ମୋଦୀ ସରକାର ବିରୋଧରେ ଦିଦିଙ୍କ ମୋର୍ଚ୍ଚା, ବିରୋଧୀ ମୋର୍ଚ୍ଚାରେ ନାହିଁ ୟୁପିଏ

111

କନକ ବ୍ୟୁରୋ : ରାଜ୍ୟ ରାଜନୀତିରୁ ବାହାରି ଏବେ ଜାତୀୟ ରାଜନୀତି ପାଇଁ ଅଂଟା ଭିଡିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏବେ ବେଙ୍ଗଲ ଛାଡି ଦିଲ୍ଲୀ ଯିବେ ଦିଦି । ଏଥିପାଇଁ ବିଜେପି ସରକାର ବିରୋଧରେ ମୋର୍ଚ୍ଚା ପାଇଁ ଲାଗିଛନ୍ତି ମମତା । ଆଉ ତାଙ୍କର ଏହି ମୋର୍ଚ୍ଚାରେ ନାହିଁ ୟୁପିଏର ସ୍ଥାନ । ମୁମ୍ବାଇରେ ଏନସିପି ମୁଖ୍ୟ ଶରଦ ପୱାରଙ୍କୁ ଭେଟିବା ପରେ ଏଭଳି କିଛି ସୂଚନା ଦେଇଛନ୍ତି ତୃଣମୂଳ କଂଗ୍ରେସ ମୁଖ୍ୟ । ଶରଦ ପୱାରଙ୍କୁ ଭେଟିବା ପରେ ମମତା ବାନାର୍ଜୀ କହିଛନ୍ତି, ଏହା ହେଉଛି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ସଜବାଜ । ହେଲେ ବର୍ତମାନ ୟୁପିଏ ମେଂଟ ନଥିବା ସ୍ପଷ୍ଟ କରିଛନ୍ତି ମମତା ବାନାର୍ଜୀ ।

ମହାରାଷ୍ଟ୍ରରେ ପହଁଚି ବିଭିନ୍ନ ରାଜନୈତିକ ଦଳ ନେତାଙ୍କୁ ଭେଟୁଛନ୍ତି ମମତା । ବିଭିନ୍ନ ରାଜନୈତିକ ଦଳକୁ ଏକାଠି କରି ବିଜେପି ବିରୋଧରେ ନୂଆ ରାଜନୈତିକ ସମୀକରଣ ଗଢିବା ପାଇଁ ଲାଗି ପଡିଛନ୍ତି ମମତା । ମୁମ୍ବାଇରେ ପହଁଚିବା ପରେ ମଙ୍ଗଳବାର ପ୍ରଥମେ ଶୀବସେନା ନେତା ଆଦିତ୍ୟ ଠାକରେ ଓ ସଂଜୟ ରାଉତଙ୍କୁ ଭେଟିଥିଲେ ମମତା । ଏହାପରେ ବୁଧବାର ଏନିସିପି ମୁଖ୍ୟ ଶରଦ ପୱାରଙ୍କୁ ଭେଟିଛନ୍ତି । ମମତା କହିଛନ୍ତି ଯଦି ସବୁ ରାଜନୈତିକ ଦଳ ଏକାଠି ହେବେ ତାହାଲେ ବିଜେପିକୁ ୨୦୨୪ ନିର୍ବାଚନରେ ମାତ ଦେବା ସଫଳ ହେବ । ରାଜ୍ୟ ରାଜନୀତିରେ ସବୁ ଠିକ୍ ଚାଲିଛି । ହେଲେ ଏବେ ଦେଶ ପାଇଁ ଚିନ୍ତା କରିବାର ସମୟ ଆସିଛି । ଯଦି କଂଗ୍ରେସ ପଶ୍ଚିମବଙ୍ଗରେ ନିର୍ବାଚନ ଲଢି ପାରିବ, ତାହାଲେ ଟିଏମସି ଗୋଆରେ କାହିଁକି ନିର୍ବାଚନ ଲଢି ପାରିବ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦିଦି ।

ପଶ୍ଚିମ ବଙ୍ଗରେ ବିଜୟ ପରେ ଏବେ ଜାତୀୟ ରାଜନୀତିରେ ଅଧିକ ରୁଚି ଦେଖାଉଛନ୍ତି ମମତା ବାନାର୍ଜୀ । ଆଉ ଏଥର କଂଗ୍ରେସକୁ ଏଡାଇ ନିଜେ ବିରୋଧୀ ମୋର୍ଚ୍ଚା ବାହାର କରିବା ଲକ୍ଷ ରଖିଛନ୍ତି ମମତା ।