ଜମ୍ମୁ କଶ୍ମୀର ଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ରଜୌରୀ ପହଁଚି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୃହମନ୍ତ୍ରୀ

85

କନକ ବ୍ୟୁରୋ : ଜମ୍ମୁ କଶ୍ମୀରଗସ୍ତରେ ଗୃହମନ୍ତ୍ରୀ ଅମିତ ଶାହା । ରଜୌରୀ ପହଁଚି ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଗୃହମନ୍ତ୍ରୀ । ବୈଠକରେ ଜମ୍ମୁକଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା, ସେନା ଓ ପୁଲିସର ବରିଷ୍ଠ ଅଧିକାରୀ , ତଦନ୍ତକାରୀ ସଂସ୍ଥା , ର ଏବଂ ଆଇବି ଅଧିକାରୀ ଉପସ୍ଥିତ ଥିଲେ । ବୈଠକରେ ବିଶେଷ କରି ଜମ୍ମୁକଶ୍ମୀର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା କରାଯାଇଛି । ଏଥିସହ ଯେଉଁଭଳି ଭାବରେ ଆତଙ୍କବାଦୀମାନେ ଏଠାରେ ଗୋଟେ ପରେ ଗୋଟେ ଟାର୍ଗେଟ କିଲିଂ କରୁଛନ୍ତି ଏହା ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି । ଏଥିସହ ଟାର୍ଗେଟ କିଲିଂର ଶିକାର ହୋଇଥିବା କଶ୍ମୀରପଣ୍ଡିତଙ୍କ ପରିବାକୁ ମଧ୍ୟ ଭେଟିଛନ୍ତି ଅମିତ ଶାହା ।

କିଛି ଦିନ ନିରବତା ପରେ କଶ୍ମୀର ଘାଟିରେ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଆତଙ୍କବାଦୀ । ଲଗାତାର ନୀରିହ ଲୋକଙ୍କ ବିଶେଷ କରି କଶ୍ମୀରପଣ୍ଡିତ ଓ ହିନ୍ଦୁଙ୍କୁ ଟାର୍ଗେଟ କରି ଟାର୍ଗେଟ କିଲିଂ କରୁଛନ୍ତି ଆତଙ୍କବାଦୀ । ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ ଦିଲ୍ଲୀ ଦରବାରରେ ଘନ ଘନ ବୈଠକ ବସୁଛି । ଗୃହମନ୍ତ୍ରୀଙ୍କ ଜମ୍ମୁକଶ୍ମୀର ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଟାର୍ଗେଟ କିଲିଂକୁ କିଭଳି ରୋକାଯିବ । ଏଠାରେ ରହୁଥିବା କଶ୍ମୀରପଣ୍ଡିତ ଓ ହିନ୍ଦୁମାନଙ୍କୁ କିଭଳି ସୁରକ୍ଷା ଦିଆଯିବ? ସୀମାରେ କିଭଳି ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ରୋକାଯିବ? ଏହା ଉପରେ ଆଜିର ବୈଠକରେ ଚର୍ଚ୍ଚା କରାଯାଇଛି । ସେପଟେ ବାରମ୍ବାର ଆକ୍ରମଣ ଶିକାର ହେଉଥିବା ହିନ୍ଦୁ ପରିବାର ରାସ୍ତାକୁ ଓହ୍ଲାଇ ଜମ୍ମୁକଶ୍ମୀର ସରକାର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି । ସୁରକ୍ଷା ଦାବି ପାଇଁ ଧାରଣା ଜାରି ରଖିଛନ୍ତି ।