ବଢିଲା ମନୀଷ ସିସୋଦିଆଙ୍କ ଅଡୁଆ । ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବଢିଲା ନ୍ୟାୟିକ ହେପାଜତ ।

140

କନକ ବ୍ୟୁରୋ: ବଢିଲା ମନୀଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଗିରଫ ହୋଇଥିବା ଆପ୍ ନେତା ମନୀଷ ସିସୋଦିଆଙ୍କ ନ୍ୟାୟିକ ହେପାଜତକୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କୋର୍ଟ । ସୋମବାର ଦିଲ୍ଲୀର ରାଉଜ୍ ଏଭିନ୍ୟୁ କୋର୍ଟ ମନୀଷ ସିସୋଦିଆଙ୍କୁ ଏପ୍ରିଲ ୨୭ ତାରିଖ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଇଡିର ସୂଚନା ମୁତାବକ, ଚଳିତ ମାସ ଶେଷ ସୁଦ୍ଧା ଏହି ମାମଲାରେ ଚାର୍ଜସିଟ୍ ଦାଖଲ ହେବ ।

ଦିଲ୍ଲୀର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କର ଆଜି ନ୍ୟାୟିକ ହେପାଜତ ଶେଷ ହେଉଥିଲା । ଏହାପରେ ତାଙ୍କୁ ଆଜି ପୁଣିଥରେ କୋର୍ଟରେ ହାଜର କରାଯାଇଥିଲା । ଯେଉଁଠି କୋର୍ଟ ତାଙ୍କ ନ୍ୟାୟିକ ହେପାଜତର ତାରିଖ ବୃଦ୍ଧି କରିଛନ୍ତି । ସୂଚନାଯୋଗ୍ୟ ଯେ, ମନୀଷ ସିସୋଦିଆଙ୍କୁ ସିବିଆଇ ଫେବ୍ରୁଆରୀ ୨୬ ତାରିଖରେ ହେପାଜତକୁ ନେଇଥିଲା । ଏହାପରେ ଇଡି ଏବେ ଏହି ମାମଲାରେ ଛାନଭିନ୍ ଜାରି ରଖିଛି ।

ଜାଣିରଖିବା ଉଚିତ୍ ଯେ, ଗତକାଲି ସିବିଆଇ କେଜ୍ରିୱାଲଙ୍କୁ ମଧ୍ୟ ୯ଘଣ୍ଟା ଧରି ପଚରାଉଚୁରା କରିଛି । କେଜ୍ରିୱାଲ ନିଜେ କହିଛନ୍ତି ଯେ, ସିବିଆଇ ତାଙ୍କୁ ମୋଟ ୫୬ଟି ପ୍ରଶ୍ନ ପଚାରିଥିଲା । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସେ ସମସ୍ତ ଛୋଟ ବଡ ପ୍ରଶ୍ନର ଉତ୍ତର ଦେଇଥିବା କଥା ସୂଚନା ଦେଇଛନ୍ତି ।