ସରକାର ଗଢିବାକୁ ଶିବସେନାର ୫୦-୫୦ ଫର୍ମୁଲାକୁ ନା’ । ଫଡନବୀସ କହିଲେ, ୫ ବର୍ଷ ଯାଏଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମୁଁ ରହିବି ।

295

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡା ଛୁଟୁଛି । ମୁଖ୍ୟମନ୍ତ୍ରୀ ଆସନକୁ ନେଇ ଏଯାଏଁ ଛିଣ୍ଡୁନି ଅଙ୍କ । ମହାରାଷ୍ଟ୍ରରେ କୌଣସି ଦଳକୁ ବହୁମତ ମିଳିନଥିବା ବେଳେ ବିଜେପି-ଶିବସେନା ମିଶି ମେଣ୍ଟ ସରକାର ଗଢିବେ ବୋଲି ଏକପ୍ରକାର ସ୍ପଷ୍ଟ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଆସନ ଓ ୫୦-୫୦ ଫର୍ମୂଲାରେ ସରକାର ଗଠନ ଦାବିରେ ବିଜେପି ଓ ସହଯୋଗୀ ଶିବସେନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ । ଯାହା ମହାରାଷ୍ଟ୍ର ରାଜନୀତିକୁ ରୋଚକ ମୋଡରେ ଆଣି ଛିଡା କରିଛି ।

କିନ୍ତୁ ଏସବୁ ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ ସ୍ପଷ୍ଟ କରି ଦେଇଛନ୍ତି ଯେ, ମୁଖ୍ୟମନ୍ତ୍ରୀ ପଦବୀକୁ ପାଳିରେ ଭଙ୍ଗାଯାଇ ପାରିବ ନାହିଁ। ମୁଁ ପୁଣି ପାଞ୍ଚ ବର୍ଷ ପାଇଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ରହିବି। ନିର୍ବାଚନ ପୂର୍ବରୁ ଶିବସେନା ସହିତ ଆସନ ବୁଝାମଣା ବେଳେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ଯେଉଁ ଆଲୋଚନା କରିଥିଲେ ସେଥିରେ ୫୦-୫୦ ଫର୍ମୂଲାରେ ସରକାର ଗଠନ ଓ ଉଭୟ ଦଳ ଦୁଇପାଳିରେ ଅଢ଼େଇ ଅଢ଼େଇ ବର୍ଷ କରି ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ କୌଣସି ସର୍ତ୍ତ ନଥିଲା।

ନିର୍ବାଚନ ପରେ ସରକାର ଗଠନ ପୂର୍ବରୁ ଶିବସେନା ପକ୍ଷରୁ ଯେଉଁସବୁ ଦାବି ଉପସ୍ଥାପନ କରାଯାଉଛି ସେସବୁ ସଂପୂର୍ଣ୍ଣ ଅମୂଳକ ଏବଂ ଆଧାରହୀନ। ଏ ସମ୍ପର୍କରେ ଶିବସେନା କ୍ଷମତା ମୋହରେ ନିଜର ମୁଖପତ୍ର ‘ସାମନା’ରେ ବିଜେପିକୁ ସାଧାରଣରେ ଅପମାନିତ ଓ ନିନ୍ଦିତ କରିବାକୁ ଯେଉଁ ଅପଚେଷ୍ଟା ଆରମ୍ଭ କରିଛି, ତାହାକୁ ମଧ୍ୟ ବିଜେପି ବରଦାସ୍ତ କରିବ ନାହିଁ। ଶିବସେନାର ମୁଖପତ୍ର ‘ସାମନା’ରେ ବିଜେପି ବିରୋଧରେ ଚାଲିଥିବା ଅପପ୍ରଚାର ବନ୍ଦ ନହେବା ପର୍ଯ୍ୟନ୍ତ ବିଜେପି ଶିବସେନା ସହ କୌଣସି ପ୍ରକାର ଆଲୋଚନା କରିବ ନାହିଁ ବୋଲି ସ୍ପଷ୍ଟ କରିଦେଇଛନ୍ତି ଫଡନବୀସ ।