ମହାରାଷ୍ଟ୍ରରେ ଆଉ ୨ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ : ଦେଶରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୪୦ରେ ପହଞ୍ଚିଲା

84

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି । ଆଜି ରାଜ୍ୟରେ ଆଉ ୨ଟି ନୂଆ ଓମିକ୍ରନ ମାମଲା ଚିହ୍ନଟ ହୋଇଛି । ଗୋଟିଏ ମାମଲା ଲାଟୁର ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ଅନ୍ୟଟି ପୁଣେରୁ ଚିହ୍ନଟ ହୋଇଛି ବୋଲି ମହାରାଷ୍ଟ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି ।

ଅନ୍ୟପକ୍ଷରେ, ଏହି ଦୁଇ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି । ଅର୍ଥାତ ଦେଶର ଅଧା ଓମିକ୍ରନ ଆକ୍ରାନ୍ତ ମହାରାଷ୍ଟ୍ରରେ ଅଛନ୍ତି । ଗତକାଲି ଅର୍ଥାତ ରବିବାର କେରଳ, ଆନ୍ଧ୍ରପ୍ରଦେଶ ଓ ଚଣ୍ଡିଗଡ଼ରେ ପ୍ରଥମ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ଥିତି ଉପରେ ନଜର ରଖିଛି ।

ଆଜି ସାରା ବିଶ୍ବରେ ଓମକ୍ରନ ପ୍ରଥମ ଜୀବନ ନେଇଛି । ଲଣ୍ଡନର ଜଣେ ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି । ଖୋଦ ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଗତ ନଭେମ୍ବର ମାସରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନାର ନୂଆ ପ୍ରଜାତି ଓମିକ୍ରନ୍ ଏବେ ୫୮ ଟି ଦେଶରେ ଚିହ୍ନଟ ହୋଇଛି । ତା ମଧ୍ୟରୁ ୟୁରୋପର ଅଧିକାଂଶ ଦେଶ ଅଛନ୍ତି । ଆଜି ମଧ୍ୟ ଓମିକ୍ରନ ପାକିସ୍ତାନରେ ପ୍ରବେଶ କରିଛି ।