ପୁରୁଣା ଭୁଲ ସଜା ହୋଇ ଫେରିଲା ନିଜ ପାଖକୁ। ୨୦ ବର୍ଷ ସଜା ପାଇଥିବା ସ୍ୱାମୀଙ୍କୁ ମୁକୁଳାଇବା ପାଇଁ ମାଣିକ କରୁଛନ୍ତି ଗୁହାରି।

140

କନକ ବ୍ୟୁରୋ: ପୁରୁଣା ଭୁଲ ଯେତେବେଳେ ସଜା ହୋଇ ନିଜ ପାଖକୁ ଫେରେ, ସେତେବେଳେ ଅନିଶ୍ଚିତତାର ଅପେକ୍ଷା କରିବାକୁ ପଡ଼େ । କୋହ ଚାପି ସ୍ୱାମୀର ବାଟକୁ ଚାହିଁ ରହିଥିବା ସ୍ତ୍ରୀ ଏବଂ ମା’ ଆଖିରୁ ଲୁହ ଝରୁଥାଏ । ଅନୁଗୁଳରେ ଘଟିଛି ଏମିତି ଏକ ଘଟଣା, ଯେଉଁଠି ଜଣେ ସ୍ୱାମୀଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଶୁଣିବାକୁ ପଡ଼ିଛି । ପୁରା କାହାଣୀଟି ଠିକ୍ ଏମିତି । ଅନୁଗୋଳ ବଅଁରପାଳ ଅଞ୍ଚଳର ଗୋବର୍ଦ୍ଦନ ନାଏକ, ମାଣିକ ନାୟକଙ୍କୁ ଭଲ ପାଉଥିଲେ । ହେଲେ ବିବାହ କରିବାକୁ ମନା କରିଦେବାରୁ, ଘର ଲୋକ ଏବଂ ସମ୍ପର୍କୀୟଙ୍କ ପ୍ରରୋଚନାରରେ ଗୋବର୍ଦ୍ଧନଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଆଉ ଏହି ମାମଲାରେ ଗୋବର୍ଦ୍ଧନଙ୍କୁ ୮ ମାସର ଜେଲ୍ ଯିବାକୁ ପଡ଼ିଥିଲା । ପରବର୍ତୀ ସମୟରେ ବୁଝାମଣା ପରେ ଉଭୟେ ବାହା ହୋଇଥିଲେ । କିନ୍ତୁ ପୁରୁଣା ମାମଲା ସେମିତି ଗଡ଼ିଚାଲିଥିଲା । ଆଉ ଯେତେବେଳେ ପୁରୁଣା ମାମଲାର ଶୁଶାଣି ହୋଇଛି, ଗୋବର୍ଦ୍ଧନଙ୍କୁ ୨୦ ବର୍ଷର ସଜା ଶୁଣାଇଛନ୍ତି କୋର୍ଟ ।

ଘଟଣା ପଛର କାହାଣୀ ଯେତିକି ରୋଚକ ସେତିକି ଦୁଃଖ ଦାୟକ । ମାଣିକ, ବାପା-ମା ଛେଉଣ୍ଡ ଥିବାରୁ ମାମୁଁ ଘରେ ରହୁଥିଲେ । ନାବାଳିକା ଥିବାବେଳେ ଗାଁର ଗୋବର୍ଦ୍ଧନଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ତେବେ ବିବାହ କରିବାକୁ ମନା କରିଦେବା ପରେ ମାଣିକଙ୍କ ମାମୁଁ ୨୦୨୧ ଜାନୁଆରୀ ୧ ତାରିଖରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଗୋବର୍ଦ୍ଧନଙ୍କୁ ଗିରଫ କରିଥିଲା । ଆଉ ପୁଲିସ ତାଙ୍କ ବିରୁଦ୍ଧରେ ପୋକସୋ ଆଇନ ଧାରା (୬) ଲଗାଇ କୋର୍ଟ ଚାଲାଣ କରିଥିଲା । ପରେ ଅଗଷ୍ଟ ମାସରେ ଗୋବର୍ଦ୍ଧନଙ୍କୁ ଜାମିନ ମିଳିଥିଲା । ଆଉ ମନ ପରିବର୍ତନ ହେବାରୁ ଗୋବର୍ଦ୍ଧନ, ମାଣିକଙ୍କୁ ବିବାହ କରିବାକୁ ନିଷ୍ପତି ନେଇଥିଲେ । ଏବେ ମାଣିକ ଗର୍ଭବତୀ ଅଛନ୍ତି, କିନ୍ତୁ ଅତୀତରେ ବୁଣିଥିବା ଜାଲରେ ଏବେ ନିଜେ ଫଶିଯାଇଛନ୍ତି ।

ନାବାଳିକାରୁ ସାବାଳିକା ହୋଇଥିଲେ ମାଣିକ । ଉଭୟଙ୍କ ନିଷ୍ପତି ଅନୁସାରେ ପ୍ରଥମେ ମନ୍ଦିରରେ ବିବାହ କରି ପରେ ରେଜେଷ୍ଟ୍ରି ବିବାହ କରିଥିଲେ । ସେହି ଦିନରୁ ଉଭୟେ ବେଶ ହସ ଖୁସିରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ । ହେଲେ ସେମାନଙ୍କର ଏହି ଖୁସି ବେଶି ଦିନ ନଥିଲା । ଯେହେତୁ ଗୋବର୍ଦ୍ଧନଙ୍କ ବିରୁଦ୍ଧରେ ପୋକସୋ ଆଇନ ବଳରେ ମୋକଦ୍ଦମା ଚାଲିଥିଲା ତେଣୁ ଅନୁଗୁଳର ଫାଷ୍ଟଟ୍ରାକ କୋର୍ଟ ଗତ ୩୧ତାରିଖ ଏହାର ଶୁଣାଣି କରିଥିଲେ । ୨୩ଜଣ ସାକ୍ଷୀ ଓ ପାରିପାର୍ଶ୍ୱିକ ସ୍ଥିତି ଆଧାରରେ ଗୋବର୍ଦ୍ଧନଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ଆଇନକାନୁନର ଅପବ୍ୟବହାର ଏବଂ ମିଛ ଅଭିଯୋଗ କେମିତି ଗୋଟିଏ ପରିବାରକୁ ହରଡ଼ଘଣାରେ ପକାଇଦିଏ, ଅନୁଗୁଳ ବଅଁରପାଳର ଏହି ଘଟଣା ପ୍ରମାଣିତ କରୁଛି ।