ଲୋକଙ୍କ ଆକ୍ରୋସରେ ଶିକାର ହେଲେ ଚୋରା ଗୋ ଚାଲାଣକାରୀ । ଲୋକଙ୍କ ମାଡରେ ଜଣେ ମୃତ,୨ ଗୁରୁତର

129

କନକ ବ୍ୟୁରୋ : ଦେଶରେ ଧାର୍ମିକ ହିଂସା ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି । କେଉଁଠି ଜୟ ଶ୍ରୀରାମ ଏବଂ ଆଲ୍ଲା ଓ ଆକବର ନାମରେ ହତ୍ୟା କରାଯାଉଛି ତ କେଉଁଠି ଚୋରା ଗୋ ଚାଲାଣକାରୀଙ୍କୁ ପିଟି ପିଟି ହତ୍ୟା କରାଯାଉଛି । ଏସବୁ ଭିତରେ ପୁଣି ଏକ ଭିଡ ହିଂସାର ଖବର ଆସିଛି ମଧ୍ୟପ୍ରଦେଶର ନର୍ମଦାପୁରମ୍ ଜିଲ୍ଲାରୁ । ଏଠାରେ କିଛି ଲୋକ ଚୋରାରେ ଗୋ ଚାଲାଣ କରୁଥିବା ବେଳେ କିଛି ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଜଣେ ଲୋକର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।

ସୂଚନା ମୁତାବକ ମଧ୍ୟପ୍ରଦେଶର ନର୍ମଦାପୁରମ୍ ଜିଲ୍ଲା ବାରାଖଡ ନିକଟରେ ଏଭଳି ଘଟଣା ଘଟିଛି । ନର୍ମଦାପୁରମ୍ ଏସପି ଗୁରୁକରଣ ସିଂଙ୍କ କହିବା ମୁତାବକ ମଙ୍ଗଳବାର ମଧ୍ୟରାତ୍ରରେ ୩ ଜଣ ଲୋକ ଏକ ଗାଡିରେ କିଛି ଗୋରୁ ବୋଝେଇ କରି ଚୋରା ଚାଲାଣ କରୁଥିଲେ । ଏହି ସମୟରେ ୧୦-୧୨ ଜଣ ଲୋକ ସେହି ଗୋରୁ ବୋଝେଇ ଗାଡିକୁ ଅଟକାଇ ଗାଡିରେ ଥିବା ୩ ଜଣଙ୍କୁ ମାରିପିଟ କରିଥିଲେ । ଭିଡ ହିଂସାରେ ଶିକାରେ ହୋଇଥିବା ସମସ୍ତ ୩ ଜଣ ଯାକ ମହାରାଷ୍ଟ୍ର ଅମରାବତୀ ଅଞ୍ଚଳ ବୋଲି କୁହାଯାଉଛି । ଏଭଳି ମାରପିଟରେ ୩ ଜଣ ଯାକ ଗୁରୁତର ହୋଇପଡିଥିଲେ । ସୂଚନା ପାଇ ପୋଲିସ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଏବେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ପରେ ପୋଲିସ ନିଜ ତରଫରୁ ମାମଲା ରୁଜୁ କରିଛି । ମାରପିଟ କରିଥିବା ଲୋକଙ୍କ ଉପରେ ପୋଲିସ ଧାରା ୩୦୨ ମୁତାବକ ମାମଲା ରୁଜୁ କରିଛି । ଏହାପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି ।