ବିଧାୟକ ବଢ଼ାଇବେ ନିଜ ଦରମା: ଦିଲ୍ଲୀ ଭଳି ଦରମା ବଢାଇବାକୁ ପୁଣି ଗୃହରେ ଉଠିଲା ଦାବି

189

କନକ ବ୍ୟୁରୋ: ଦିଲ୍ଲୀ ବିଧାୟକଙ୍କ ଦରମା ବୃଦ୍ଧି ଘୋଷଣା ପରେ ଓଡିଶା ବିଧାନସଭାରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । ଗୃହରେ ଶୂନ୍ୟକାଳରେ ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି ପ୍ରସଙ୍ଗ ଉଠାଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ତୁରନ୍ତ ବିଲ ଆଣିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ସେ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି । ଏହାପରେ ବିଧାୟକଙ୍କ ଦରମା ଓ ପେନସନ ବୃଦ୍ଧି ସଂପର୍କୀତ ବିଲ ଗୃହରେ ଆଗତ କରିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ରୁଲିଂ ଦେଇଛନ୍ତି ବାଚସ୍ପତି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗୃହ କମିଟି ବିଧାୟକମାନଙ୍କ ଦରମା, ଭତା ଓ ପୂର୍ବତନ ବିଧାୟକଙ୍କ ପେନସନକୁ ପାଖାପାଖି ଦୁଇ ଗୁଣ କରିବାକୁ ପ୍ରସ୍ତାବ ଦେଇଛି । କୁହାଯାଉଛି ଆଗକୁ ବିଧାୟକଙ୍କ ଦରମା ୨ଲକ୍ଷ ଟଙ୍କା ହେବ ।

ଓଡ଼ିଶାରେ ବିଧାୟକଙ୍କ ଦରମା ?
– ବିଧାୟକଙ୍କୁ ଦରମା ଓ ଭତ୍ତା ବାବଦରେ ୧ ଲକ୍ଷ ଟଙ୍କା ମିଳୁଛି
– ଦରମା ବାବଦକୁ ୩୫ହଜାର, ବିଭିନ୍ନ ଭତ୍ତା ୬୫ହଜାର
– ଯାତାୟତ ଭତ୍ତା ୧୫ହଜାର, ମେଡିକାଲ ଖର୍ଚ୍ଚ ୫ହଜାର
– ଟେଲିଫୋନ ବିଲ ୮ହଜାର, ସଚିବାଳୟ ସଂପର୍କୀୟ ଖର୍ଚ୍ଚ ୨୦ହଜାର
– ବିଦ୍ୟୁତ ଦେୟ ବାବଦକୁ ୫ହଜାର
– ଅନ୍ୟାନ୍ୟ ଭତ୍ତା ମିଶାଇ ୧ ଲକ୍ଷ ଟଙ୍କା ମିଳୁଛି
– ପୂର୍ବତନ ବିଧାୟକଙ୍କୁ ୩୦ହଜାର ଟଙ୍କା ପେନସନ ମିଳୁଛି
– ୨୦୧୭ରେ ଶେଷ ଥର ପାଇଁ ବଢିଥିଲା ବିଧାୟକଙ୍କ ଦରମା

ଦରଦାମ ବଢିଛି, ହେଲେ ବିଧାୟକଙ୍କ ଦରମା ବଢୁନାହିଁ ବୋଲି ଶାସକ ବିରୋଧୀ ଦଳର ସବୁ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ଗୃହ କମିଟି ଅଧ୍ୟକ୍ଷ ଅମର ଶତପଥୀ ମଧ୍ୟ ଦାବିକୁ ସମର୍ଥନ କରି ଦରମା ବୃଦ୍ଧି ପାଇଁ ଗଠିତ ପରାମର୍ଶଦାତା କମିଟିର ରିପୋର୍ଟ ବାଚସ୍ପତିଙ୍କୁ ଦିଆଯାଇଥିବା କହିଛନ୍ତି ।

୨୦୧୭ ମସିହା ପରଠୁ ବିଧାୟକଙ୍କ ଦରମା ବଢିନାହିଁ । ଗତ ମୌସୁମୀ ଅଧିବେଶନରେ ଦରମା ଓ ପେନସନ ବୃଦ୍ଧି ଦାବି କରିଥିଲେ ଗୃହର ସଦସ୍ୟ । ମଙ୍ଗଳବାର ଦିଲ୍ଲୀ ବିଧାୟକଙ୍କ ଦରମା ବୃଦ୍ଧି ପରେ ଓଡିଶା ବିଧାନସଭାରେ ଉଦବେଗ ପ୍ରକାଶ କରିଛନ୍ତି ଶାସକ ବିରୋଧୀ ।