ଆରପାରିରେ ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀ, ୮୯ ବର୍ଷ ବୟସରେ ପରଲୋକ

4,962

କନକ ବ୍ୟୁରୋ : ମହାତ୍ମା ଗାନ୍ଧୀଙ୍କ ନାତି ଅରୁଣ ଗାନ୍ଧୀଙ୍କର ମଙ୍ଗଳବାର ଦିନ ସକାଳେ ପରଲୋକ ହୋଇଯାଇଛି । ଦୀର୍ଘଦିନ ରୋଗରେ ପଡିବା ପରେ ଏବେ ୮୯ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅରୁଣ ଗାନ୍ଧୀଙ୍କ ପୁଅ ତୁଷାର ଗାନ୍ଧୀ ସୂଚନା ଦେଇଛନ୍ତି । ତୁଷାର ଗାନ୍ଧୀ କହିଛନ୍ତି ଅରୁଣ ଗାନ୍ଧୀଙ୍କର ଅନ୍ତିମ ସଂସ୍କାର ଆଜି (ମଙ୍ଗଳବାର) କୋହ୍ଲାପୁର ଠାରେ କରାଯିବ । ଅରୁଣ ଗାନ୍ଧୀ ‘କସ୍ତୁରୁବା-ଦ ଫରଗଟନ ୱିମେନ’ ଓ ‘ଗ୍ରାଣ୍ଡ ଫାଦର ଗାନ୍ଧୀ’ ନାମରେ ପୁସ୍ତକ ରଚନା କରି ବେଶ୍ ଚର୍ଚ୍ଚାକୁ ଆସିଥିଲେ ।

ଅରୁଣ ଗାନ୍ଧୀ ୧୯୩୪ ମସିହାରେ ଦକ୍ଷିଣ ଆଫ୍ରିକାର ଡର୍ବାନ ଠାରେ ଜନ୍ମଗ୍ରହଣ କରିଥିଲେ । ସେ ମହାତ୍ମା ଗାନ୍ଧୀଙ୍କର ପଞ୍ଚମ ନାତି ଥିଲେ । ଦକ୍ଷିଣ ଆଫ୍ରିକାରେ ସେତେବେଳେ ଲାଗି ରହିଥିବା କଳା ଗୋରା ଭେଦଭାବରେ ଅନେକଥର ଶିକାର ହୋଇଥିଲେ ଅରୁଣ ଗାନ୍ଧୀ ।

ଅରୁଣ ଗାନ୍ଧୀ ଜଣେ ସାମାଜିକ କର୍ମୀ ସହ ଜଣେ ଭଲ ଲେଖକ ଥିଲେ । ସେ ତାଙ୍କର ପତ୍ନୀ ସୁନନ୍ଦାଙ୍କ ସହ ବାହାଘରର କିଛିଦିନ ପରେ ଦକ୍ଷିଣ ଆଫ୍ରିକା ଛାଡି ଦେଇଥିଲେ । ସେ ଦୀର୍ଘ ୩୦ ବର୍ଷ ଧରି ଏକ ପ୍ରତିଷ୍ଠିତ ଖବର କାଗଜରେ ସାମ୍ବାଦିକ ଭାବେ କାର୍ଯ୍ୟ କରିଥିଲେ । ଏହାସହ ସେ ତାଙ୍କ ପତ୍ନୀଙ୍କ ସହ ମିଶି ମହାରାଷ୍ଟ୍ରରେ ୧୨୫ରୁ ଅଧିକ ଅନାଥ ପିଲାଙ୍କୁ ସହାୟତା କରିଥିଲେ । ଏହାସହ ସେ ପଶ୍ଚିମ ମହାରାଷ୍ଟ୍ରର ଅନେକ ଗାଁକୁ ଯାଇ ସେଠାରେ ବସବାସ କରୁଥିବା ଲୋକଙ୍କୁ ସହାୟତା କରିବା ସହ ସେମାନଙ୍କର ଉନ୍ନତି ପାଇଁ କାମ କରିଥିଲେ ।