ଫିଲ୍ମ ଦେଖି ଗ୍ୟାଙ୍ଗଷ୍ଟର ହେବାକୁ ଇଚ୍ଛା : ୬ ଦିନରେ ୫ ହତ୍ୟା କରିବା ପରେ ଗିରଫ ହେଲା ସିରିଏଲ କିଲର; ଧରିବାକୁ ନିୟୋଜିତ ହୋଇଥିଲେ ୨୫୦ ପୋଲିସ ଅଫିସର

899

କନକ ବ୍ୟୁରୋ : କେଜିଏଫ ଫିଲ୍ମର ରକି ଭାଇର ଚରିତ୍ରରେ ଅଭିନୟ କରିଥିଲେ ସାଉଥ ଷ୍ଟାର ୟଶ । ଆଉ ଏହି ରକି ଭାଇ ନାଁ ବେଶ ଲୋକ ପ୍ରିୟ ରହିଛି । ଏବେ ରକି ଭାଇ ହେବାକୁ ଯାଇ ୬ ଦିନରେ ୫ ହତ୍ୟା କରିଛି ଜଣେ ଯୁବକ । ଭୋପାଳରେ ଆତଙ୍କ ଖେଳାଇଥିବା ସିରିଏଲ କିଲର ଏବେ ଗିରଫ ହୋଇଛି । ୨୫୦ ପୋଲିସକୁ ନେଇ ୧୦ଟି ଟିମକୁ କିନ୍ତୁ ଏହି ସିରିଏଲ କିଲରଙ୍କୁ ଧରିବା ପାଇଁ ନାକେଦମ ହେବାକୁ ପଡିଛି ।

ମଧ୍ୟପ୍ରଦେଶର ସାଗର ଜିଲ୍ଲାରୁ ଭୋପାଳ ଯାଏ ୬ ଦିନରେ ୫ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ହତ୍ୟା କରିଛି ଏହି ୧୮ ବର୍ଷୀୟ ସିରିଏଲ କିଲର ଶିବ ପ୍ରସାଦ ଗୋଣ୍ଡା । ଅଷ୍ଟମ ପାସ କରିବା ପରେ ଗୋଆରେ କିଛି ଦିନ କାମ କରିଥିଲା ଶିବ । ଏହାପରେ ବିଭିନ୍ନ ରାଜ୍ୟରେ ଚାକର ଭାବେ କାମ କରିଥିଲା । ଜେରା ବେଳେ ମଧ୍ୟପ୍ରଦେଶ ପୋଲିସ ଏହି ସୂଚନା ପାଇଛି । ତେବେ ବିଭିନ୍ନ ରାଜ୍ୟରେ ଚାକର ଭାବେ କାମ କରୁଥିବା ବେଳେ ସେ କେଜିଏଫ-୨ ଫିଲ୍ନ ଦେଖି ପ୍ରଭାବିତ ହୋଇଥିଲା । ଫିଲ୍ମରେ ୟଶ ଯେଉଁଭଳି ଭାବେ ହତ୍ୟା କରିଥିଲେ ଠିକ ସମାନ ଢଙ୍ଗ ଆପଣାଇ ଶିବ ମଧ୍ୟ ହତ୍ୟା କରୁଥିଲା ।

ଆଉ ଫିଲ୍ମର ରକି ଭାଇ ଚରିତ୍ରକୁ ନିଜ ସହ ତୁଳନା କରିଥିଲା । ପରେ ନିଜେ ରିଲ୍ ନୁହେଁ ରିଅଲ ଲାଇଫରେ ଗ୍ୟାଙ୍ଗଷ୍ଟର ହେବାକୁ ଯୋଜନା କରି ଏପରି କାଣ୍ଡ ଭିଆଇଥିଲା ବୋଲି ଜଣାପଡିଛି । ରାତିରେ ଚୌକିଦାର ମାନେ ଶୋଇଥିବା ବେଳେ ପଥର ଛେଚି ହତ୍ୟା କରୁଥିଲା ଶିବ । ମୋଟ୍ ୬ଟି ହତ୍ୟା କରିଥିବା ସେ ପୋଲିସ ଆଗରେ ସ୍ୱୀକାର କରିଛି । ୩ ରାତିରେ ୩ ଜଣ ସିକ୍ୟୁରିଟି ଗାର୍ଡକୁ ଏବଂ ଗତରାତିରେ ଭୋପାଳରେ ଜଣକୁ ହତ୍ୟା କରିଥିଲା । ‌ତାହାର ଗୋଟିଏ ଲକ୍ଷ୍ୟ ଥିଲା ନିଜେ ‌କିଭଳି ନାଁ କମାଇବ । ସେଥିପାଇଁ ସେ ଶୋଇଥିବା ସିକ୍ୟୁରିଟି ଗାର୍ଡମାନଙ୍କୁ ହିଁ କେବଳ ଟାର୍ଗେଟ କରୁଥିଲା । ଏହି ହତ୍ୟା ଲୋକଙ୍କ ମନରେ ଷ୍ଟୋନମ୍ୟାନର ଭୟ ସୃଷ୍ଟି କରିଥିଲା । ମେ’ ମାସରେ ଏକ ଓଭରବ୍ରିଜ୍ ନିର୍ମାଣ ସ୍ଥଳରେ ଜଣେ ୱାଚମ୍ୟାନଙ୍କୁ ହତ୍ୟା କରାଯାଇଥିବା ଦେଖିବାକୁ ମିଳିଥିଲା। ଛେଚା ଯାଇଥିବା ମୁହଁ ଉପରେ ଚପଲ ରଖାଯାଇଥିଲା । କିନ୍ତୁ କାହାରିଠାରୁ କିଛି ଚୋରି ହୋଇ ନଥିଲା ।

ଗତରାତିରେ ସେ ୨୩ ବର୍ଷୀୟ ସୋନୁ ବର୍ମାକୁ ହତ୍ୟା କରିଥିଲା। ମାର୍ବଲ ରଡ୍‌ରେ ପିଟି ସେ ସୋନୁଙ୍କୁ ମାରିଛି। ଏକ ମାର୍ବଲ ଦୋକାନରେ ସୋନୁ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ । ଭୋପାଳଠାରୁ ୧୬୯ କିମି ଦୂର ସାଗରରୁ ଶିବର ଆପରାଧିକ କାର୍ଯ୍ୟକଳାପ ଆରମ୍ଭ ହୋଇଥିଲା । ଅଗଷ୍ଟ ୨୮ରେ ଏକ କାରଖାନାରେ ଗାର୍ଡ ଭାବେ କାର୍ଯ୍ୟ କରୁଥିବା କଲ୍ୟାଣ ଲୋଧିଙ୍କୁ ମଧ୍ୟ ସେ ହତ୍ୟା କରିଥିଲା । କଲ୍ୟାଣଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ହତ୍ୟା କରିଥିଲା । ତା’ ପରଦିନ ରାତିରେ ଏକ କଲେଜରେ ସୁରକ୍ଷା କର୍ମୀଭାବେ କାର୍ଯ୍ୟରତ ୬୦ ବର୍ଷୀୟ ଶମ୍ଭୁ ନାରାୟଣ ଦୁବେଙ୍କୁ ପଥରରେ ଛେଚି ହତ୍ୟା କରିଥିଲା। ପୋଲିସ ସିସିଟିଭି ଫୁଟେଜ ଏବଂ ମୋବାଇଲ ଟ୍ରାକ କରି ଭୋପାଳର ଲାଲଘାଟିରୁ ଶିବକୁ ଗିରଫ କରିଛି ।