କର୍ଣ୍ଣାଟକର କିଏ ହେବେ ମୁଖ୍ୟମନ୍ତ୍ରୀ ? ସିଦ୍ଧରମୈୟା ଓ ଶିବକୁମାରଙ୍କୁ ନେଇ ଚର୍ଚ୍ଚା; ଚୂଡାନ୍ତ ନିଷ୍ପତ୍ତି ନେବେ ସଭାପତି ମଲ୍ଲିକାର୍ଜୁନ ଖଡଗେ

295

କନକ ବ୍ୟୁରୋ : କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ । ଚୂଡାନ୍ତ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ମଲିକାର୍ଜୁନ ଖଡଗେ । ଗତକାଲି ସଂଧ୍ୟାରେ ବେଙ୍ଗାଲୁରୁରେ ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ଏ ନେଇ ସର୍ବସମ୍ମତ ପ୍ରସ୍ତାବ ପାରିତ ହୋଇଛି । ସିଦ୍ଧରମୈୟା ଓ ଶିବକୁମାରଙ୍କ ମଧ୍ୟରୁ କେହି ଜଣେ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ମଲ୍ଲିକାର୍ଜୁନ ଖଡଗେ ଦିନେ-ଦୁଇଦିନ ଭିତରେ ନିଷ୍ପତ୍ତି ନେବେ ବୋଲି ସୂଚନା ରହିଛି ।

ବୈଠକରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ସମେତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ । ନବ ନିର୍ବାଚିତ ୧୩୫ ବିଧାୟକ ସାମିଲ ହୋଇଥିଲେ । ସୂଚନା ଅନୁସାରେ, ଆସନ୍ତାକାଲି ଉଭୟ ସିଦ୍ଧରମୈୟା ଓ ଡି.କେ ଶିବକୁମାର ଦିଲ୍ଲୀ ଆସିପାରନ୍ତି । ତାଙ୍କ ସହିତ ରଣଦୀପ ସୂର୍ଯ୍ୟେବାଲା ଓ କେ.ସି ବେଣୁଗୋପାଳ ବି ଦିଲ୍ଲୀ ଆସିବେ । ନୂଆ ମୁଖ୍ୟମନ୍ତ୍ରୀ ନେଇ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସୋନିଆ, ରାହୁଲ, ପ୍ରିୟଙ୍କା ଓ ଅନ୍ୟ ବରିଷ୍ଠ ନେତାଙ୍କ ମତାମତ ନେଇପାରନ୍ତି ।

ଶପଥ ପାଇଁ ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ସ୍ଥିର ହୋଇପାରି ନାହିଁ । ଦଳର ଦୁଇ ପ୍ରମୁଖ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଓ ପିସିସି ସଭାପତି ଶିବକୁମାର ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା ଜାହିର କରିଥିବାରୁ ଆଜିର ବିଧାୟକ ଦଳ ବୈଠକରେ ସହମତି ହୋଇପାରିନାହିଁ । ଗତକାଲି ବିଳମ୍ବିତ ସନ୍ଧ୍ୟାରେ ବେଙ୍ଗାଲୁରୁରେ ନବନିର୍ବାଚିତ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ସେମାନଙ୍କ ସହିତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଆଲୋଚନା କରିଥିଲେ ।

ଆଲୋଚନା ପରେ ବୈଠକରେ ସଂକଳ୍ପ ଗୃହୀତ ହୋଇଥିଲା । ରାଜ୍ୟରେ ମୁଖ୍ୟମନ୍ତ୍ରୀ କିଏ ହେବ ସେହି ନିଷ୍ପତ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ନେବା ପାଇଁ ଏହି ସଂକଳ୍ପରେ କୁହାଯାଇଛି । ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଚୟନ କାର୍ଯ୍ୟ ଖଡ଼ଗେଙ୍କ ଉପରେ ଛାଡ଼ି ଦିଆଯାଇଥିବା ବେଳେ ନେତାଙ୍କ ନାମ ଆଜି ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି ।