ଓଡିଶାରେ କରୋନା ଭୟ । ଆତଙ୍କ ସୃଷ୍ଟି କରିଥିବା ଓମିକ୍ରନର ସବଭ୍ୟାରିଆଣ୍ଟରେ ଖୋର୍ଦ୍ଧାର ଜଣେ ମହିଳା ବିଏଫ-୭ ପ୍ରଜାତିରେ ଆକ୍ରାନ୍ତ, ସତର୍କ ହେଲା ରାଜ୍ୟ ।

131

କନକ ବ୍ୟୁରୋ: ଚୀନରେ କରୋନା ତାଣ୍ଡବ ରଚିଥିବା ଭୂତାଣୁ ପହଂଚିଛି ଭାରତରେ, ଆଉ ଏହି ଭୂତାଣୁ ଓଡ଼ିଶାରେ ଚିହ୍ନଟ ହୋଇଛି । ଏହି ଭାରିଏଣ୍ଟର ନାଁ ରହିଛି ବିଏଫ-ସେଭେନ୍ । ଓଡ଼ିଶାରେ ଗୋଟିଏ ଚିହ୍ନଟ ହୋଇଥିବା ବେଳେ ଗୁଜରାଟରେ ଏହି ଭୂତାଣୁର ୨ଟି କେସ୍ ଚିହ୍ନଟ ହୋଇଛି । ଏହି ନୂଆ ଭୂତାଣୁ ଚିହ୍ନଟ ପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସତର୍କ ହୋଇପଡ଼ିଛନ୍ତି । କରୋନା ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି ।

ଚୀନରେ କରୋନା ସଂକ୍ରମଣର ପ୍ରମୁଖ କାରଣ ପାଲଟିଥିବା ଓମିକ୍ରନ ଭୂତାଣୁର ଏକ ସବ୍ ଭାରିଆଣ୍ଟ ବିଏଫ-୭ ଓଡିଶାରେ ଚିହ୍ନଟ ହୋଇଛି । ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ମହିଳାଙ୍କର ସେପ୍ଟେମ୍ବର ୩୦ ତାରିଖରେ ସାମ୍ପଲ ଟେଷ୍ଟ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ଜିନମ୍ ସିକ୍ୱେନ୍ସ କରାଯାଇଥିଲା । ଜିନମ ସିକ୍ୟୁଏନ୍ସିଂ ପରେ ବିଏଫ୍-୭ ଭାରିଆଂଟ ଚିହ୍ନଟ ହୋଇଥିଲା । ଟେଷ୍ଟିଂ ପରେ ମହିଳାଙ୍କ ଠାରେ କୌଣସି ଲକ୍ଷଣ ଦେଖା ଦେଇନଥିଲା । ସେବେଠାରୁ ରାଜ୍ୟରେ ଆଉ କୌଣସି ବିଏଫ୍-୭ ଭାରିଆଂଟ ଚିହ୍ନଟ ହୋଇନଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ସେପଟେ ବିଦେଶରେ ସଂକ୍ରମଣ ବୃଦ୍ଧି ପରେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ସଜାଗ ହୋଇଛି । ସର୍ଭିଲାନ୍ସ ସହ ଜିନମ ସିକ୍ୟୁଏନ୍ସିଂ ବଢ଼ାଇବାକୁ ସ୍ୱାସ୍ଥ୍ୟ ସଚିବ ସବୁ ଜିଲ୍ଲାପାଳ, ସରକାରୀ ମେଡିକାଲ କଲେଜ ଡିନ୍ ଓ ଅଧୀକ୍ଷକଙ୍କୁ ଚିଠି ଲେଖିଛନ୍ତି । ଏହାସହ ଟେଷ୍ଟିଂ, ଟ୍ରାକିଂ, ଟ୍ରିଟିଂ, କଂଟାକ୍ଟ ଟ୍ରେସିଂ ସହ ଟିକାକରଣକୁ ଗୁରୁତ୍ୱ ଦେବାକୁ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।