ପୂର୍ବତନ ସମିତି ସଭ୍ୟ ଚରାଉଛନ୍ତି ଛେଳି : ସରକାରୀ ଯୋଜନାରେ ନାଁ ନଥିବାରୁ ଛେଳି ଚରାଇ କରୁଛନ୍ତି ପରିବାର ପ୍ରତିପୋଷଣ

203

କନକ ବ୍ୟୁରୋ : ପୂର୍ବତନ ସମିତି ସଭ୍ୟ ଚରାଉଛନ୍ତି ଛେଳି । ଯାଜପୁର ନିର୍ବାଚନ ମଣ୍ଡଳୀ ଦଶରଥପୁର ବ୍ଲକ ହେଡ କ୍ୱାଟର ସମିତି ସଭ୍ୟ ଥିଲେ ତରଣୀ ସେନ । ୨୦୦୨ରୁ ୨୦୦୭ କାର୍ଯ୍ୟକାଳ ମଧ୍ୟରେ ସେ କେବେ ନିଜ ପାଇଁ କୌଣସି ଯୋଜନା ଟିଏ ନେଇ ନାହାନ୍ତି । କେବଳ ସାଧାରଣ, ଦଳିତ, ଦିନ ମଜୁରିଆଙ୍କ ପାଇଁ ସେବା କରୁଥିଲେ ।

ଏବେ ବୟସ ହେଲେ ବି ପରିବାର ସମସ୍ତ ବୋଝ ତୁଲାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ତରଣୀଙ୍କ କୌଣସି ସରକାରୀ ଯୋଜନାରେ ନାଁ ନାହିଁ । ପରିବାର ଚଳାଇବାକୁ ଛେଳି ଚଳାଇ କରୁଛନ୍ତି ପ୍ରତିପୋଷଣ । ୧୮ଟି ଛେଳି ରଖି ତାଙ୍କର ଯତ୍ନ ନେଉଛନ୍ତି । ଛେଳି ବଡ଼ ହେବା ପରେ ଗୋଟିଏ ପରେ ଗୋଟିଏ ଛେଳି ବିକି ପରିବାର ଚଳାଉଛନ୍ତି । ଘର ଡିହ ଖଣ୍ଡେ ଛାଡ଼ିଦେଲେ ଆଉ କିଛି ନାହିଁ ।

ବାରମ୍ବାର ସରପଂଚଙ୍କ ଠାରୁ ଆରମ୍ଭ କରି ବିଡିଓ ଏବଂ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇଁ ଆବେଦନ କରି ଆସୁଥିଲେ ମଧ୍ୟ ଏଯାବତ ସରକାରୀ ଆବାସ ଖଣ୍ଡେ ମିଳିପାରିନାହିଁ । ଚାରିଆଡ଼ୁ ନିରାଶ ହେବାରୁ କିଛି ବର୍ଷ ହେବ ଆଉ କାହାକୁ ଗୁହାରୀ କରୁନାହାନ୍ତି । ନିଜ କର୍ମକୁ ଆଦରି ଚଳୁଛନ୍ତି । ଭତା ପାଇଁ ବୟସ ହୋଇଯାଇଥିଲେ ବି ବାଧ୍ୟକଭତ୍ତା ମିଳୁନି ।