ପିଲାଙ୍କ ଦେହରେ ହାତ ଦେଇପାରିବେନି ଅଭିଭାବକ, ଏନେଇ ବାପାମାଆଙ୍କୁ ଥାନାକୁ ଟାଣିପାରିବେ ସନ୍ତାନ । ଦୋଷୀ ସାବ୍ୟସ୍ତ ହେଲେ ହୋଇପାରେ ୧୦ ବର୍ଷ କାଳ ଜେଲ ଦଣ୍ଡାଦେଶ

736

ଭାରତୀୟ ସମ୍ବିଧାନରେ ପ୍ରତ୍ୟେକ ନାଗରିକଙ୍କୁ ୬ଟି ଅଧିକାର ପ୍ରଦାନ କରାଯାଇଛି । ଯେଉଁ ଅଧିକାର ବଳରେ ଦେଶର ପ୍ରତ୍ୟେକଟି ବ୍ୟକ୍ତିକୁ ସମାଜରେ ସମ୍ମାନର ସହ ବଂଚିବାର ପୂରା ସ୍ୱାଧିନତା ରହିଛି । ଆଜି ଆମେ ଆପଣଙ୍କୁ ଏଭଳି ହିଁ କିଛି ଅଧିକାର ସଂପର୍କରେ ଅବଗତ କରାଇବୁ, ଯାହା ଆପଣଙ୍କ କାମରେ ନିଶ୍ଚୟ ଆସିପାରେ । ତେବେ ଆସନ୍ତୁ ଜାଣିବା ..

ଶିଶୁ ଅଧିକାର

ଗର୍ଭରେ ବଢୁଥିବା ଶିଶୁର ଅଧିକାର

ଆମ ଦେଶରେ ଶିଶୁଙ୍କୁ ମାଆ ଗର୍ଭରୁ ହିଁ ସଂରକ୍ଷଣ ମିଳିଯାଇଥାଏ । ଭ୍ରୁଣ ହତ୍ୟା ଏବଂ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ ଉପରେ ରୋକ ଲଗାଇବା ପାଇଁ ୧୯୯୬ରେ ପିସିପିଏନଡିଟି ନିୟମ ପ୍ରଣୟନ କରାଯାଇଥିଲା । ଯାହା ଅନୁଯାୟୀ ଜନ୍ମ ପୂର୍ବରୁ ଲିଙ୍ଗ ନିରୂପଣ କରିବା ଏବଂ ଗର୍ଭପାତ  ଉପରେ ରୋକ୍ ଲଗାଯାଇଛି । ଏପରିକି ଏଭଳି କାମରେ ଲିପ୍ତ ଥିବା ଉଭୟ ଡାକ୍ତର କିମ୍ବା ଲ୍ୟାବ କର୍ମୀଙ୍କ ପାଇଁ ଦଣ୍ଡବିଧାନର ମଧ୍ୟ କଡା ଆଇନ ରହିଛି ।

ଶିକ୍ଷାଗତ ଅଧିକାର

ପିଲାଙ୍କୁ ବାଧ୍ୟତାମୂଳକ ଶିକ୍ଷା ଦେବା ଉଦ୍ଦେଶ୍ୟରେ ୧ ଏପ୍ରିଲ ୨୦୧୦ରେ କେନ୍ଦ୍ର ସରକାର ଶିକ୍ଷାଗତ ଅଧିକାର ଆଇନ୍ ପ୍ରସ୍ତୁତ କରିଛନ୍ତି । ସମ୍ବିଧାନର ଅନୁଚ୍ଛେଦ ୨୧ଏ ଅନୁଯାୟୀ ୬ ବର୍ଷରୁ ୧୪ ବର୍ଷ ବୟସର ପିଲାଙ୍କର ଶିକ୍ଷା ବାଧ୍ୟତାମୂଳକ ଅଟେ । ଏହି ନିୟମ ପ୍ରଣୟନ ହେବା ପରେ ପ୍ରତ୍ୟେକଟି ଶିଶୁ ପ୍ରାରମ୍ଭିକରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଏବଂ ବାଧ୍ୟତାମୂଳକ ରୂପରେ ପାଠପଢିବ । ତାଙ୍କୁ ନିଜ ଅଂଚଳରେ ଥିବା ଆଖପାଖ ବିଦ୍ୟାଳୟରେ ନାମଲେଖାଇବାର ପୂରା ଅଧିକାର ପ୍ରଦାନ କରାଯାଇଛି । ତେବେ ଏହି ଆଇନ ଅନୁସାରେ ସ୍କୁଲରୁ ପିଲାର ନାଁ କାଟିବା ଅପରାଧ ଭାବେ ବିବେଚନା କରାଯିବ ।

ଶିଶୁ ଶ୍ରମିକ ବିରୋଧରେ ସୁରକ୍ଷା

୨୬ ଜୁଲାଇ ୨୦୧୬, ଲୋକସଭା ଗୃହରେ ଶିଶୁ ଶ୍ରମିକ ନିଷେଧ ଏବଂ ବିନିୟମ ସଂଶୋଧନ ବିଧେୟକ ୨୦୧୬ ପାରିତ କରାଯାଇଥିଲା ।  ଯାହା ଅନୁଯାୟୀ ୧୪ ବର୍ଷରୁ କମ ବୟସର ପିଲାଙ୍କ ଦ୍ୱାରା ବ୍ୟବସାୟୀକ କିମ୍ବା ଶିଳ୍ପାଂଚଳରେ କାମ କରାଇବା ସଂଜେ୍ଞୟ ଅପରାଧ ଭାବେ ବିବେଚନା କରାଯିବ । ସେହିପରି ୧୪ରୁ ୧୬ ବର୍ଷ ବୟସର ପିଲାଙ୍କୁ କୌଣସି ବି ବିପଦଜ୍ଜନକ କାରଖାନା ବା ସ୍ଥାନରେ କାମ ନକରାଇବା ଉଚିତ । ଏଭଳି କରିବା ଦ୍ୱାରା ୩ ବର୍ଷ କାଳ ଜେଲଦଣ୍ଡାଦେଶ ସହ ଜରିମାନା ଦେବାର ବି ନିୟମ ରହିଛି ।

ନିର୍ଯାତନାରୁ ରକ୍ଷା ପାଇବାର ଅଧିକାର

ବାପା-ମାଆଙ୍କ ଦ୍ୱାରା କୌଣସି ବି ପ୍ରକାରର ନିର୍ଯାତନାର ଶିକାର ହେଉଥିବା ଶିଶୁ, ଜୁଭେନାଇଲ ଆଇନ ଅନୁଯାୟୀ ସେମାନଙ୍କ(ବାପାମାଆ)ଙ୍କ ବିରୋଧରେ ପୁଲିସ ନିକଟରେ ଅଭିଯୋଗ କରିପାରିବେ । ସେହିପରି ଅଭିଭାବକଙ୍କ ଦ୍ୱାରା ପ୍ରତାଡିତ ହେଉଥିବା ସମୟରେ ଯଦି କୌଣସି ଶିଶୁକୁ ଆଘାତ ଲାଗିଯାଏ ତେବେ ଆଇପିସି ଆକ୍ଟର ଧାରା ୩୨୩,୩୨୪ ଏବଂ ୩୨୬ ଅନୁଯାୟୀ ମାମଲା ରୁଜୁ ହେବ । ଜୁଭେନାଇଲ ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହେଲେ ବାପାମାଆଙ୍କୁ ୧୦ ବର୍ଷ କାଳ ଜେଲ ଦଣ୍ଡାଦେଶ ହୋଇପାରେ ।