କରୋନା ନିୟମ ମାନି ଭାରତ ଯୋଡ ଯାତ୍ରା କରିବାକୁ କଂଗ୍ରେସକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଚିଠି । ନିୟମ ନମାନିଲେ ଯାତ୍ରା ବାତିଲ କରିବାକୁ କହିଲେ ମନସୁଖ ମାଣ୍ଡଭ୍ୟ

60

କନକ ବ୍ୟୁରୋ: କରୋନା ମୁକାବିଲା ପାଇଁ ଅଣ୍ଟା ଭିଡିଲେଣି କେନ୍ଦ୍ର ସରକାର । ଏହା ଭିତରେ କଂଗ୍ରେସର ଭାରତ ଯୋଡ ଯାତ୍ରାକୁ ନେଇ ଚିନ୍ତା ପ୍ରକାଶ କରିବା ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଏକ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କରୋନା ନିୟମ ମାନ, ନଚେତ ବନ୍ଦ କର ଭାରତ ଯୋଡ ଯାତ୍ରା ବୋଲି କଂଗ୍ରେସ ସାଂସଦଙ୍କୁ ଚିଠି ଲେଖି ଅପିଲ କରିଛନ୍ତିି ସ୍ୱାସ୍ଥ୍ୟମନ୍ତ୍ରୀ । ଚିଠିରେ ଲେଖାଯାଇଛି ଯେ ଚୀନରେ ଦ୍ରୁତ ଗତିରେ କୋଭିଡ ସଂକ୍ରମଣ ବଢୁଛି । ଏଭଳି ପରିସ୍ଥିିରେ ସଜାଗ ରହିବା ଜରୁରୀ । ଯାତ୍ରା ସମୟରେ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଜୋର ଦିଆଯାଇଛି ।

ଟିକା ନେଇଥିବା ଲୋକମାନେ ଯାତ୍ରାରେ ଭାଗ ନିଅନ୍ତୁ । ଯାତ୍ରାରେ ସାମିଲ ହେବା ପରେ ଲୋକଙ୍କୁ ଆଇସୋଲେଟ ରଖାଯ।।ଉ । ନିୟମ ନମାନିଲେ ଯାତ୍ରାକୁ ବାତିଲ କରାଯାଉ । ଅନ୍ୟପଟେ କଂଗ୍ରେସ କହିଛି ଭାରତ ଯୋଡ ଯାତ୍ରାର ଲୋକପ୍ରିୟତାକୁ ଦେଖି ବିଜେପି ବିଚଳିତ ହୋଇପଡିଛି । ତେଣୁ କରୋନା ବାହାନା କରି ଯାତ୍ରାକୁ ଅଧାରରୁ ବନ୍ଦ କରିବା ପାଇଁ ଯୋଜନା କରୁଛି । ଗୁଜରାଟ ଓ ହିମାଚଳ ନିର୍ବାଚନ ସମୟରେ କଟକଣା କଣ ପାଇଁ ଲଗାଯାଇନଥିଲା । ଯଦି ରାହୁଲ ଗାନ୍ଧୀଙ୍କ ଯାତ୍ରାକୁ ରୋକିବା ପାଇଁ ଚିଠି ଲେଖାଯାଉଛି ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ମଧ୍ୟ ସମାନ କଟକଣା ଲାଗୁ କରାଯାଉ ବୋଲି କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।