ଆର୍ଥିକ ମୋର୍ଚ୍ଚାରେ ବ୍ରିଟେନକୁ ଶକ୍ତ ଝଟକା : ଭାରତ ହେଲା ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶ

227

କନକ ବ୍ୟୁରୋ : ଦେଶର ଅର୍ଥନୀତି ପାଇଁ ଏକ ଭଲ ଖବର । ମଜବୁତ ହେଉଛି ଦେଶର ଅର୍ଥନୀତି । ଯାହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ଦେଖିବାକୁ ମିଳିଛି । ୟୁରୋପରେ ମାନ୍ଦାବସ୍ଥା ଭିତରେ ଘରୋଇ ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ହେତୁ ଭାରତ ଏବେ ବିଶ୍ୱର ପଞ୍ଚମ ବୃହତ ଅର୍ଥନୀତିକ ଦେଶରେ ସାମିଲ ହୋଇଛି । ବୃହତମ ଅର୍ଥନୀତିରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି । ତେଣୁ ଆମେରିକା, ଚୀନ, ଜାପାନ ଏବଂ ଜର୍ମାନୀ ପରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଥିବା ବେଳେ ବ୍ରିଟେନ ଷଷ୍ଠ ସ୍ଥାନକୁ ଖସିଛିି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୃହତ ଅର୍ଥନୀତିକ ଦେଶ ମଧ୍ୟରେ ଭାରତ ଏକଦା ୧୧ ତମ ସ୍ଥାନରେ ଥିଲା । ଆମେରିକୀୟ ଡଲାରରେ କରାଯାଇଥିବା ହିସାବ ଅନୁଯାୟୀ, ୨୦୨୧ ମସିହାର ଶେଷ ତ୍ରୟମାସରେ ଭାରତ ବ୍ରିଟେନକୁ ଅତିକ୍ରମ କରିଛି । ଅନ୍ୟପକ୍ଷରେ, ଜିଡିପି ତଥ୍ୟ ଅନୁଯାୟୀ ଭାରତ ପ୍ରଥମ ତିନି ମାସରେ ଏହାର ଅଭିବୃଦ୍ଧିକୁ ମଜବୁତ କରିଛି । ନୋମିନାଲ କ୍ୟାସ ଆଧାରରେ ଭାରତୀୟ ଅର୍ଥନୀତିର ଆକାର ୮୫ ହଜାର ୪୭୦ କୋଟି ଡ଼ଲାର ରହିଛି । ସମାନ ଅବଧିରେ, ସମାନ ଆଧାରରେ ବ୍ରିଟେନର ଅର୍ଥନୀତିର ଆକାର ୮୧ ହଜାର ୬୦୦ କୋଟି ଡ଼ଲାର ଥିଲା ।

ମାର୍ଚ୍ଚ ମାସର ଶେଷ ଦିବସରେ ଡଲାର ବିନିମୟ ହାର ଆଧାରରେ ଏହି ହିସାବ କରାଯାଇଛି । ତେଣୁ ଅନୁମାନ କରାଯାଉଛି ଯେ ଆଗାମୀ ସମୟରେ ଭାରତ ବ୍ରିଟେନ ଅର୍ଥନୀତି ବିରୋଧରେ ନିଜର ସୀମାକୁ ମଜବୁତ କରିବ । ତେବେ ଚଳିତବର୍ଷ ଭାରତର ଅଭିବୃଦ୍ଧି ଆକଳନକୁ ୭ ପ୍ରତିଶତରେ ରଖାଯାଇଛି । ଯାହା ଦୁନିଆର ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ।