ମିଡନାଇଟ୍ ଯାଏଁ ମେଲୋଡ଼ି । ଟ୍ୱିନ୍-ସିଟିର ପୂଜା କମିଟି ଗୁଡ଼ିକୁ ଅନୁମତି ଦେଲା କମିଶନରେଟ୍ ପୋଲିସ୍ ।

338

କନକ ବ୍ୟୁରୋ: ମିଡନାଇଟ୍ ଯାଏଁ ଟ୍ୱିନସିଟିରେ ଜମିବ ମେଲୋଡ଼ି । ଏନେଇ ବିଭିନ୍ନ ପୂଜା କମିଟି ଗୁଡ଼ିକୁ କମିଶନରେଟ୍ ପୋଲିସ ତରଫରୁ ଅନୁମତି ପ୍ରଦାନ କରାଯାଇଛି । ଖୁସି ଓ ଉତ୍ସାହ ନେଇ ପୁଣି ଫେରିଛି ମହାପାର୍ବଣ ଦୁର୍ଗାପୂଜା । ଦୁର୍ଗାପୂଜା ଅବସରରେ ରାଜଧାନୀ ଓ କଟକରେ ଖୁବ୍ ଆକର୍ଷଣୀୟ ତୋରଣମାନ ସଜ୍ଜିତ ହୋଇଛି । ତେବେ ଦୁର୍ଗାପୂଜାକୁ ନେଇ ଟ୍ୱିନ୍-ସିଟିରେ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରି ଦିଆଯାଇଛି । ଏଥିପାଇଁ ଭୁବନେଶ୍ୱରରେ ୨୦୦୦ ସ୍ପେଶାଲ ପୁଲିସ ଅଫିସର ରହିବା ସହିତ ୩୫ ପ୍ଲାଟୁନ୍ ପୁଲିସ ନିୟୋଜିତ ହୋଇଛନ୍ତି ।

ତେବେ ରାଜଧାନୀରେ ୧୭୪ଟି ମେଢ଼ ହୋଇଥିବା ବେଳେ ୫ଟି ସ୍ଥାନରେ ରାବଣପୋଡିର ଆୟୋଜନ କରାଯିବା ପାଇଁ ଅନୁମତି ମିଳିଛି। ତେବେ ଦୁର୍ଗାପୂଜା ସମୟରେ ପୂଜାମଣ୍ଡପରେ ଅନୁଷ୍ଠିତ ହେଉଥିବା ମେଲୋଡି କାର୍ଯ୍ୟକ୍ରମ ୧୨ଟା ସୁଦ୍ଧା ଶେଷ କରିବା ସହିତ ଭସାଣି ବେଳେ ଭାଇବ୍ରେଟ ମ୍ୟୁଜିକ ବ୍ୟବହାରନ କରିବାକୁ ପୁଲିସ କମିସନର୍ ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସେହିପରି କଟକରେ ୨୩୬ଟି ମେଢ଼ ହୋଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି ୮୩ଟି ପ୍ଲାଟୁନ୍ ଫୋର୍ସକୁ ନିୟୋଜିତ କରାଯାଇ ଛି। ପୂଜା ସମୟରେ ଭାରୀଯାନ ଚଳାଚଳ ଉପରେ କଟକଣା ଲାଗିଛି। ସମସ୍ତ ପୂଜା ମଣ୍ଡପ ନିକଟରେ ଭକ୍ତଙ୍କ ଦର୍ଶନ ଲାଗି ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି । ପୂଜା ମଣ୍ଡପ ନିକଟରେ ପର୍ୟ୍ୟାପ୍ତ ଆଲୋକୀକରଣ ଓ ଅଗ୍ନି ନିର୍ବାପନ ବ୍ୟବସ୍ଥା ପ୍ରତି ଧ୍ୟାନ ଦେବାକୁ କିମସନ୍ରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି ।