ସାଇକେଲ ମେକାନିକରୁ ଆଇଏଏସ । ବାପାଙ୍କ ମୃତ୍ୟୁ ପରେ ପାଖରେ ନଥିଲା ଟଙ୍କା । ବରୁଣ ବରନାଲଙ୍କ ସଂଘର୍ଷ କାହାଣୀ ପଢନ୍ତୁ …

184

କନକ ବ୍ୟୁରୋ : ଦିନେ ଥିଲେ ସାଇକେଲ ମେକାନିକ, ଆଜି ଆଇଏଏସ ଅଧିକାରୀ । ପିତାଙ୍କ ମୃତ୍ୟୁ ପରେ ପାଖରେ ସ୍କୁଲ ଫି ଦେବାକୁ ଟଙ୍କା ନଥିଲା କିନ୍ତୁ, ସଂଘର୍ଷ କରି ଦେଶର ସବୁଠାରୁ ବଡ ପରୀକ୍ଷାରେ କୃତିତ୍ୱ ହାସଲ କରିଛନ୍ତି । ସାଇକେଲ ମେକାନିକରୁ ଆଇଏଏସ ହେବାର କାହାଣୀ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ସାଉଣ୍ଟୁଛି । କଲେଜରେ ଆଡମିଶନ ପାଇଁ ତାଙ୍କ ପାଖର ପଇସା ନଥାଇବି ସେ ନିଜର ପରିଶ୍ରମ ବଳରେ ଆଜି ସଫଳତା ପାଇଛନ୍ତି । ପରିବାରରେ ଅନେକ ଦୁଃଖ କଷ୍ଟ ଥାଇ ସୁଦ୍ଧା ସେ ନିଜର ସଂଘର୍ଷ ଜାରି ରଖି ୟୁପିଏସିର ପରୀକ୍ଷାରେ ସଫଳତା ହାସଲ କରିଥିଲେ ।

ଏ ସଫଳ ବ୍ୟକ୍ତି ହେଉଛନ୍ତି ବରୁଣ କୁମାର ବରନାଲ । ୨୦୧୩ ବ୍ୟାଚ ଆଇଏଏସ ବରୁଣ ନିକଟରେ ନିଜର ସଂଘର୍ଷର କାହାଣୀ କହିଛନ୍ତି । ସୋସିଆଲ ମିଡିଆରେ ତାଙ୍କ କାହାଣୀକୁ ବେସ ପ୍ରଶଂସା ମିଳିଛିି । ମହାରାଷ୍ଟ୍ରର ବୋଇସରର ବାସିନ୍ଦା ବରୁଣ ବରନାଲ ପାଠ ପଢିବାରେ ଆଗରେ ରହୁଥିଲେ । ବରୁଣଙ୍କ ବାପା ଜଣେ ସାଇକେଲ ମେକାନିକ ଥିଲେ । ତାଙ୍କର ରିପ୍ୟାରିଂ ଦୋକାନ ଥିଲା । ଏହି ଦୋକାନରୁ ଯାହା ରୋଜଗାର ହେଉଥିଲା ସେଥିରେ ଘରର ସମସ୍ତଙ୍କ ଖର୍ଚ୍ଚ ଉଠୁଥିଲା ।

ତେବେ କାହାଣୀରେ ସେତେବେଳେ ମୋଡ ଆସିଲା ଯେତେବେଳେ ବରୁଣଙ୍କ ୧୦ମ ପରୀକ୍ଷା ଶେଷ ହେବାର ୪ ଦିନ ପରେ ତାଙ୍କ ବାପାଙ୍କ ଦେହାନ୍ତ ହୋଇଥିଲା । ଗୋଟିଏ ପଟେ ଘରର ଆର୍ଥିକଅବସ୍ଥା, ଅନ୍ୟ ପଟେ ପିତାଙ୍କ ମୁତ୍ୟୁ ପରେ ପରିବାରର ଦାୟିତ୍ୱ । ଏକାସାଙ୍ଗରେ ବରୁଣଙ୍କ ଉପରେ ଦୁଃଖର ବୋଝ ଲଦି ହୋଇଯାଇଥିଲା । ଦଶମ ପରୀକ୍ଷାରେ ବରୁଣ ଟପ୍ କରିଥିଲେ । ତେବେ ବାପାଙ୍କ ମୃତ୍ୟୁରେ ସେ ଭାଙ୍ଗିପଡିଥିଲେ । ସେ ପାଠଛାଡି ଦୋକାନ ସମ୍ଭାଳିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ପରିବାର ସଦସ୍ୟଙ୍କ କହିବା ପରେ ସେ ପାଠପଢା ଜାରିରଖିଥିଲେ ।

କଲେଜରେ ଆଡମିଶନ କରିବା ସମ୍ଭବ ନଥିଲା 

କଲେଜରେ ଆଡମିଶନ କରିବା ପାଇଁ ବରୁଣଙ୍କ ପାଖରେ ୧୦ ହଜାର ଟଙ୍କା ନଥିଲା । ତେବେ ତାଙ୍କ ବାପାଙ୍କ ଚିକିତ୍ସା କରୁଥିବା ଡାକ୍ତର ନିଜେ ଟଙ୍କା ଦେଇ ବରୁଣଙ୍କର ଆଡମିଶନ କରାଇଥିଲେ । ଏହା ପରେ ବରୁଣ ଆଉ କେବେ ପଛକୁ ଫେରିନାହାନ୍ତି । ଗୋଟିଏ ପରେ ଗୋଟିଏ ପରୀକ୍ଷାରେ ସଫଳତା ପାଇଚାଲିଥିଲେ । ପାଠପଢା ସହ ନିଜର ସାଇକେଲ ଦୋକାନକୁ ସେ ଚଳାଉଥିଲେ । ସ୍କୁଲରୁ ଫେରିବା ପରେ ସେ ଦୋକାନରେ ସାଇକେଲ ସଜାଡୁଥିଲେ । ସେଥିରୁ ଯେଉଁ କିଛି ଟଙ୍କା ମିଳିଥିଲା ସେଥିରେ ପରିବାରର ଭରଣପୋଷଣ ହେଉଥିଲା । ବରୁଣଙ୍କ ବଡ ଭଉଣୀ ଟ୍ୟୁସନ କରି ମଧ୍ୟ ପରିବାରକୁ କିଛି ସାହାର୍ଯ୍ୟ କରୁଥିଲେ ।

ଶିକ୍ଷକ, ସାଙ୍ଗସାଥୀ ମିଳିମିଶି ଫି’ ଦେଉଥିଲେ 

ବରୁଣ ପରେ ଇଞ୍ଜିନିୟରିଂ କଲେଜରେ ଆଡମିଶନ କରିଥିଲେ । ତେବେ ଏଠି ମଧ୍ୟ ଅର୍ଥର ଅଭାବ ହୋଇଥିଲା । ତେବେ କଲେଜରେ ସେ ଟପ୍ କରିବା ପରେ ତାଙ୍କୁ ଛାତ୍ରବୃତ୍ତି ମିଳିଥିଲା । ଏହା ପରେ ତାଙ୍କ ପରିସ୍ଥିତି ସମାନ୍ୟ ସୁଧୁରିଥିଲା । ଗୋଟିଏ ଥର ଶିକ୍ଷକ, ସାଙ୍ଗସାଥୀ ମିଳିମିଶି ତାଙ୍କ ଫି’ ଦେଇଥିଲେ । ଇଞ୍ଜିନିୟରିଂ ଶେଷ ପରେ ସେ ଚାକିରୀ କରିଥିଲେ । ତେବେ ବରୁଣଙ୍କ ମନ ସିଭିଲ ସର୍ଭିସ ପରୀକ୍ଷାରେ ଥିଲା । ସେ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ୨୦୧୩ ମସିହାରେ ସେ ସର୍ବଭାରତୀୟ ପରୀକ୍ଷାରେ ୩୨ତମ ରାଙ୍କ ହାସଲ କରିଥିଲେ । ପ୍ରଥମ ପ୍ରୟାସରେ ସେ ୟୁପିଏସି ପରୀକ୍ଷାରେ ସଫଳତା ହାସଲ କରିଥିଲେ । ବରୁଣ କୁହନ୍ତି ପରୀକ୍ଷା ପ୍ରସ୍ତୁତି ସମୟରେ ଯେଉଁ କୋଚିଂ ନେଉଥିଲେ ସେଥିପାଇଁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି । ବର୍ତ୍ତମାନ ବରୁଣ ଗୁଜରାଟର ବର୍ଣ୍ଣାଲରେ କାର୍ଯ୍ୟରତ ଅଛନ୍ତି ।