ବର୍ଷ ଆରମ୍ଭରୁ ରାଜଧାନୀରେ ମର୍ଡର । ଭୋଜିକୁ ବିରୋଧ କରିବାରୁ ଗଡିଲା ମୁଣ୍ଡ ।

311

କନକ ବ୍ୟୁରୋ: ରାଜଧାନୀର ସୁନ୍ଦରପଦା ଅଞ୍ଚଳରେ ଦୀପକ ରାଉତରାୟଙ୍କ ହତ୍ୟାକାଣ୍ଡକୁ ନେଇ ହଇଚଇ । ନୂଆ ବର୍ଷ ଭୋଜିକୁ ବିରୋଧ କରିବାରୁ ଗଡ଼ିଲା ମୁଣ୍ଡ । ବୁଧମଣ୍ଡପ ହଜ୍ ପୋଖରୀ ସୁରକ୍ଷା ଦାୟିତ୍ୱରେ ଥିବା ଦୀପକ ରାଉତରାୟ ନୂଆବର୍ଷ ରାତିରେ ପୋଖରୀ ପାଖରେ ଥିଲେ । ଏହି ସମୟରେ ଏଠାକୁ ଭୋଜି ପାଇଁ ଆସିଥିବା ଦୁଇଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ପାଟିତୁଣ୍ଡ, ଆଉ ଏହି ଗଣ୍ଡଗୋଳକୁ ବିରୋଧ କରିଥିଲେ ଦୀପକ ।

ଏହାପରେ ଗୋଟିଏ ଗୋଷ୍ଠୀ ସେଠାରୁ ପଳାଇଯାଇଥିବା ବେଳେ ଅନ୍ୟ ଗୋଷ୍ଠୀର ଯୁବକ ଦୀପକଙ୍କ ଉପରେ ଆରମ୍ଭ କରି ଦେଇଥିଲେ ଆକ୍ରମଣ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବ ଭିକି ମଲିକା ନିଜ ସାଙ୍ଗଙ୍କ ସହ ମିଶି ପାଇପରେ ପିଟି ପିଟି ଦୀପକଙ୍କୁ ମାରିଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ତେବେ ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ହତ୍ୟାକାଣ୍ଡ ପରେ ଏବେ ଫେରାର ଅଛନ୍ତି ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଭିକି ମଲିଆ ଓ ଅନ୍ୟ ୩ ସହଯୋଗୀ । ଭିକି ନାଁ ଅନେକ ଅପରାଧିକ ମାମଲା ରହିଛି । ଏପରିକି ହାତରେ ଖଣ୍ଡା ଧରି ସେ ଫେସବୁକରେ ଛାଡ଼ିଥିବା ଫଟୋ ସାମ୍ନାକୁ ଆସିଛି ।

ସେପଟ ହତ୍ୟାକାଣ୍ଡ ପ୍ରତିବାଦରେ ତାତିଛନ୍ତି ସାଧାରଣ ଲୋକ । ଅଭିଯୁକ୍ତକୁ ଗିରଫ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଜଟଣୀ- ସୁନ୍ଦରପଦା ରାସ୍ତାର ଶଙ୍କର ବଜାର ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଅଞ୍ଚଳରେ ଦୀର୍ଘଦିନ ଧରି ଉତେଜନା ଲାଗି ରହିଥିଲା, ପୋଖରୀ ନିକଟରେ ତିଆରି ଚାଲିଥିବା ପାର୍କ ଉପରେ ମାଲିକାନାକୁ ନେଇ ଚାଲିଥିଲା ଛକାପଞ୍ଝା । ଆଶଙ୍କା କରାଯାଉଛି ଆଗାମୀ ଦିନରେ ଏହା ଆହୁରି ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି କରିପାରେ । ତେବେ ହତ୍ୟାକାଣ୍ଡ ନେଇ ଏୟାରଫିଲ୍ଡ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ବରିଷ୍ଠ ପୋଲିସ୍ ଅଧିକାରୀମାନେ ଏହି ତଦନ୍ତ କରୁଛନ୍ତି ।