ପଞ୍ଚୁକ ଓ ବଡଓଷାରେ ଭର୍ଚ୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ। ଝୁଲାପୋଲ ସ୍ଥିତି ଅନୁଧ୍ୟାନ ପରେ କଟକ ଜିଲ୍ଲାପାଳଙ୍କ ନିଷ୍ପତି।

128

କନକ ବ୍ୟୁରୋ: ଏଣିକି ଧବଳେଶ୍ୱରରେ ଭର୍ଚ୍ଚୁଆଲରେ ହେବ ଭୋଳାଙ୍କ ଦର୍ଶନ । ଧବଳେଶ୍ୱରରେ ପଞ୍ଚୁକ ଓ ବଡ ଓଷା ପ୍ରସ୍ତୁତି ତଦାରଖ କରିବା ପରେ ଏହି ନିର୍ଦ୍ଦେଶ ଜାରି କରିଛନ୍ତି କଟକ ଜିଲ୍ଲାପାଳ । ଝୁଲାପୋଲର ସ୍ଥିତି ଅନୁଧ୍ୟାନ କରିବା ସହ ମନ୍ଦିର ପରିଦର୍ଶନ କରିଥିଲେ କଟକ ଜିଲ୍ଲାପାଳ । ଝୁଲାପୋଲ ଦୁର୍ବଳ ଥିବାରୁ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି । ଏଥିସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି କରାଯାଇଛି । ବଡଓଷାରେ ଧବଳେଶ୍ୱର ପୀଠରେ ପ୍ରବଳ ଭିଡ ହୋଇଥାଏ । ଏହି ସମୟରେ ମହାନଦୀ ଉପରେ ପ୍ରବଳ ଭିଡ ଜମିବାର ସମ୍ଭାବନା ଅଛି । ତେବେ କୌଣସି ଅଘଟଣକୁ ରୋକିବା ପାଇଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଛି । ଝୁଲାପୋଲ ପାଖରେ ଧବଳେଶ୍ୱରଙ୍କ ଅସ୍ଥାୟୀ ପ୍ରତିମା କରାଯିବା ସହ ଏଲଇଡି ମାଧ୍ୟମରେ ମନ୍ଦିରର ସମସ୍ତ ପୂଜାର୍ଚ୍ଚନା ଦେଖିବେ ଭକ୍ତ । ଦୋକାନବଜାର ବି ଖୋଲିବ । ତେବେ ଠାକୁରଙ୍କ ନୀତିକାନ୍ତିରେ କୌଣସି ପରିବର୍ତନ ହେବ ନାହିଁ ।

ତେବେ ପ୍ରଶାସନର ହଠାତ ନିଷ୍ପତିକୁ ବିରୋଧ କରିଛିି ଧବେଶ୍ୱର ପୂଜକ ସମିତି । ବଡଓଷା ହେଉଛି ଧବଳେଶ୍ୱର ପୀଠର ସବୁଠାରୁ ବଡ ପୂଜା । ଏହି ପୂଜାକୁ ସମସ୍ତେ ପ୍ରତିବର୍ଷ ଆଗ୍ରହର ସହ ଅପେକ୍ଷା କରିଥାନ୍ତି । କିନ୍ତୁ ସିଧାଦର୍ଶନ ବନ୍ଦ କରି ଭର୍ଚୁଆଲ ଦର୍ଶନକୁ ଗ୍ରହଣ କରିପାରନ୍ତି ନାହାନ୍ତି ପୂଜକ ସମିତି । ସେମାନେ ପ୍ରଶାସନର ନିଷ୍ପତିକୁ ଅସହ ଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଧବଳେଶ୍ୱରର ଝୁଲା ପୋଲ ଦୁର୍ବଳ ହୋଇପଡିଛି । ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ବିଶେଷଜ୍ଞ ଟିମ୍ ଯାଞ୍ଚକରିଛନ୍ତି । କିନ୍ତୁ ଗୁଜରାଟ ଝୁଲାପୋଲ ଛିଡିବା ପରେ ହଠାତ ଧବଳେଶ୍ୱର ଝୁଲାପୋଲ ବନ୍ଦ କରିବା ନିଷ୍ପତିକୁ ଅନେକ ଗ୍ରହଣ କରିପାରୁନାହନ୍ତି ।