କର୍ଣ୍ଣାଟକରେ ତେଜିଲା କ୍ଷୀର ଲଢେଇ । ଅମୁଲ ବ୍ରାଣ୍ଡର ପ୍ରବେଶକୁ ନେଇ ଶାସକ ବିଜେପି-ବିରୋଧୀ କଂଗ୍ରେସ ମୁହାଁମୁହିଁ

188

କନକ ବ୍ୟୁରୋ: କର୍ଣ୍ଣାଟକରେ କ୍ଷୀର ଲଢେଇ ଚରମ ସୀମାରେ ପହଞ୍ଚିଛି । ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ବିବାଦ ରାଜନୈତିକ ରୂପ ନେଇଛି । ଦୁଇଟି ବଡ କ୍ଷୀର ବ୍ରାଣ୍ଡ ଅମୁଲ ଓ ନନ୍ଦିନୀ ମୁହାଁମୁହିଁ ହୋଇଛନ୍ତି । ଅମୁଲ ମିଲ୍କ ଓ ନନ୍ଦିନୀ କ୍ଷୀରକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ବୟାନବାଜି ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ବିବାଦ ସେତେବେଳେ ଆରମ୍ଭ ହୋଇଥିଲା ଯେବେ ଅମୁଲ ଏକ ଟ୍ୱିଟ କରି ବେଙ୍ଗାଲୁରୁରେ ପ୍ରବେଶ ପାଇଁ ଘୋଷଣା କରିଥିଲା । ସୋସିଆଲ ମିଡିଆରେ ଗୋବ୍ୟାକ ଅମୁଲ, ସେଭ ନନ୍ଦିନୀ ଭଳି ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ କରିଥିଲା । ଆଉ ବିରୋଧୀ ବି ଏହାକୁ ନିର୍ବାଚନୀ ଅସ୍ତ୍ର କଲେ । ୮ ଏପ୍ରିଲରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଅମୁଲ ବିରୋଧରେ ମୋର୍ଚ୍ଚା ଖୋଲିଥିଲେ । ଆଉ ଏବେ ଏହି ଲଢେଇ ବିଜେପି ବନାମ କଂଗ୍ରେସ,ଜେଡିଏସ ହୋଇଛି । ନିର୍ବାଚନୀ ପ୍ରସଙ୍ଗ ପାଲଟିଛି । ଶାସକ ଦଳ ବିଜେପି କିନ୍ତୁ କର୍ଣ୍ଣାଟକରେ ଅମୁଲର ପ୍ରବେଶକୁ ସମର୍ଥନ କରିଛି ।

କେମିତି ଆରମ୍ଭ ହେଲା ବିବାଦ ?

  • ୫ ଏପ୍ରିଲରେ ଅମୁଲ ବେଙ୍ଗାଲୁରୁରେ ବିକ୍ରି ଆରମ୍ଭ ପାଇଁ ଘୋଷଣା କରି ଟ୍ୱିଟ କରିଥିଲା
  • ଏହାପରେ କଂଗ୍ରେସ ଅଭିଯୋଗ କରିଥିଲା, ବିଜେପି ରାଜ୍ୟର ନନ୍ଦିନୀ କ୍ଷୀର ବ୍ରାଣ୍ଡକୁ ନଷ୍ଟ କରିବାକୁ ଚାହୁଁଛି
  • ଏହାପରେ ବିବାଦ ବଢିଥିଲା, କର୍ଣ୍ଣାଟକର ଲୋକେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇଥିଲେ
  • ଅମୁଲ ବ୍ରାଣ୍ଡ ଦେଶର ସବୁଠାରୁ ବଡ କ୍ଷୀର ବ୍ରାଣ୍ଡ
  • ନନ୍ଦିନୀ କର୍ଣ୍ଣାଟକ ମିଲ୍କ ଫେଡେରସନର କ୍ଷୀର ବ୍ରାଣ୍ଡ
  • କର୍ଣ୍ଣାଟକରେ ନନ୍ଦିନୀ କ୍ଷୀର ଦର ଲିଟର ପିଚ୍ଛା ୩୯ ଟଙ୍କା
  • ଅମୁଲ କ୍ଷୀରର ଦର ଲିଟର ୫୪ ଟଙ୍କା
  • ନନ୍ଦିନୀ କ୍ଷୀର ପାଇଁ କର୍ଣ୍ଣାଟକ ମିଲ୍କ ଫେଡେରସନକୁ ସବସିଡି ଦେଉଛନ୍ତି ସରକାର
  • କୃଷକଙ୍କୁ ପ୍ରତି ଲିଟର ୬ ଟଙ୍କା ସବସିଡି ଦେଉଛନ୍ତି ରାଜ୍ୟ ସରକାର
  • ଅମୁଲ ଉତ୍ପାଦ କର୍ଣ୍ଣାଟକରେ ଧାରୱାଡ ଓ ହୁବୁଲିରେ ପ୍ରବେଶ କରିସାରିଛି
  • ନନ୍ଦିନୀ ବ୍ରାଣ୍ଡ ମହାରାଷ୍ଟ୍ର, ତେଲେଙ୍ଗାନା, ଗୋଆ, ତାମିଲନାଡୁ ଓ ଓଡିଶାର ଦକ୍ଷିଣ ଜିଲ୍ଲାରେ ବିକ୍ରୀ ହେଉଛି
  • ଅମୁଲ ବନାମ ନନ୍ଦିନୀ ବିବାଦ ରାଜ୍ୟର ୫ କୋଟି ଭୋଟରଙ୍କ ଉପରେ ସିଧା ପ୍ରଭାବ ପକାଉଛି
  • ବିରୋଧୀ କରିଛନ୍ତି ପ୍ରସଙ୍ଗ, ବିଜେପି ଦେଉଛି ମାପିଚୁପି ଉତ୍ତର