ଓଡିଶାରେ ମହାରାଷ୍ଟ୍ରର ମହାବଳ । ଅଳାଁବର ଜଙ୍ଗଲରେ ଆତଙ୍କ । ଗାଈଗୋରୁ ମାରି ଖାଉଛି ବାଘ ।

198

କନକ ବ୍ୟୁରୋ: ଗଜପତିରେ ମହାରାଷ୍ଟ୍ରର ବାଘ । ୪ଟି ରାଜ୍ୟ ଡେଇଁ ଓଡ଼ିଶା ଆସିଛି ମହାବଳ । ମହାରାଷ୍ଟ୍ରରୁ ଓଡ଼ିଶା ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ବାଘଟି ଆସିଥିବା କୁହାଯାଉଛି । ଓଡ଼ିଶା-ଆନ୍ଧ୍ର ସୀମା ଗଜପତି ଜିଲ୍ଲା ରାୟଗଡ଼ ଅଞ୍ଚଳରେ ଘୁରି ବୁଲୁଛି ମହାବଳ, ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଗଜପତି ଜିଲ୍ଲା ଅଳାଁବର ଜଙ୍ଗଲରେ ଆତଙ୍କ ସୃଷ୍ଟି କରିଛି ଏହି ମହାବଳ ବାଘ । ଗାଈଗୋରୁ ମାରି ଖାଉଛି , ଆଉ ଲୋକଙ୍କୁ ବି ଆତଙ୍କିତ କରିଛି । ୱାଇଲଡ ଲାଇଫ ଇନ୍ୟଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ରିପୋର୍ଟ ଆଧାରରେ ବନବିଭାଗ କହିଛି ….

  • ବାଘର ଷ୍ଟ୍ରାଇପ ବା ଦେହରେ ଥିବା କଳାପଟି ଦାଗରୁ ଏହା ସ୍ପଷ୍ଟ ହେଉଛି
  • ମହାରାଷ୍ଟର ଚନ୍ଦ୍ରପୁରୀ ବ୍ରହ୍ମପୁରୀ ଫରେଷ୍ଟ ଡିଭିଜିନରୁ ଆସିଛି ମହାବଳ
  • ପ୍ରାୟ ୨ ହଜାର କିଲୋମିଟର ଅତିକ୍ରମ କରି ମହେନ୍ଦ୍ରଗିରି ରେଞ୍ଜକୁ ଆସିଛି
  • ପଶ୍ଚିମର ବିଦର୍ଭ ଅଞ୍ଚଳରୁ ବାଘଟି ପୂର୍ବାଞ୍ଚଳକୁ ଆସିଛି
  • ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ଦେଇ ଓଡିଶା ଆସିଛି 

ମହାରାଷ୍ଟ୍ରରୁ ଓଡିଶାକୁ ମହାବଳ ଆସିବା ବନ୍ୟପ୍ରାଣୀ ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁସାରେ, ଏଭଳି ମହାବଳ ବାଘର ଫଟୋ ୨୦୨୧ ମସିହାରେ ବ୍ରହ୍ମପୁରୀ ଜଙ୍ଗଲରେ କ୍ୟାମେରା ଟ୍ରାପରେ କଏଦ ହୋଇଥିଲା ।

  • କାହିଁକି ଏତେ ବାଟ ଆସିଲା ମହାବଳ?
  • ଏତେ ବାଟ ଅତିକ୍ରମ କରିବା ବିରଳ ଘଟଣା

ଅନୁମାନ କରାଯାଉଛି , ସୁରକ୍ଷିତ ବାସ ସ୍ଥାନ କିମ୍ବା ସାଥୀ ସନ୍ଧାନରେ ବାଘ ଏତେ ଦୂରକୁ ଆସିଥାଇପାରେ । ତେବେ ମହାବଳ ବାଘଟି ଏତେ ଦୂରରୁ ନଦୀନାଳ, ବିଲ , ରାସ୍ତା ଓ ଜନବସତି ଡେଇଁ ଏତେ ବାଟ କେମିିତି ଆସିଲା ତାହା ବିଶେଷଜ୍ଞଙ୍କୁ ଆଶ୍ଚର୍ଯ୍ୟ କରିଛି । ବାଟରେ କୌଣସି ମଣିଷକୁ ବି ଆକ୍ରମଣ କରିବାର ସୂଚନା ମିଳିନାହିଁ । କିଛି ଦିନ ତଳେ ଗଜପତି ଜିଲ୍ଲାର ରାୟଗଡ ଅଞ୍ଚଳରେ ବାଘଟି ବୁଲୁଥିବା ଓ ଗାଈଗୋରୁ ଶିକାର କରୁଥିବା ଜଣାପଡିବା ପରେ ଆତଙ୍କ ଖେଳିଯାଇଥିଲା । ବନବିଭାଗ ପକ୍ଷରୁ କ୍ୟାମେରା ଟ୍ରାପରେ ଏହାର ଚିତ୍ର କଏଦ ହୋଇଥିଲା । ଏହି ଚିତ୍ର ଓ ପାଦଚିହ୍ନକୁ ଡେରାଡୁନର ୱାଇଲଡ ଲାଇଫ ଇନ୍ୟଷ୍ଟିଚ୍ୟୁଟକୁ ପଠାଯିବ ପରେ ମହାବଳ ମହାରାଷ୍ଟରୁ ଆସିଥିବା ସ୍ପଷ୍ଟ ହୋଇଛି । ଏହାଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଆତଙ୍କର ବାତାବରଣ ଦେଖାଦେଇଛି ।

ବର୍ତ୍ତମାନ ମହାବଳ ବାଘ ଉପରେ କଡା ନଜର ରଖିଛି ବନବିଭାଗ । ୫ଟି ସ୍ୱତନ୍ତ୍ର ଟିମ ବି ଗଠନ କରାଯାଇଛି । ଟିମରେ ମୋଟ ୩୫ ଜଣ ଅଛନ୍ତି । ଏମାନେ ଲୋକଙ୍କୁ ସଚେତନ କରାଉଛନ୍ତି । ଶିକାରୀଙ୍କ କବଳେରେ ଯେଭଳି ବାଘ ନ ପଡେ ତା ଉପରେ ବି ନଜର ରଖାଯାଇଛି ।