ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ୍ : ଦୋକାନ ବନ୍ଦ କରି ଫେରୁଥିବା ବେଳେ ଲୁଟେରାଙ୍କ କବଳରେ ପଡିଥିଲେ ସୁନା ଦୋକାନୀ

88

କନକ ବ୍ୟୁରୋ : ରାଜଧାନୀରେ ସୁନା ଦୋକାନୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଗତକାଲି ରାତି ପ୍ରାୟ ୧୦ଟାରେ ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟର ଶୀକାର ହୋଇଛନ୍ତି ବ୍ୟବସାୟୀ ଓମ ପ୍ରକାଶ ସାହୁ । ଏକ ବାଇକରେ ତିନି ଦୁର୍ବୁତ୍ତ ଆସି ବ୍ୟବସାୟୀଙ୍କ ବନ୍ଧୁକ ଲଗାଇ ତାଙ୍କ ପାଖରେ ଥିବା ସୁନା ଗହଣା ଲୁଟ କରି ନେଇଛନ୍ତି । ଭୁବନେଶ୍ୱର ଶତାବ୍ଦୀ ନଗର ଅଂଚଳରେ ଏଭଳି ଘଟଣା ଘଟିଛି ।

ସୂଚନା ମୁତାବକ, ଗୁରୁବାର ରାତି ପାଖାପାଖି ସାଢ଼େ ୧୦ଟା ସମୟରେ ଓମ୍‌ପ୍ରକାଶ ତାଙ୍କ ଡେଲ୍‌ଟା ଛକସ୍ଥିତ ଦୋକାନ ବନ୍ଦ କରି ସ୍କୁଟି ଯୋଗେ ଶତାବ୍ଦୀନଗରସ୍ଥିତ ଘରକୁ ଫେରୁଥିଲେ । ତ‌େବେ ବାଟରେ ତାଙ୍କୁ ଏକ ପଲସର ବାଇକ୍‌ରେ ଥିବା ୩ଜଣ ଦୁର୍ବୃତ୍ତ ଅଟକାଇଥିଲେ ଓ ମୁଣ୍ଡରେ ବନ୍ଧୁକ ଲଗାଇ ଦେଇଥିଲେ । ଏତିକିବେଳେ ଜଣେ ଦୁର୍ବୃତ୍ତ ତାଙ୍କ ସ୍କୁଟିକୁ ଗୋଇଠା ମାରି ତଳେ ପକାଇ ଦେଇଥିଲେ । ଦୁଇ ଜଣ ଓମ୍‌ପ୍ରକାଶଙ୍କ ମୁଣ୍ଡରେ ବନ୍ଧୁକ ଲଗା‌ଇଥିବା ବେଳେ ଅନ୍ୟ ଜଣେ ସ୍କୁଟିର ଡିକି ଖୋଲି ଗହଣା ବ୍ୟାଗକୁ ବାହାର କରିନେଇଥିଲା । ଏହାପରେ ସେମାନେ ସ୍କୁଟି ଚାବି ନେଇ ପଳାଇଥିଲେ । ଓମ୍‌ପ୍ରକାଶଙ୍କ ଅଭିଯୋଗ ଅନୁସାରେ ବ୍ୟାଗ୍‌ରେ ଶହେ ଗ୍ରାମ୍‌ ଓଜନର ଗହଣା ଥିଲା ।