ବକେୟା ଟଙ୍କା ପାଇଁ ଘରେ ପଶି ହାଣିଲେ! ସୁଧ ଆଦାୟ ଲାଗି ଛଡାଇ ନେଲେ ଜମି!

641

କନକ ବ୍ୟୁରୋ: ସୁଧ କାରବାରରୁ ଆକ୍ରମଣ । ପୁଣି ରକ୍ତରଂଜିତ ରାଜଧାନୀର ପଦ୍ମକେଶରୀପୁର । ଘରେ ପଶି ଗୋଡାଇ ଗୋଡାଇ ହାଣିଲେ ସୁଧ ଦେଇଥିବା ବ୍ୟକ୍ତି । ହଣାକଟା ଓ ବୋମାମାଡରେ ୨ ଜଣ ଆହତ ହୋଇଛନ୍ତି । ୧୦ ହଜାର ଟଙ୍କା ସୁଧ ଦେଲେ ମାସିକ ୨୦ ପ୍ରତିଶତ ସୁଧ ଦାବି କରୁଛନ୍ତି ସାହୁକାର । ଟଙ୍କା ନଦେଇ ପାରିବାରୁ ଜମି ଦଖଲ ସହ ଆକ୍ରମଣ କରୁଛି ସାହୁକାର ।

ପୁଣି ଅଶାନ୍ତ ହେଲା ଭୁବନେଶ୍ୱରର ପଦ୍ମକେଶରୀପୁର । ସୁଧ କାରବାରକୁ ନେଇ ଘରେ ପଶି ଗୋଡାଇ ଗୋଡାଇ ହାଣିଲେ ସୁଧ ଦେଇଥିବା ବ୍ୟକ୍ତି । ମୁଣ୍ଡରେ ଗଭୀର ଆଘାତ, ଦେହ ସାରା ମାଡ ଦାଗ । କେବଳ ଏହି ବୃଦ୍ଧ ନୁହଁନ୍ତି ତାଙ୍କ ବୋହୁଙ୍କୁ ବି ଛାଡିଲେନି । ଦେହ ହାତ କାନ୍ଧ ଯୁଆଡେ ଦେଖିଲେ ଖଣ୍ଡାରେ ହାଣି ଲହୁ ଲୁହାଣ କରିଦେଲେ । ଆଉ ଏହି ପୁରା ଘଟଣାର କାହାଣୀ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ । ଅଭିଯୋଗ ଅନୁସାରେ, ବୃଦ୍ଧ ଜଣକ ସେହି ଗାଁର ଅନ୍ୟସାହିର କିଛି ବ୍ୟକ୍ତିମାନଙ୍କ ଠାରୁ ନିଜ ପତ୍ନୀଙ୍କ ଦେହ ଖରାପ ପାଇଁ ସୁଧ ଆକାରରେ ୧୦ ହଜାର ଟଙ୍କା ଆଣିଥିଲେ । ଆଉ ସୁଧ ବାବଦକୁ ତାଙ୍କୁ ମାସିକ ୨୦ ପ୍ରତିଶତ ତଥା ୨ ହଜାର ଟଙ୍କା ଦେବା ପାଇଁ ବାଧ୍ୟ କରିଥିଲେ । ୧୦ ହଜାର ଟଙ୍କା ବାବଦକୁ ସଂପୃକ୍ତ ବୃଦ୍ଧ ୨ ଲକ୍ଷ ଟଙ୍କା ଫେରାଇ ବି ସାରିଛନ୍ତି । କିନ୍ତୁ ସୁଧ ମୂଳ ହିସାବ କରି ଆହୁରି ଅଢେଇ ଲକ୍ଷ ଟଙ୍କା ଦେବାକୁ ପଡିବ ବୋଲି କହିଥିଲେ ସୁଧ ଦେଇଥିବା ଲୋକେ । ଆଉ ଟଙ୍କା ଦେବାକୁ ମନା କରିବାରୁ ଘରେ ପଶି ହାଣିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ସୁଧ କାରବାରକୁ ନେଇ ପଦ୍ମକେଶରୀପୁର ଅଂଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି । ଟିକିଏ ନଜର ପକାନ୍ତୁ, ବକେୟା ସୁଧ ଟଙ୍କା ଆଦାୟକୁ ନେଇ ବିଗତ ଦିନ ମାନଙ୍କରେ ଏହି ଲୋକ ମାନଙ୍କ ସହ କଣ ସବୁ ଘଟି ଯାଇଛି । ଏହି ବ୍ୟକ୍ତି ଜଣକ ୩୦ ହଜାର ଟଙ୍କା ସୁଧକୁ ଆଣିଥିଲେ । ୩ ବର୍ଷରେ ପ୍ରାୟ ୩ ଲକ୍ଷ ଫେରାଇ ଥିଲେ । କିନ୍ତୁ ସୁଧ ଦେଇଥିବା ଲୋକେ ତାଙ୍କୁ ୫ ଲକ୍ଷ ଦାବି କରିଥିବା ଅଭିଯୋଗ ହୋଇଛି । ଟଙ୍କା ନ ଦେଇପାରିବାରୁ ଭିଟା ମାଟିକୁ କବଜା କରି ନେଇଥିବା ଅଭିଯୋଗ ବି ଆସିଛି । ସେହିପରି ଆଉ ଜଣେ ମହିଳାଙ୍କ ପରିବାର ସୁଧ ଟଙ୍କା ଠିକ ସମୟରେ ନଦେବାରୁ ତାଙ୍କ ଜାଗାକୁ ଜବରଦଖଲ କରି, ସେହି ଯାଗାରେ ସୁଧ ଦେଇଥିବା ବ୍ୟକ୍ତି ଏକ ବିରାଟ ଅଟାଳିକା କରିଥିବା ଅଭିଯୋଗ ଆସିଛି । ସଂପୃକ୍ତ ବ୍ୟକ୍ତି ଏବେ ଫେରାର ଥିବା ବେଳେ, ସୁଧ କାରବାର କଥାକୁ ସ୍ୱୀକାର କରିଛନ୍ତି ତାଙ୍କ ବାପା ।

ରାଜଧାନୀର ଏହି ୨୦ ପ୍ରତିଶତ ସୁଧକାରବାର ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ବେଆଇନ ସୁଧ ବେପାରୀ ଏବେ ଫେରାର ଥିବା ବେଳେ ସାହି ଖାଁ ଖାଁ ହୋଇଛି ।