ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ ସ୍ଥାନରେ ଫୁଟିଲା ଗୁଳି,ବୋମା

82

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି । ମୋଟ ୧୯୯ ଆସନ ପାଇଁ ପଡ଼ିଛି ଭୋଟ । ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ଭୋଟର । ସମସ୍ତ ବିଧାନସଭା ଆସନରେ ମହିଳା ମତଦାନ କେନ୍ଦ୍ର, ଦିବ୍ୟାଙ୍ଗ ଓ ଯୁବପୀଢ଼ିଙ୍କ ପାଇଁ ସ୍ୱତନ୍ତ୍ର ମତଦାନ କେନ୍ଦ୍ରର ବ୍ୟବସ୍ଥା କରାଯାଇଥିଲା । କଡ଼ା ସୁରକ୍ଷାବଳୟ ଭିତରେ ସୁରୁଖୁରରେ ଶେଷ ହୋଇଛି ଭୋଟିଂ । ଅନ୍ୟପଟେ ଭୋଟର ଲିଷ୍ଟରେ ନାଁ ନଥିବା ନେଇ କିଛି ଲୋକ ଅସନ୍ତୋଷ ଜାହିର କରିଛନ୍ତି ।

ରାଜସ୍ଥାନରେ ଦୁଇମୁଖୀ ଲଢେଇରେ ବିଜୟ ନେଇ ଉଭୟ ବିଜେପି ଓ କଂଗ୍ରେସ ଦୃଢୋକ୍ତି ପ୍ରକାଶ କରିଛନ୍ତି । ନିର୍ବାଚନୀ ଇସ୍ତାହାରରେ ପୁଳାପୁଳା ପ୍ରତିଶ୍ରୁତି ସହ ହାଇଭୋଲଟେଜ ପ୍ରଚାର କରି ଭୋଟ ମାଗିଥିଲେ ଉଭୟ ଦଳ । ଅନ୍ୟପଟେ ରାଜନୈତିକ ବିଶେଷଜ୍ଞଙ୍କ ମତରେ ଏଥରକ ରାଜସ୍ଥାନରେ ପଦ୍ମଫୁଟିବା ସମ୍ଭାବନା ବେଶ ଅଧିକ ରହିଛି । ଯାହାର ପ୍ରମୁଖ କାରଣ ରହିଛି…

  • ବିଜେପି ସାଂସଦଙ୍କ ସହ ଚର୍ଚ୍ଚିତ ଚେହେରାଙ୍କୁ ଓହ୍ଲାଇଛି
  • ଜାତିଗତ ସମୀକରଣ କାର୍ଡ ଖେଳିଛି ବିଜେପି
  • ଗୁର୍ଜର, ମୀଣା, କିରୋଡୀ ସମ୍ପ୍ରଦାୟଙ୍କ ସହ ଦଳିତ ଚେହେରାକୁ ପ୍ରାର୍ଥୀ କରିଛି
  • ଅସନ୍ତୁଷ୍ଟ ନେତାଙ୍କୁ ବୁଝାଇବାରେ ସଫଳ ହୋଇଛି
  • ମୋଦୀ ମ୍ୟାଜିକରେ ଧରାଶାୟୀ ହୋଇପାରେ କଂଗ୍ରେସ

ସେପଟେ କଂଗ୍ରେସ ପାଇଁ ହୁଏତ ଏତେ ଶୁଭଙ୍କର ହୋଇନପାରେ ଚଳିତ ନିର୍ବାଚନ । ଯାହାର ପ୍ରମୁଖ କାରଣ ହୋଇପାରେ …

  • କଂଗ୍ରେସର ଦଳୀୟ କନ୍ଦଳ
  • ଗେହଲଟ-ପାଇଲଟ ବିବାଦ
  • ପେପର ସ୍କାମ ଓ ସାମ୍ପ୍ରଦାୟିକ ହିଂସା

ବିଜେପି କହୁଛି ରାଜ୍ୟରେ କଂଗ୍ରେସ ବିରୋଧୀ ଲହରରେ ସରକାର ଭାଙ୍ଗିବ ଓ ଦଳ କ୍ଷମତାକୁ ଫେରିବ । ସେପଟେ କଂଗ୍ରେସର ଦାବି ପୁଣି ଥରେ ରାଜସ୍ଥାନବାସୀଙ୍କ ବିଶ୍ୱାସ ଜିତି ପୁଣି ସରକାର ଗଢ଼ିବ । ବିଜେପିର ଦଳୀୟ କନ୍ଦଳ ଦଳକୁ ନିରାଶ କରିବ । ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ ସହ ୫ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳକୁ ସେମିଫାଇନାଲ କୁହାଯାଉଛି । ସେପଟେ ରାଜସ୍ଥାନରେ ପ୍ରତ୍ୟେକ ଥର ସତ୍ତା ପରିବର୍ତନ ଟ୍ରେଣ୍ଡ ମଧ୍ୟ ରହିଆସିଛି । ତେବେ ପ୍ରାର୍ଥଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । ଅପେକ୍ଷା ଡିସେମ୍ବର ୩କୁ । ଫଳାଫଳ କହିବ ରାଜସ୍ଥାନ ଏଥରକ କାହାର ।