ବାଜା, ବାଣ କି ରୋଷଣି ନ ଥିଲା। ନାଚ, ଗୀତର ଆସର ବି ଜମି ନ ଥିଲା। ସୁସଜ୍ଜିତ କାର୍, ଘୋଡ଼ା ଗାଡ଼ି ବି ନ ଥିଲା। ଗାଡ଼ି, ଫ୍ରିଜ୍, ଆଲମିରା ବଦଳରେ ଯୌତୁକ ମିଳିଥିଲା ୧୫ ଶହ ଚାରା। ଆଉ ବାହା ହେବାକୁ ବର ଚାଲି ଚାଲି ଯାଇଥିଲେ ଅଢେଇ କିଲୋମିଟର ବାଟ। କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକର ବଳଭଦ୍ରପୁର ଗ୍ରାମରେ ଏମିତି ଏକ ଆଦର୍ଶ ଆଉ ନିଆରା ବାହାଘରକୁ ନେଇ ସାରା ଜିଲ୍ଲାରେ ଏବେ ଚର୍ଚ୍ଚା। ବଳଭଦ୍ରପୁର ଗ୍ରାମର ସରୋଜ ବିଶ୍ୱାଳ ଏଭଳି ଭିନ୍ନ ଢଙ୍ଗରେ ବାହା ହୋଇ ଉଦାହରଣ ସୃଷ୍ଟି କରିଛନ୍ତି। ଚଉଦକୁଲାଟ ହାଇସ୍କୁଲରେ ବିଜ୍ଞାନ ଶିକ୍ଷକ ଭାବେ କାର୍ୟ୍ୟରତ ସରୋଜ ଗତକାଲି ମାର୍ଶାଘାଇ ଆଦମପୁର ଗାଁର ମହେଶ୍ୱର ପାଇଟାଳଙ୍କ ସାନ ଝିଅ ରଶ୍ମିରେଖାଙ୍କୁ ବିବାହ କରିଛନ୍ତିିି। ରଶ୍ମିରେଖା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବିଦ୍ୟାଳୟରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ।
Kanak News is now on WhatsApp
Join and get latest news updates delivered to you via WhatsApp
ଗାଁରୁ ବର ବେଶରେ ବାହାରି ସରୋଜ ବନ୍ଧୁ ପରିଜନଙ୍କ ସହ ଗାଁ ପରିକ୍ରମା କରିଥିଲେ। ଶୋଭାଯାତ୍ରାରେ ବାଣ ଫୁଟି ନ ଥିଲା କି ଡିଜେ ବାଜି ନ ଥିଲା। ବର ବେଶରେ ଆଦମପୁର ଗାଁ ମୁଣ୍ଡରୁ ଝିଅ ଘରକୁ ପ୍ରାୟ ଅଢେଇ କିମି ବାଟ ଚାଲିଚାଲି ଯାଇଥିଲେ ସରୋଜ। ବାହାଘରକୁ ସ୍ମରଣୀୟ କରିବା ପାଇଁ ଯୌତୁକ ବଦଳରେ କନ୍ୟା ପକ୍ଷକୁ ମଗାଯାଇଥିଲା ୧୫ ଶହ ଫଳ ଚାରା। ଖାଲି ସେତିକି ନୁହେଁ, କନ୍ୟା ଘର ଗାଁରେ ପ୍ରତି ଘର ପିଛା ୨ଟି ଲେଖାଏଁ ଚାରା ବି ବଣ୍ଟନ କରାଯାଇଥିଲା। ଆସନ୍ତାକାଲି ଭୋଜିକୁ ଆସିବାକୁ ଥିବା ଅତିଥିମାନଙ୍କୁ ବି ଫଳ ଚାରା ଉପହାର ପ୍ରଦାନ କରାଯିବ। ଭୋଜିରେ ପ୍ଲାଷ୍ଟିକ୍ ସାମଗ୍ରୀ ବର୍ଜନ କରାଯାଇଛି। କେବଳ କାଗଜରେ ତିଆରି ସାମଗ୍ରୀ ହିଁ ବ୍ୟବହାର ହେବ ବୋଲି ନିମନ୍ତ୍ରଣ ପତ୍ରରେ ଉଲ୍ଲେଖ ରହିଛି। ଅଯଥା ଖର୍ଚ୍ଚ, ଯୌତୁକ ଭଳି କଳଙ୍କିତ ପ୍ରଥାକୁ ଜାବୁଡ଼ି ଧରିଥିବା ଅବକ୍ଷୟମୁଖୀ ସମାଜକୁ ଏହି ବିବାହ ଉତ୍ତମ ବାର୍ତ୍ତା ଦେବ ବୋଲି ସରୋଜଙ୍କ ଦାଦା ସୁଦର୍ଶନ ବିଶ୍ୱାଳ କହିଛନ୍ତି। ସରୋଜଙ୍କ ଶ୍ୱଶୁର କହିଛନ୍ତି ଯେ ଜ୍ୱାଇଁ ଯୌତୁକ ନେବାକୁ ମନା କରି ଦେଇଥିଲେ। ଏଭଳି ପିଲା ସହ ଝିଅକୁ ବାହା ଦେଇ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି।