ଭୁବନେଶ୍ୱର ଭିତରେ ପଶିଯିବା ପରେ ହାତୀ ଖୋଜୁଛି ଘର ଠିକଣା। ଟ୍ରାଙ୍ଗୁଲାଇଜ୍ ହାତୀକୁ ଧରି ଏଜାଗାରୁ ସେ ଜାଗା ହେଲା ବନ ବିଭାଗ।

95

କନକ ବ୍ୟୁରୋ: ହାତୀର ଘର କେଉଁଠି? ଦନ୍ତା ଖୋଜୁଛି ନିଜ ଠିକଣା । ଅଧରାତିରେ ରାଜଧାନୀର ଛାତି ଉପରେ ଦନ୍ତାହାତୀ ବୁଲିବାର ଦୃଶ୍ୟ ସାମ୍ନାକୁ ଆସିଥିଲା । ଖୋର୍ଦ୍ଧାରୁ ଡେଲାଙ୍ଗ, ପିପିଲି ଓ ଧଉଳି ଦେଇ ଦେଇ ଅଧରାତିରେ ରାଜଧାନୀ ଭିତରକୁ ପସିଆସିଛି ଦନ୍ତାହାତୀ । ଆଉ ହାତୀକୁ ଧରିବାକୁ ନାକଦେମ ହୋଇଥିଲା ବନ ବିଭାଗ ।

ଦନ୍ତାହାତୀ ଧଉଳି ନିକଟରୁ ସାମନ୍ତରାପୁର ଦେଇ ଲିଙ୍ଗରାଜ ମନ୍ଦିର ଯାଏଁ ଆସିଥିଲା । ବନବିଭାଗ ହାତୀକୁ ଘଉଢାଇବାକୁ ଉଦ୍ୟମ କରିଥିଲା ଆଉ ହାତୀ ବୁଲିବା ଦେଖି ସମସ୍ତଙ୍କ ମନରେ ଛନକା ପଶିଥିଲା । ଏହାପରେ ଏହି ବଣୁଆ ହାତୀ ଭୀମଟାଙ୍ଗି ଅଞ୍ଚଳରେ ବି ଘୁରିବୁଲିଥିଲା । ଆଉ ରାତି ଅଧରେ ହାତୀକୁ ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ପରେ ପୋଖରୀପୁଟ ଦେଇ ପାତ୍ରପଡାକୁ ଚାଲିଯାଇଥିଲା ।

ପରେ ସେ ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ଘୁରିବୁଲିଥିଲା । ଆଉ ହାତୀ ପଛେ ପଛେ ଦୌଡିଥିଲା ବନବିଭାଗ । ରାତି ସାରା ସହରର ବିଭିନ୍ନ ଅଂଚଳ ବୁଲିବା ପରେ ପୋଖରୀପୁଟ ଦେଇ ପାତ୍ରପଡାରେ ପହଞ୍ଚିଥିଲା ହାତୀ । ଆଉ ଏଠାରେ ହାତୀକୁ କାବୁ କରିଥିଲା ବନବିଭାଗ । ଏଥିପାଇଁ ବନବିଭାଗ କର୍ମଚାରୀଙ୍କୁ ନାକେଦମ ହେବାକୁ ପଡିଥିଲା । ହାତୀକୁ ଟ୍ରାଙ୍କୁଲାଇଜର ଦିଆଯାଇଥିଲ । ଏଥିରେ ଚନ୍ଦକା, ଖୋର୍ଧାର ବନ କର୍ମଚାରୀ ଓ ନନ୍ଦନକାନନ ବିଶେଷ ନିୟୋଜିତ ହୋଇଥିଲେ ।

ହାତୀ ପ୍ରଥମେ ଖୋର୍ଧାର ରାମେଶ୍ୱର ବନାଞ୍ଚଳ, ପରେ ଡେଲାଙ୍ଗ, ପିପିଲି, ଧଉଳି, ସାମନ୍ତରାପୁର, ଲିଙ୍ଗରାଜ ମନ୍ଦିର ଦେଇ, ଭୀମଟାଙ୍ଗୀ, ପୋଖରୀପୁଟ ଓ ପାତ୍ରପଡାରେ ପହଞ୍ଚିଛି । ସାଧାରଣତଃ ଦିନରେ ହାତୀମାନେ ବୁଲନ୍ତି ନାହିଁ । ତେଣୁ ରାତିରେ ହାତୀ ଏହି ସବୁ ସ୍ଥାନ ଯାଇଛି । ସବୁଠାରୁ ବଡ କଥା କଥାହେଲା, ଟ୍ରାଙ୍କୁଲାଇଜ ହାତୀକୁ ଧରି ବନବିଭାଗ ନାକେଦମ ହୋଇଛି । ହାତୀକୁ ଜଙ୍ଗଲକୁ ଛାଡିବାକୁ ନେଲା ବେଳେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଛନ୍ତି । ରଣପୁର ବନଖଣ୍ଡ ଅଧୀନ ପଟିଆ ଜଙ୍ଗଲରେ ହାତୀକୁ ଛଡାଯାଇଥାନ୍ତା । ହେଲେ ବନ ବିଭାଗ ହାଇୱାରେ ହାତୀକୁ ନେବାବେଳେ ସ୍ଥାନୀୟ ଅର୍ଜୁନପୁର ଲୋକେ ପ୍ରବଳ ବିରୋଧ କରିଛନ୍ତି । ଗାଁ ଲୋକେ ନିଜ ଗାଁ ନିକଟ ଜଙ୍ଗଲରେ ହାତୀକୁ ଛାଡିବାକୁ ବିରୋଧ କରିଛନ୍ତି । ଏହାପରେ ନାଲ ସିଂ ଜଙ୍ଗଲରୁ ହାତୀକୁ ଛାଡିବାକୁ ଯୋଜନା କଲାଯାଇଥିଲା । ଏଠାରେ ମଧ୍ୟ ଲୋକେ ବିରୋଧ କରିଥିଲେ । ଫଳରେ ହାତୀକୁ ଧରି ଫେରିଆସିବାକୁ ବାଧ୍ୟ ହୋଇଛି ବନବିଭାଗ ।

ବନବିଭାଗର ନିୟମ ଅନୁସାରେ, ବନ୍ୟଜନ୍ତୁ ଯେଉଁ ଅଞ୍ଚଳରୁ ସହରମୁହାଁ ହୋଇଥିଲେ ତାକୁ ସେହି ଅଞ୍ଚଳରେ ଛଡାଯିବା କଥା । ତେଣୁ ବନବିଭାଗ ଖୋର୍ଧା ବନଖଣ୍ଡରେ ହାତୀକୁ ଛାଡିବା ପାଇଁ ଯୋଜନା କରିଥିଲେ । କିଛି ଦିନ ତଳେ କଟକ ଜଗତପୁର ଅଞ୍ଚଳରେ ମଧ୍ୟ ଏକ ହାତୀ ଜନବସତି ଭିତରେ ପଶି ଏକାଧିକ ଲୋକଙ୍କୁ ମାରିଥିଲା । ତେବେ କାହିଁକି ହାତୀ ବାରମ୍ବାର ଜନବସତି ମୁହାଁ ହେଉଛନ୍ତି ଓ ଏହାକୁ କେମିତି ରୋକିହେବ ତାହାଏବେ ବିତର୍କର ବିଷୟ ପାଲଟିଛି ।