ବାଣ କାରଖାନାରେ ଭୟାନକ ବିସ୍ଫୋରଣ, ଚାଲିଗଲା ୭ଜଣଙ୍କ ଜୀବନ

290

କନକ ବ୍ୟୁରୋ : ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଏଗରା ଠାରେ ମଙ୍ଗଳବାର ଦିନ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୭ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି । ପୋଲିସର ସୂଚନା ମୁତାବକ ଏହା ଏକ ବେଆଇନ ବାଣ କାରଖାନା ଥିଲା । ସେପଟେ ପଶ୍ଚିମବଙ୍ଗ ବିଜେପି ଅଧ୍ୟକ୍ଷ ଏହି ମାମଲାରେ ଏଏନଆଇ ଯାଂଚ କରିବାକୁ ଦାବି କରିଛନ୍ତି ।

ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଏହି ବିସ୍ଫୋରଣ ଏକ କୋଠା ଘର ଭିତରେ ହୋଇଛି । ଏଠାରେ ବେଆଇନ ଭାବେ ବାଣ ତିଆରି କାରଖାନା ଚାଲୁଥିଲା । ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଗତମାସ ଏହି ବାଣ କାରଖାନା ଉପରେ ଚଢାଉ କରାଯାଇ ମାଲିକ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ହେଲେ କାର୍ଯ୍ୟାନୁଷ୍ଠାନ ପରେ ବି ସେଠାରେ ବାଣ ତିଆରି କରାଯାଉଥିଲା ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହି ମାମଲାରେ ସିଆଇଡି ଯାଂଚ ପାଇଁ ଆଦେଶ ଦେଇଛନ୍ତି । ଅଭିଯୁକ୍ତ ବାଣ କାରଖାନାର ମାଲିକକୁ ଗତମାସ ଗିରଫ କରାଯାଇଥିଲା । ହେଲେ ସେ ଏବେ ଜାମିନରେ ଆସି ପୁଣି ବେଆଇନ ଭାବେ ବାଣ ପ୍ରସ୍ତୁତ କରୁଥିଲେ ।