ବିବାହ ପଞ୍ଜିକରଣକୁ ନେଇ ମାଡ୍ରାସ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ବିନା ବିବାହ ଉତ୍ସବରେ ପଞ୍ଜିକରଣ ଅବୈଧ।

85

କନକ ବ୍ୟୁରୋ: ବିନା ଉତ୍ସବରେ ବିବାହ ପଞ୍ଜିକରଣ ଅବୈଧ । ବିବାହ ପ୍ରମାଣପତ୍ରକୁ ଧରାଯିବ ନକଲି । ବିବାହ ପ୍ରମାଣପତ୍ରକୁ ନେଇ ଏମିତି ଏକ ରାୟ ଶୁଣାଇଛନ୍ତି ମାଡ୍ରାସ ହାଇକୋର୍ଟ । ୨୦୧୫ରେ ଜଣେ ମୁସଲିମ ମହିଳାଙ୍କ ପକ୍ଷରୁ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ବିଚାରପତି ବିଜୟକୁମାର କହିଛନ୍ତି, ବିବାହ ପଞ୍ଜୀକରଣ ପାଇଁ ଯୁବକ-ଯୁବତୀଙ୍କୁ ସେମାନଙ୍କ ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁସାରେ ବିବାହ କରିବାକୁ ପଡିବ । ଆଇନ ଅନୁସାରେ ବିବାହ ପରେ ବିବାହ ଅଧିନିୟମର ଧାରା ଅନୁସାରେ ପଞ୍ଜିକୃତ ହୋଇପାରିବ । ବିନା ଉତ୍ସବରେ ଯେଉଁ ବିବାହ ହୋଇଥିବ ତାକୁ ବିବାହ ଅଧିନିୟମ ଅନୁସାରେ(ତାମିଲନାଡୁ) ପଞ୍ଜିକୃତ କରାଯାଇପାରିବ ନାହିଁ । ବିନା ଉତ୍ସବରେ ହୋଇଥିବା ବିବାହ ପଞ୍ଜିକରଣକୁ ଅବୈଧ ଓ ପ୍ରମାଣପତ୍ରକୁ ନକଲି ବୋଲି ଧରାଯିବ । ତେଣୁ ଯେଉଁ ଅଧିକାରୀ ବିବାହ ପଞ୍ଜିକରଣ କରୁଛନ୍ତି,ସେ ଏନେଇ ଆବଶ୍ୟକ ଯାଞ୍ଚ କରିବେ ।

ଏକବିଂଶ ଶତାବ୍ଦୀରେ କେରଳ ହାଇକୋର୍ଟଙ୍କ ରାୟକୁ ନେଇ ଆଶ୍ଚର୍ଯ୍ୟପ୍ରକଟ କରିଛନ୍ତି ସମାଜସେବୀ । ଯେତେବେଳେ ଲିଭଇନ୍ ରିଲେସନସିପକୁ ଗ୍ରହଣ କରାଯାଉଛି, ସମଲିଙ୍ଗୀ ବିବାହକୁ ଅନୁମତି ଦିଆଯାଉଛି, ସେତେବେଳେ ଏଭଳି ରାୟ ଅନେକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି ।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବିବାହ ପ୍ରମାଣପତ୍ର ଦୁଇ ଜଣଙ୍କ ବାହାଘରର ଏକ ଅଫିସିଆଲ ଡିକ୍ଲେରେସନ ବା ଘୋଷଣା ପତ୍ର । ହିନ୍ଦୁ ମ୍ୟାରେଜ ଆକ୍ଟ-୧୯୫୫ କିମ୍ବା ସ୍ପେଶାଲ ମ୍ୟାରେଜ ଆକ୍ଟ-୧୯୫୪ ଅନୁସାରେ ବିବାହ ପଞ୍ଜିକରଣ କରାଯାଇପାରିବ । ବିବାହ ପ୍ରମାଣ ପତ୍ର ଏକ ଆଇନତଃ ପ୍ରମାଣ ପତ୍ର । ୨୦୦୬ରେ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ବିବାହ ପଞ୍ଜିକରଣ ପାଇଁ ବରର ବୟସ ୨୧ବର୍ଷ ଓ କନ୍ୟାର ବୟସ ୧୮ବର୍ଷରୁ କମ୍ ହୋଇନଥିବା ଆବଶ୍ୟକ ବୋଲି କହିଥିଲେ ସର୍ବୋଚ୍ଚନ୍ୟାୟାଳୟ ।