କନକ ବ୍ୟୁରୋ: ଚଣ୍ଡୀଦେବୀଙ୍କ ପ୍ରତି ମାନସିକଧାରୀ ଓ ଅଞ୍ଚଳବାସୀଙ୍କ ପ୍ରଗାଢ ବିଶ୍ୱାସ ଓ ଭକ୍ତି ତଥା ମହାମାରୀ ସମୟରେ ପ୍ରଭାବିତ ଲୋକମାନଙ୍କ ପାଇଁ ପ୍ରାର୍ଥନା ସମଗ୍ର ଅଞ୍ଚଳରେ ଏକ ଦୈବୀ ପରିବେଶ ସୃଷ୍ଟି କରିଛି।ମାନସିକ ପୂରଣ ଠାରୁ ପୌରାଣିକ ଲୋକକଥା ଶ୍ରଦ୍ଧାଳୁଙ୍କୁ ଟାଣିଆଣେ ଦୁଇ ଜିଲ୍ଲାର ସୀମାନ୍ତବର୍ତ୍ତୀ ଏହି ସ୍ଥାନକୁ।
Kanak News is now on WhatsApp
Join and get latest news updates delivered to you via WhatsApp
ଦୈବୀଶକ୍ତି ଆଗରେ ପରାଜିତ ମାନବ ସମାଜ। ମା’ଚଣ୍ଡୀଙ୍କୁ ଶାନ୍ତ କରିବା ପାଇଁ ମୁଣ୍ଡ ବଦଳରେ ମଣ୍ଡା ପିଠା ଦେଇଥାନ୍ତି ଶ୍ରଦ୍ଧାଳୁ। କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । କେନ୍ଦ୍ରାପଡା ଜିଲ୍ଲା ଇନ୍ଦୁପୁରର ଅଧିଷ୍ଠାତ୍ରୀ ଚଣ୍ଡଦେବୀଙ୍କ ପାଖରେ ମଣ୍ଡାପୀଠା ଭୋଗ କରିଥାନ୍ତି ଶ୍ରଦ୍ଧାଳୁ । ପ୍ରତିବର୍ଷ ବୈଶାଖ ମାସ ଆରମ୍ଭ ଅର୍ଥାତ ପଣା ସଂକ୍ରାନ୍ତି ଠାରୁ ଜ୍ୟୋଷ୍ଠ ମାସ ସଂକ୍ରାନ୍ତି ମଧ୍ୟରେ ପଡୁଥିବା ସମସ୍ତ ଗୁରୁବାରରେ ମା’ଚଣ୍ଡୀଦେବୀଙ୍କ ଉଦ୍ଦେଶ୍ୟରେ ମଣ୍ଡାପୀଠା ଭୋଗ କରାଯାଏ । ଏହାକୁ ଡାକମଣ୍ଡା ଓଷା ବୋଲି କୁହାଯାଏ । କେନ୍ଦ୍ରାପଡା ସମେତ ଯାଜପୁର, କଟକ, ଖୋର୍ଦ୍ଧା, ଭଦ୍ରକ ଭଳି ଜିଲ୍ଲାରୁ ମାନସିକଧାରୀ ମହିଳାମାନେ ଆସି ମଣ୍ଡାପିଠା ତିଆରି କରିଥାନ୍ତି ।
ତେବେ ଲୋକଙ୍କ ବିଶ୍ୱାର ଅନୁସାରେ, ଏହି ମଣ୍ଡାପୀଠା ଭୋଗ ପଛରେ ଏକ ପୌରାଣିକ ଲୋକକଥା ରହିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଇନ୍ଦୁପୁର ଅଂଚଳରେ ହଇଜା ଓ ବସନ୍ତ ପରି ମହାମାରୀ ବ୍ୟାପିଥିଲା । ସେତେବେଳେ ଅନ୍ଦୁପୁରର ଅଧିଷ୍ଠାତ୍ରୀ ଚଣ୍ଡିଦେବୀଙ୍କ ପାଖରେ ପୂଜକ ଓ ଭକ୍ତମାନେ ଅଧିଆ ପଡିଥିଲେ, ଏବଂ ଠାକୁରାଣୀ ଉଗ୍ରରୂପ ନେଇ ହଜାରେ ମୁଣ୍ଡ ନେବେ ବୋଲି କହିଥିଲେ । ସେତେବେଳେ ଲୋକମାନେ ମାଆଙ୍କୁ ହଜାରେ ମୁଣ୍ଡ ବଦଳରେ ହଜାରେ ମଣ୍ଡା ଦେଇ ଶାନ୍ତ କରାଇଥିଲେ । ତେଣୁ ସେବେଠାରୁ ଏହି ମଣ୍ଡାପୀଠା ଭୋଗ ପରମ୍ପରା ଚାଲି ଆସୁଛି ।
ଜିଲ୍ଲା ଏବଂ ଜିଲ୍ଲା ବାହାରୁ ଆସୁଥିବା ଓଡ଼ିଆଣିମାନେ ପୂର୍ବଦିନ ଚାଉଳ ଚୁନାକୁ ଢ଼ିଙ୍କି କିମ୍ବା ହେମଦସ୍ତାରେ କୁଟିଥାନ୍ତି। ଚଣ୍ଡୀ ଦେବୀଙ୍କ ପୀଠରେ ପହଁଚିବା ପରେ ନୂଆ ମାଟି ହାଣ୍ଡିରେ ଜନ୍ତନୀ ଓ ପୁର ପ୍ରସ୍ତୁତ କରିବା ପରେ ମଣ୍ଡାପୀଠା ଗଢିଥାନ୍ତି । ମଣ୍ଡାପିଠା ପ୍ରସ୍ତୁତି ଶେଷ ହେବା ପରେ ମାଆ ଚଣ୍ଡୀଦେବୀଙ୍କ ପାଖରେ ଲାଗି କରାଯାଏ । ଏହାପରେ ସେହି ହାଣ୍ଡି ସହ ପିଠାକୁ ନେଇ ଦୂରରେ ବିସର୍ଜ୍ଜନ କରିଥାନ୍ତି ବ୍ରତଧାରୀ ମହିଳା । ଏହି ଡାକମଣ୍ଡା ଓଷା କଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।