ଜେଲରୁ ମୁକୁଳିବା ପରେ ମେଡ଼ିକାଲରେ ପ୍ରସୂତିଙ୍କ ମୃତ୍ୟୁ । ୧୪ ଦିନ ପରେ ଜାମିନରେ ଆସିବା ପରେ ଶିଶୁପୁତ୍ର ଜନ୍ମଦେଇ ଆଖିବୁଜିଲା ମାଆ, ଶିଶୁପୁତ୍ର ଗୁରୁତର

91

କନକ ବ୍ୟୁରୋ: ପୋଲିସ ଯେମିତି ଲୋକଙ୍କ ଆସ୍ଥାଭାଜନ ହେବ, ଲୋକଙ୍କ ବିଶ୍ୱାସ ଜିିତିବ ସେଥିପାଇଁ ସରକାର ବିଭିନ୍ନ ଯୋଜନା କରୁଛନ୍ତି । ତଥାପି କେଉଁଠି ନା କେଉଁଠି ପୋଲିସର ବ୍ରିଟିଶ ଷ୍ଟାଇଲ, ଖାକିରେ ଦାଗ ଲଗାଉଥିବା ଅଭିଯୋଗ ହେଉଛି । ସେମିତି ଏକ ଅଭିଯୋଗ ଆସିଛି ରାୟଗଡା ବିଷମ କଟକରୁ । କାମ ପାଇଁ ଆନ୍ଦୋଳନ କରୁଥିବା କିଛି ମହିଳାଙ୍କୁ ଉଠାଇ ନେଇଥିଲା ପୋଲିସ । ସେମାନଙ୍କ ମଧ୍ୟରେ ଥିବା ଜଣେ ଗର୍ଭବତୀ ମହିଳାଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି । ଯାହାକୁ ନେଇ ତେଜିଛି ଅସନ୍ତୋଷ ।

  • ଆଖି ବୁଜିଲେ ଆନ୍ଦୋଳନକାରୀ ପ୍ରସୂତୀ
  • ନବ ଜାତକର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସଙ୍କଟାପନ୍ନ

କମ୍ପାନୀ ବିରୋଧରେ ନିଜ ହକ ପାଇଁ ଲଢେଇ କରୁଥିବା ସୁଲବତୀ ନାଏକଙ୍କ ଦୁଃଖଦ ଦେହାନ୍ତ ଅଞ୍ଚଳରେ ଉତ୍ତେଜନା ଖେଳାଇ ଦେଇଛି । ତାଙ୍କ ମୃତଦେହକୁ ଉକ୍ରଳ ଆଲୁମିନା କମ୍ପାନୀ ଆଗରେ ରଖି କ୍ଷତି ପୂରଣ ଦାବି କରିଛନ୍ତି ପରିବାର ଓ ଅଞ୍ଚଳବାସିନ୍ଦା । ସେପଟେ ରାୟଗଡା ଜିଲ୍ଲା ଅଣ୍ଡିରାକଞ୍ଚ ଗାଁରେ ଶୋକର ଛାୟା ଖେଳିଯାଇଛି ।

  • ଜେଲରୁ ଘରକୁ ଫେରିପାରିଲେନି
  • ହସ୍ପିଟାଲରୁ ଶ୍ମଶାନକୁ ଗଲା ମରଶରୀର

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଗାଁର ସୁଲବତୀ ତାଙ୍କ ଅଭାବୀ ପରିବାରକୁ ଦୁଃଖ ସାଗରରେ ଭସାଇ ଆରପାରିକୁ ଚାଲିଯାଇଛନ୍ତି । ମାଆ କଣ ଜାଣିବା ଆଗରୁ ମା ଛେଉଣ୍ଡ ହୋଇଯାଇଛି ନବଜାତକ ଶିଶୁ । କମ୍ପାନୀ ବିରୋଧରେ ହକ ପାଇଁ ଲଢେଇ କରି ଜେଲ ଯାଇଥିବା ସୁଲବତୀ, ଜେଲରୁ ବାହାରିବା ପରେ ପ୍ରସବ ବେଦନା ହେବାରୁ ରାୟଗଡା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଗଲା ଓ କୋରାପୁଟକୁ ସ୍ଥାନାନ୍ତର ସମୟରେ ସେ ଆଖି ବୁଜିଛନ୍ତି ।

ହକ ପାଇଁ ଲଢେଇ କରି ପ୍ରାଣ ହରାଇଛନ୍ତି ସୁଲବତୀ ନାଏକ । ଉତ୍କଳ ଆଲୁମିନା କମ୍ପାନୀରେ ଦୈନିକ କାମ ଦାବିରେ କ୍ଷତିଗ୍ରସ୍ତ ଅଣ୍ଡିରାକଞ୍ଚ ଗାଁର ମହିଳାମାନେ ଧାରଣା ଦେଇଥିଲେ । ଆଉ କମ୍ପାନୀର ହାତବାରିସୀ ସାଜି ପୁଲିସ ଧାରଣାରେ ବସିଥିବା ମହିଳାଙ୍କୁ ଗିରଫ କରିଥିବା ଅଭିଯୋଗ ହୋଇଛି ।

  • ଡିସେମ୍ବର ୨୬ରେ ଧାରଣରତ ୧୩ ମହିଳା ଗିରଫ ହୋଇଥିଲେ
  • ଧାରଣାରତ ପ୍ରସୂତି ଓ ନବଜାତକଙ୍କୁ ଛାଡିନଥିଲା ପୁଲିସ
  • ଗର୍ଭବତୀ ସୁଲବତୀଙ୍କୁ ମଧ୍ୟ ପୁଲିସ ଉଠାଇ ନେଇଥିଲା
  • ଗିରଫଙ୍କ ମଧ୍ୟରେ ଥିଲେ ୪ ପ୍ରସୂତି ଓ ୪ ନବଜାତକ
  • ଜାନୁଆରୀ ୧୦ରେ ଜେଲରୁ ସମସ୍ତେ ମୁକ୍ତ ହୋଇଥିଲେ

ଜେଲରେ ପ୍ରସୂତୀଙ୍କୁ ସଠିକ ଚିକିତ୍ସା ନମିଳିବାରୁ ସୁଲବତୀ ପ୍ରାଣ ହରାଇଥିବା ଅଭିଯୋଗ ହୋଇଛି । ପ୍ରଶ୍ନ ଉଠୁଛି ହକ ପାଇଁ ଲଢେଇ କରୁଥିବା ପ୍ରସୂତି ଓ ଗର୍ଭବତୀଙ୍କୁ ଗିରଫ କରି କେମିତି କୋର୍ଟଚାଲାଣ କଲା ପୁଲିସ?