଇଦା ବିବି

287

କନକ ବ୍ୟୁରୋ : କଟକ ସହର ଭାଇଚାରାର ସହର, ଓଡ଼ିଶାର ସାହିତ୍ୟ ଓ ସଂସ୍କୃତିର ପ୍ରାଣକେନ୍ଦ୍ର । କଟକରେ ଧନୀ ହେଉ ବା ଗରୀବ ସମସ୍ତଙ୍କୁ ଏଠାରେ ମିଳିଥାଏ ଉପଯୁକ୍ତ ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ସହିତ ବଂଚିବାର ଅଧିକାର । ବିଶେଷ କରି ଦଶହରା ସମୟରେ ସାରା ସହରରେ ଭିନ୍ନ ପରିବେଶ ଅନୁଭବ ହୁଏ। ସହରବାସୀ ଏକାଠି ହୋଇ କଟକର ଏହି ଗଣପର୍ବରେ ସାମିଲ ହୋଇଯାଆନ୍ତି । ଦଶହରା ପ୍ରସ୍ତୁତିର ବିଭିନ୍ନ କାର୍ଯ୍ୟରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ବିଭିନ୍ନ ବ୍ୟକ୍ତିଙ୍କର ଯୋଗଦାନ ରହିଥାଏ । କିନ୍ତୁ ମା’ ଦୁର୍ଗାଙ୍କ ପାଇଁ ଜରି ମେଢ ପ୍ରସ୍ତୁତିରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ସଇଦା ବିବି ।

ସଇଦାଙ୍କ ଦ୍ବାରା ତିଆରି ଜରି ମେଢ଼ର ଢେର ଚାହିଦା ରହିଛି। ଦୁର୍ଗା ପୂଜା ପାଇଁ ଜରି ମେଢ଼, ରଥଯାତ୍ରାରେ ଶ୍ରୀଜିଉଙ୍କ ପାଇଁ ଜରିର ଅଳଙ୍କାର ଏବଂ ବାହାଘରରେ ବ୍ୟବହାର ହେଉଥିବା ରଥର ସାଜସଜ୍ଜା ଇତ୍ୟାଦି କାମରେ ନିଜକୁ ନିୟୋଜିତ କରିଛନ୍ତି ସେ । କଟକ ଜଗନ୍ନାଥବଲ୍ଳଭ ଅଞ୍ଚଳର ବାସିନ୍ଦା ସଇଦା ଏବେ ଏହି କାମରେ ପୁରୁଣା ମେଢ ପ୍ରସ୍ତୁତକାରୀଙ୍କୁ ବି ଟକ୍କର ଦେଉଛନ୍ତି । ସଇଦାଙ୍କ କହିବା ଅନୁଯାୟୀ, ତାଙ୍କ ମାମୁଁ ଏହି ଜରି କାମ କରୁଥିଲେ । ପିଲା ବେଳୁ ଏଥିପାଇଁ ତାଙ୍କର ଆଗ୍ରହ ରହିଥିଲା । ତେଣୁ ଏହି ଜରି କାମ ଶିଖିବା ଉପରେ ଧ୍ୟାନ ଦେଇଥିଲେ । ସେ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ମଣ୍ଡପର ଜରି କାମ ନିୟମିତ କରି ଆସୁଛନ୍ତି । ୩ ବର୍ଷ ହେବ ସ୍ବାମୀ ଜାଭିର ଖାନଙ୍କ ମୃତ୍ୟୁ‌ ପରେ ଏହି ଜରି କାମରୁ ଆସୁଥିବା ଆୟରେ ହିଁ ସେ ଦୁଇ ଝିଅଙ୍କ ଲାଳନପାଳନ କରୁଛନ୍ତି ।

ବର୍ଷକ ବାର ମାସ ଏହି କାମର ଚାହିଦା ଥାଏ । ଦଶହରା, ରଥଯାତ୍ରା, ବାହାଘର ସମୟରେ ଏଥିପାଇଁ ଅର୍ଡର ମି‌ଳେ । ପାର୍ବଣ ସମୟରେ ଅବଶ୍ୟ ଅଧିକ କାମ କରିବାକୁ ପଡ଼ିଥାଏ । କଟକ ଓ କଟକ ବାହାରୁ ମଧ୍ୟ ଏହି କାମ ପାଇଁ ଅର୍ଡର ଆସିଥାଏ । ପୂଜା ମଣ୍ଡପ ମାନଙ୍କ ଅର୍ଡର ଅନୁଯାୟୀ ମେଢ଼ର ଖର୍ଚ୍ଚ କମ ବେଶି ହୋଇଥାଏ । ତେଣୁ ସେହି ଅନୁଯାୟୀ ରୋଜଗାର ବି ହୋଇଥାଏ ବୋଲି କହନ୍ତି ସଇଦା ।

ସଇଦା ବିବିଙ୍କ ସଂପର୍କରେ ମତ ଦେଇ ମେରିଆବଜାର କେଶରପୁର ଦୁର୍ଗା ପୂଜା କମିଟିର ସଭାପତି ବିଜୟ ମହାପାତ୍ର କହିଛନ୍ତି ଯେ, ଚଳିତବର୍ଷ ଆଲାମଚାନ୍ଦ ବଜାର ସ୍ଥିତ ଦୁର୍ଗା ବାଡ଼ି ଠାରେ ତାଙ୍କ ମଣ୍ଡପର ଜରି ମେଢ଼ ତିଆରି ପାଇଁ ଅର୍ଡର ଦିଆଯାଇଛି । ଗତବର୍ଷ ମଧ୍ୟ ସେହିଠାରେ ଜରି ମେଢ଼ ପ୍ରସ୍ତୁତ କରାଯାଇଥିଲା । ଜରି ମେଢ଼ କାରିଗର ସଇଦା ବିବିଙ୍କ କାମ ଖୁବ୍‌ ନିଆରା । ପ୍ରତିବର୍ଷ ସେ ଭିନ୍ନ ଭିନ୍ନ ଆକୃତିର ମେଢ଼ ତିଆରି କରିଥାନ୍ତି । ଅନ୍ୟ କାରିଗରଙ୍କ ଅପେକ୍ଷା ସେହି ମହିଳାଙ୍କ କାମ ସଂପୂର୍ଣ୍ଣ ଭିନ୍ନ ଅଟେ । କଟକ ଭଇଚାରାର ସହର ହୋଇଥିବାରୁ ଏଠାରେ ଜାତି, ଧର୍ମର ଭେଦ ଭାବ ନଥାଏ । ମୁସଲିମ ମହିଳା ଜଣେ ଏପରି କାମ କରି ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରି ପାରିଛନ୍ତି । ଅନ୍ୟ ଧର୍ମର ହୋଇ ମଧ୍ୟ ସଇଦାଙ୍କ ଏଭଳି କାମ ସଂପୂର୍ଣ୍ଣ ନିଆରା ଆଉ ପ୍ରଶଂସନୀୟ ।