ମୁଖ୍ୟମନ୍ତ୍ରୀଙ୍କ ସହ ମ୍ୟାଚ୍ ଦେଖିଲେ ଆତ୍ମସମର୍ପଣ କରିଥିବା ମାଓବାଦୀ ! ଲାଲବାହିନୀକୁ ନବୀନଙ୍କ ବାର୍ତ୍ତା , ହିଂସା ଛାଡ଼ ମିଳିବ ସମ୍ମାନ

64

କନକ ବ୍ୟୁରୋ : ମାଓବାଦୀ ମାନଙ୍କୁ ଆତ୍ମସମର୍ପଣ କରି ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ସବୁବେଳେ ରାଜ୍ୟ ସରକାର ଆହ୍ୱାନ କରୁଛନ୍ତି । ହିଂସାର ମାର୍ଗ ଛାଡ଼ି କିପରି ସମ୍ମାନ ସହ ଜୀବନ ବିତାଇବେ ସେ ନେଇ ସରକାର ସଦାସର୍ବଦା ପ୍ରୟାସ ହେଉଛି । ନୂଆ ଦୁନିଆ ବିଷୟରେ ଜାଣିବା, ପାଠି ପଢ଼ିବା, ସାଧାରଣ ଲୋକଙ୍କ ସହ ମିଶିବା ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାପାଇଁ ସରକାର ଓ ପୋଲିସ ସବୁବେଳେ ଚେଷ୍ଟାରତ ।

ତେବେ କେବଳ ଯେ ସରକାର ଏନେଇ ଚେଷ୍ଟା କରୁଛନ୍ତି ତା’ନୁହେଁ ଅନେକାଂଶରେ ସଫଳ ହୋଇଥିବା ମଧ୍ୟ ଦେଖାଯାଉଛି । କଳିଙ୍ଗ ଷ୍ଟାଡ଼ିୟମରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ୨ ବର୍ଷ ମଧ୍ୟରେ ଆତ୍ମସମର୍ପଣ କରିଥିବା ପ୍ରାୟ ୩୦ ମାଓବାଦୀଙ୍କୁ ମାଲକାନଗିରି ପୋଲିସ ହକି ମ୍ୟାଚ୍ ଦେଖିବାର ସୁଯୋଗ ଦେଇଥିଲେ । ଆଉ ମାଓବାଦୀମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ବସି ହକି ମ୍ୟାଚ୍ ଉପଭୋଗ କରିଥିଲେ ।

ଦିନ ଥିଲା ସେମାନେ ପୁଲିସର ନିଦ ହଜାଇ ଦେଉଥିଲେ। ଜଙ୍ଗଲ ମଧ୍ୟରେ ପୁଲିସ ଫୋର୍ସକୁ ଆମ୍ବୁସ କରି ଆଖି ବୁଜା ଗୁଳି ବର୍ଷଣ କରୁଥିଲେ। ଗଣ୍ଡା ଗଣ୍ଡା ପୁଲିସ ଗାଡିକୁ ଟିଫିନ୍ ବୋମା ଲଗାଇ ଉଡାଇ ଦେଇଥିଲେ । ଆତ୍ମସମର୍ପଣ ପରେ ସେମାନଙ୍କ ଭିତରେ ଆସିଛି ପରିବର୍ତ୍ତନ । ଆଖିରେ ଆଖିଏ ସ୍ବପ୍ନ । ହକି ମ୍ୟାଚ୍ ଦେଖି ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ହାତ ମିଳାଇଥିଲେ।

ତାଙ୍କ ପାଖରେ ବସି ବିଶ୍ବକପ୍ ହକି ଖେଳ ଉପଭୋଗ କରିଥିଲେ । ଚାକଚକ୍ୟ ଭରା ରାଜଧାନୀ ଓ ସମାଜର ସବୁ ବର୍ଗର ଲୋକଙ୍କ ନିକଟତର ହେବାକୁ ପର‌୍ୟ୍ୟାପ୍ତ ସୁଯୋଗ ମିଳିଥିଲା । ଅନ୍ୟପକ୍ଷରେ ପୁଲିସ ତାଙ୍କୁ ଘେରି ରହିଥିଲା । ପାଦେ ପାଦେ ଜଗିଥିଲା। ହେଲେ ଦମନ ପାଇଁ ନୁହେଁ। ସେମାନଙ୍କ ମଧ୍ୟରେ ଆତ୍ମବିଶ୍ବାସ ଫେରାଇ ଆଣିବା ପାଇଁ ।

ସମାଜର ମୁଖ୍ୟ ସ୍ରୋତକୁ ଫେରିବା ପାଇଁ ଗୋଡ଼ କାଢିଥିବା ପାଖାପାଖି ୩୦ ମାଓବାଦୀଙ୍କୁ ନେଇ ରାଜଧାନୀ କଳିଙ୍ଗ ଷ୍ଟାଡିୟମର ଦୃଶ୍ୟ ସମଗ୍ର ଭାରତବର୍ଷକୁ ଭିନ୍ନ ଏକ ବାର୍ତା ପ୍ରଦାନ କରିଛି । ବିଶ୍ବକପ୍ ହକି ଯେମିତି ଓଡ଼ିଶାକୁ ଭାରତ ବର୍ଷରେ ସ୍ବତନ୍ତ୍ର ପରିଚୟ ଦେଇଛି, ସବୁଦିନ ପାଇଁ ଉଦାହରଣ ହୋଇ ରହିବ । ଠିକ୍ ସେମିତି କଳିଙ୍ଗ ଷ୍ଟାଡିୟମର ଏହି ଘଟଣା ଆଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୋକ୍ଷରେ ସଙ୍କେତ ଦେଇଛନ୍ତି, ଥରେ ହିଂସା ମାର୍ଗ ଛାଡି ମୁଖ୍ୟ ସ୍ରୋତରେ ମାଓବାଦୀ ସାମିଲ ହେଲେ , ସମାଜ ଏମିତି ତାଙ୍କୁ ସମ୍ମାନ ଦେବ। ଦେଶରେ ମାଓମାଦୀଙ୍କ ଦୌରାତ୍ମ୍ୟ ବଢିଚାଲିଥିବା ବେଳେ ଓଡ଼ିଶାର ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।