ଆମ୍ ଆଦମୀ ପାର୍ଟି ହେଲା ଜାତୀୟ ଦଳ । ଏନସିପି, ଟିଏମସି ଏବଂ ସିପିଆଇ ଦଳର ଜାତୀୟ ମାନ୍ୟତା ଫେରାଇନେଲେ ନିର୍ବାଚନ ଆୟୋଗ ।

770

କନକ ବ୍ୟୁରୋ: ଅରବିନ୍ଦ କେଜରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳର ମାନ୍ୟତା । ନିର୍ବାଚନ୍ ଆୟୋଗ ଆପକୁ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି । ଅନ୍ୟପଟେ ପୂର୍ବରୁ ଜାତୀୟ ଦଳର ମାନ୍ୟତା ପାଇଥିବା ୩ଟି ପାର୍ଟିର ଜାତୀୟ ଦଳ ମାନ୍ୟତାକୁ ଫେରାଇ ନେଇଛନ୍ତି ନିର୍ବାଚନ ଆୟୋଗ । ମମତା ବାନାର୍ଜୀଙ୍କ ଟିଏମସି ସହିତ ଶରଦ ପାୱାରଙ୍କ ଏନସିପି ଏବଂ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଜାତୀୟ ଦଳ ମାନ୍ୟତାକୁ ନିର୍ବାଚନ ଆୟୋଗ ଫେରାଇ ନେଇଛନ୍ତି ।

ଖାଲି ସେତିକି ନୁହେଁ, ଏହା ସହିତ ନିର୍ବାଚନ ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ଏବଂ ରାଷ୍ଟ୍ରୀୟ ଲୋକ ଦଳର ଆଞ୍ଚଳିକ ଦଳ ମାନ୍ୟତା ମଧ୍ୟ ଫେରାଇ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ନିର୍ବାଚନ ଆୟୋଗ ହିଁ ରାଜନୈତିକ ଦଳମାନଙ୍କୁ ଜାତୀୟ ଓ ଆଞ୍ଚଳିକ ଦଳ ହେବାର ମାନ୍ୟତା ପ୍ରଦାନ କରିଥାଏ । ସିମ୍ବଲ ଅର୍ଡର ୧୯୬୮ ଅନୁସାରେ ଏହା କରାଯାଇଥାଏ ।

ନିର୍ବାଚନ ଆୟୋଗ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ଦଳମାନଙ୍କୁ ପୂର୍ବରୁ ରାଷ୍ଟ୍ରୀୟ ଦଳର ମାନ୍ୟତା ପ୍ରଦାନ କରାଯାଇଥିଲା । ହେଲେ ସେମାନେ ଆଶା ଅନୁସାରେ ଭଲ ପ୍ରଦର୍ଶନ କରିପାରିନାହାଁନ୍ତି । ଏହି ଦଳମାନଙ୍କୁ ୨ଟି ଲୋକସଭା ନିର୍ବାଚନ ଓ ୨୧ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପର୍ଯ୍ୟାପ୍ତ ସୁଯୋଗ ଦିଆଯାଇଥିଲା । ଏହାପରେ ତାଙ୍କର ପ୍ରଦର୍ଶନର ରିଭ୍ୟୁ କରାଯାଇଥିଲା । ଏହାପରେ ଯାଇ ଏହି ତିନୋଟି ଦଳର ଜାତୀୟ ଦଳ ମାନ୍ୟତା ଫେରାଇ ନିଆଯାଇଛି ବୋଲି ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ଦିଆଯାଇଛି ।