ସାତକୋଶିଆ ଗଣ୍ଡ ପରିଦର୍ଶନ କଲା ମହାନଦୀ ଟ୍ରିବ୍ୟୁନାଲ ଟିମ୍ : ସ୍ଥିତି ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ କଲେ ଆଲୋଚନା; ଆଜି ଚିଲିକା ମୁହାଣ ଦେଖିବେ

65

କନକ ବ୍ୟୁରୋ : ସାତକୋଶିଆ ବୁଲିଲେ ମହାନଦୀ ଟ୍ରିବ୍ୟୁନାଲ ଟିମ୍ । ସାତକୋଶିଆ ଗଣ୍ଡରେ ଜଳର ସ୍ରୋତ ଓ ଗଭୀରତାର ସ୍ଥିତି ପରଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଉଭୟ ଆକାଶ ମାର୍ଗ ଓ ସ୍ଥଳ ପଥରେ ଦୁଇଟି ଟିମ୍ ଟିକରପଡ଼ାରେ ପହଞ୍ଚିଥିଲେ ।

ମହାନଦୀ ଉପରେ ଛତିଶଗଡ଼ ସରକାର ଏକାଧିକ ବ୍ୟା‌ରେଜ୍‌ ନିର୍ମାଣ କରିବା ଫଳରେ ଖରାଦିନେ ମହାନଦୀ ଶୁଖିଲା ପଡ଼ୁଛି। ଏଥିପାଇଁ ଓଡ଼ିଶାର ଉପକୂଳ ଅଞ୍ଚଳ ବିଶେଷ ପ୍ରଭାବିତ ହେଉଛି। ଏପଟେ ବର୍ଷାଦିନେ ମହାନଦୀରେ ବନ୍ୟା ଆସି ପ୍ରଳୟ କରୁଛି। ଏହାକୁ ନେଇ ଓଡ଼ିଶା ଓ ଛତିଶଗଡ଼ ଭିତରେ ବିବାଦ ଲାଗି ରହିଥିଲାବେଳେ ସ୍ଥିତି ଅନୁଧ୍ୟାନ ପାଇଁ ଗଠିତ ଟ୍ରିବ୍ୟୁନାଲ୍‌ର ଅଧ୍ୟକ୍ଷଙ୍କ ସମେତ ୯ଜଣିଆ ଟିମ୍‌ ଏବଂ ଛତିଶଗଡ଼ର ଏକ ଟିମ୍‌ ଗତକାଲି ଅପରାହ୍ଣ ପ୍ରାୟ ୨ଟା ବେଳେ ଟିକରପଡ଼ାରେ ପହଞ୍ଚିଥିଲେ ।

ଗୋଟିଏ ଟିମ୍‌ ହେଲିକପ୍ଟର ଯୋଗେ ଆସିଥିଲେ । ଅନ୍ୟ ସଦସ୍ୟମାନେ ସଡ଼କପଥରେ ଆସି ଟିକରପଡ଼ାରେ ପହଞ୍ଚିଥିଲେ । ଏଠା‌ରେ ଥିବା ବନବିଭାଗର ଅତିଥି ଭବନରେ ଏକ ପାୱାର ପଏଣ୍ଟ ପ୍ରେଜେଣ୍ଟସନ୍‌ ମାଧ୍ୟମରେ ‌ଟ୍ରିବ୍ୟୁନାଲର ସଦସ୍ୟମାନଙ୍କୁ ସାତକୋଶିଆ ଗଣ୍ଡରେ ବିଭିନ୍ନ ସମୟରେ ରହୁଥିବା ଜଳସ୍ତର ଏବଂ ବର୍ତ୍ତମାନର ସ୍ଥିତି ନେଇ ଅବଗତ କରାଯାଇଥିଲା । ମହାନଦୀର ଗଣ୍ଡ ‌ନେଇ ଟ୍ରିବ୍ୟୁନାଲକୁ ସବିଶେଷ ତଥ୍ୟ ପ୍ରଦାନ କରାଯିବା ପରେ ସେମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ ।

ଡଙ୍ଗାରେ ଭାଗ ଭାଗ ହୋଇ ମହାନଦୀର ଜଳରାଶି ଦେଖିବା ସହ ପାଣିର ସ୍ତର ନେଇ ରହିଥିବା ଚିହ୍ନ ସବୁ ଅନୁଧ୍ୟାନ କରିଥିଲେ । ସେହିପରି ଟିକରପଡ଼ାରେ ଥିବା କେନ୍ଦ୍ରୀୟ ଜଳ ଆୟୋଗର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କାର୍ଯ୍ୟାଳୟ ନିକଟରେ ଜଳସ୍ତର ନେଇ ମଧ୍ୟ ସେମାନେ ଅନୁଧ୍ୟାନ କରିଥିବା ଜଣାପଡ଼ିଛି । ଏପଟେ ଟିକରପଡ଼ାର ରାମସାର୍‌ ସାଇଟ୍‌ ମଧ୍ୟ ପରିଦର୍ଶନ କରିଛନ୍ତି ଟ୍ରିବ୍ୟୁନାଲ ।

ଆଜି ପୁରୀ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଯିବେ ଟିମ୍ । ଏହି ଅବସରରେ ଚିଲିକା ହ୍ରଦ ସହ ଚିଲିକା ଓ ସମୁଦ୍ରର ମିଳିନ ସ୍ଥଳୀ ବୁଲି ଦେଖିବେ । ଦୟା ଓ ଭାର୍ଗବୀର ଚିତ୍ର ମଧ୍ୟ ଦେଖିବେ । ସୂଚନା ଅନୁସାରେ ମହାନଦୀ ଟ୍ରିବ୍ୟୁନାଲର ୩୨ ଜଣିଆ ଟିମ୍ ଆଜି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ।