ଜୁନରେ ପାଦ ଥାପିଲା ‘କାହ୍ନା’ର ମହାବଳ ! ନୂଆ ଅତିଥିକୁ ସାଥ୍ ଦେବାକୁ ଜୁଲାଇରେ ଆସୁଛି ବାଘୁଣୀ

24

କନକ ବ୍ୟୁରୋ: ଜୁନରେ ପାଦ ଥାପିଲା ‘କାହ୍ନା’ର ମହାବଳ। ନୂଆ ଅତିଥିକୁ ସାଥ୍ ଦେବାକୁ ଜୁଲାଇରେ ଆସୁଛି ବାଘୁଣୀ । ବାଘ, ବାଘୁଣୀଙ୍କ ମେଳରେ ସାତକୋଶିଆର ସୌନ୍ଦର୍ଯ୍ୟ ବହୁଗୁଣିତ ହେବାକୁ ଯାଉଛି। ଏମାନଙ୍କଠାରୁ ମହାବଳ ଶାବକ ସ୍ୱପ୍ନ ବି ଉଜ୍ଜ୍ୱଳ ହୋଇଛି।

କାହ୍ନା ଅଭୟାରଣ୍ୟରୁ ପ୍ରଥମ ପର୍ଯ୍ୟାୟରେ ଯେମିତି ମହାବାଳ ଆସିଲା, ସେମିତି ଦ୍ୱିତୀୟ ପର୍ଯ୍ୟାୟରେ ସେଠାରୁ ବାଘୁଣୀ ଆଣିବାକୁ ଚିନ୍ତା କରାଯାଉଥିଲା, କିନ୍ତୁ ଶେଷରେ ‘କାହ୍ନା’ ନୁହେଁ, ବରଂ ମଧ୍ୟପ୍ରଦେଶର ଅନ୍ୟତମ ବ୍ୟାଘ୍ର ପ୍ରକଳ୍ପ ବାନ୍ଧବଗଡ଼ରୁ ବାଘୁଣୀ ଆଣିବାକୁ ବନ ବିଭାଗ ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ସମ୍ଭବତଃ ସପ୍ତାହକ ମଧ୍ୟରେ ଅଣ୍ଡିରା ମହାବଳକୁ ବାନ୍ଧବଗଡ଼ର ବାନ୍ଧବୀ ମିଳିଯିବ। ଏପଟେ ବାଘୁଣୀ ପାଇଁ ଜୋର୍ ଦାର୍ ପ୍ରସ୍ତୁତିରେ ଲାଗି ପଡ଼ିଛି ବନ ବିଭାଗ। ବାନ୍ଧବଗଡ଼ କର୍ତୃପକ୍ଷଙ୍କ ସହିତ ଆଲୋଚନା ଶେଷ ହୋଇଥିବା ବେଳେ ମଧ୍ୟପ୍ରଦେଶରୁ ସାତକୋଶିଆକୁ ଲମ୍ବା ଯାତ୍ରା କିପରି ସୁରୁଖୁରୁ ହେବ, ସାତକୋଶିଆରେ ବାଘୁଣୀର ରହଣି ସୁବିଧା ପାଇଁ ଚୂଡ଼ାନ୍ତ ରୂପରେଖ ସରିଛି।ସାତକୋଶିଆର ରାଇଗୁଡ଼ାରେ ହିଁ ବାଘୁଣୀକୁ ଛଡ଼ାଯିବ। ଅଣ୍ଡିରା ମହାବଳ ପାଇଁ ଯେମିତି ଏନକ୍ଲୋଜର ଗଢ଼ା ହୋଇଥିଲା, ସମାନ ଡିଜାଇନରେ ଠିକ୍ ତା’ ନିକଟରେ ଅଢ଼େଇ ଏକର ଜମିରେ ଆଉ ଏକ ନୂଆ ଏନକ୍ଲୋଜର ଗଢ଼ା ହୋଇଛି। ସେଠାରେ ବାଘୁଣୀକୁ ଛାଡ଼ିବା ଲାଗି ବନ ବିଭାଗ ଯୋଜନା କରିଛି।

ଅନ୍ୟପକ୍ଷରେ ରେଡିଓ କଲାର ଜରିଆରେ ତିନି ଦିନ ହେଲା ସାତକୋଶିଆ ଏନକ୍ଲୋଜରରେ ଘୂରି ବୁଲୁଥିବା ଅଣ୍ଡିରା ମହାବଳର ଗତିବିଧିକୁ ଟିକିନିଖି ଅନୁଧ୍ୟାନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ମହାବଳର ଚଳପ୍ରଚଳ ସ୍ୱାଭାବିକ ଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ଏ ସମ୍ପର୍କରେ ସାତକୋଶିଆ କ୍ଷେତ୍ର ନିର୍ଦେଶକ ତଥା ଅତିରିକ୍ତ ପିସିସିଏଫ୍ ଡ. ସୁଦର୍ଶନ ପଣ୍ଡା କହିଛନ୍ତି, ଗୁରୁବାର ରାତିରେ ଏନକ୍ଲୋଜର ଭିତରେ ଅଣ୍ଡିରା ମହାବାଳ ପ୍ରଥମ ଶିକାର କରିଥିଲା। ଦ୍ୱିତୀୟ ଶିକାର ପାଇଁ ଗତକାଲି ରାତିରେ ଏକ ଜୀବନ୍ତ ଜନ୍ତୁକୁ ଛଡ଼ାଯାଇଛି। ସେହିପରି ‘ବାନ୍ଧବଗଡ଼’ରୁ ବାଘୁଣୀ ଆଣିବା ପାଇଁ ପ୍ରସ୍ତୁତି ଚାଲିଛି। ଆସନ୍ତା ସପ୍ତାହକ ମଧ୍ୟରେ ବାଘୁଣୀ ସାତକୋଶିଆରେ ପହଞ୍ଚିବ ବୋଲି ଡ. ପଣ୍ଡା କହିଛନ୍ତି।