ବୋର୍ଡ ସଂପାଦକଙ୍କ କଡ଼ା ନିର୍ଦ୍ଦେଶ ! ପରୀକ୍ଷା କେନ୍ଦ୍ରରେ ପଶି ପାରିବେନି ସାମ୍ବାଦିକ ଓ ଅନ୍ୟ ସ୍କୁଲର ଶିକ୍ଷକ

66

କନକ ବ୍ୟୁରୋ: ମାଟ୍ରିକ ପରୀକ୍ଷା କେନ୍ଦ୍ରକୁ କେବଳ କେନ୍ଦ୍ର ଅଧୀକ୍ଷକଙ୍କ ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି ମୋବାଇଲ୍ ଫୋନ୍ ନେଇପାରିବେ ନାହିଁ । କୌଣସି ପରିସ୍ଥିତିରେ ଗଣମାଧ୍ୟମର ପ୍ରତିନିଧି ପରୀକ୍ଷା କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ ନାହିଁ । କେନ୍ଦ୍ରର ମୁଖ୍ୟ ଗେଟ୍ ନିକଟରେ ରହି ସେମାନେ ପରୀକ୍ଷା ସଂପର୍କିତ ତଥ୍ୟ ସଂଗ୍ରହ କରିବେ। ପରୀକ୍ଷାର୍ଥୀଙ୍କୁ ନେଇ ଆସୁଥିବା ଅନ୍ୟ ସ୍କୁଲର ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ବି ମୁଖ୍ୟ ଗେଟରେ ରହି ସେମାନଙ୍କ ଛାତ୍ରଛାତ୍ରୀଙ୍କୁ ଚିହ୍ନାଇବେ ଏବଂ ସେହିଠାରୁ ଫେରି ଯିବେ। ଏଭଳି କଡା ନିର୍ଦ୍ଦେଶନାମା ଜାରି କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ।

ବୋର୍ଡର ସଂପାଦକଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟକୁ ଏ ସଂପର୍କିତ ନିର୍ଦ୍ଦେଶନାମା ପଠାଯାଇଛି । ଏହି ନିର୍ଦ୍ଦେଶାନାମା ଖିଲାପ ହେଲେ ଅଥବା ପରୀକ୍ଷା ପରିଚାଳନାରେ କୌଣସି ପ୍ରକାର ବିଭ୍ରାଟ ଦେଖାଗଲେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବୋର୍ଡର ସଂପାଦକ ସ୍ପଷ୍ଟ କରିଛନ୍ତି । ବୋର୍ଡ ସଂପାଦକଙ୍କ ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବା ଉପରେ ପୂର୍ବରୁ କଟକଣା ଜାରି କରାଯାଇଥିଲେ ବି ତାହାକୁ ଠିକ ଢଙ୍ଗରେ ପାଳନ କରାଯାଉ ନଥିବା ଘଟଣା ସାମନାକୁ ଆସିଛି । ତେଣୁ ଆଗକୁ ଯେଭଳି ଏ କ୍ଷେତ୍ରରେ ତ୍ରୁଟି ଦେଖା ନଯାଏ, ସେ ଦିଗରେ କେନ୍ଦ୍ର ଅଧୀକ୍ଷକମାନେ ସତର୍କ ରହିବେ।

ସୂଚନାଯୋଗ୍ୟ ଯେ ଶୁକ୍ରବାର ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷାର ପ୍ରଥମ ଦିନରେ ପ୍ରଶ୍ନପତ୍ର ଲିକ୍ ହେବା ନେଇ ଚର୍ଚ୍ଚା ଜୋର୍ ଧରିଥିଲା । ହେଲେ ଏହାକୁ ବୋର୍ଡ ପକ୍ଷରୁ ଖଣ୍ଡନ କରାଯାଇଥିଲାବେଳେ କେନ୍ଦ୍ର ଭିତରୁ କେହି ଏହାକୁ ମୋବାଇଲରେ ଫଟୋ ଉଠାଇ ସୋସିଆଲ୍ ମିଡ଼ିଆରେ ଛାଡ଼ିଥିବା ସନ୍ଦେହ କରାଯାଇଥିଲା । ତେଣୁ ପ୍ରାଥମିକ ପର୍ଯ୍ୟାୟରେ ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ୍ ଫୋନ୍ ନିଆଯିବା ଉପରେ ପୂର୍ବରୁ ରହିଥିବା କଟକଣାକୁ କଡ଼ାକଡିଭାବେ ପାଳନ କରାଯିବାକୁ ବୋର୍ଡ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।