ସମ୍ବଲପୁରରେ ପ୍ରଦୂଷିତ ମହାନଦୀ ପାଣି : ବନା ବିଶୋଧନରେ ନଦୀରେ ମିଶୁଛି ୩ଟି ସହରର ବର୍ଯ୍ୟଜଳ

75

କନକ ବ୍ୟୁରୋ : ହୀରାକୁଦ ବନ୍ଧର ତଳ ମୁଣ୍ଡରେ ବହୁ ଦୂର ପର୍ଯ୍ୟନ୍ତ ମହାନଦୀର ପାଣି ବର୍ଷ ତମାମ ଅତ୍ୟନ୍ତ ପ୍ରଦୂଷିତ ହୋଇ ରହୁଛି । ବିଶେଷ କରି ହୀରାକୁଦରୁ ବାହାରିବା ପରେ ଏହାର ୧୦ କିଲୋମିଟର ତଳେ ଥିବା ସମ୍ବଲପୁର ସହର ସଂଲଗ୍ନ ମହାନଦୀର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏଠି ମହାନଦୀର ସ୍ଥିତି ମୁଖ୍ୟତଃ ହୀରାକୁଦ ପାଣି ଉପରେ ନିର୍ଭର କରେ । ହୀରାକୁଦରୁ ପାଣି ଛାଡ଼ିଲେ ମହାନଦୀ ଫୁଲେ, ନଚେତ ବର୍ଷ ସାରା ପ୍ରାୟତଃ ଶୁଖିଲା । ହୀରାକୁଦ ଗେଟ ବନ୍ଦ ଥିବା ସମୟରେ ଏଠି ମହାନଦୀରେ ଯେଉଁ ଅଳ୍ପ ପାଣି ଥାଏ ତାହା ଅତ୍ୟନ୍ତ ଦୂଷିତ ଓ ବ୍ୟବହାର ଅନୁପଯୋଗୀ । ଏଠି ବର୍ଷ ତମାମ ମହାନଦୀ ପାଣି ‘ସି’ ବା ‘ଡି’ ଗ୍ରେଡ୍ ମାନର ଯାହା ଗାଧୋଇବା ପାଇଁ ମଧ୍ୟ ଅନୁପଯୁକ୍ତ। ଖରା ଦିନେ ପାଣି ସବୁଠୁ ଅଧିକ ଦୂଷିତ ହୁଏ ଓ ଏହାର ମାନ ‘ଡି’ ଗ୍ରେଡ୍ ରହିଥାଏ ବୋଲି ଜଣାପଡ଼ିଛି।

ହୀରାକୁଦ ତଳ ମୁଣ୍ଡରେ ମହାନଦୀରେ ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସହରର ସବୁ ଯାକ ନର୍ଦ୍ଦମା ଜଳ ମିଶୁଛି। ସମ୍ବଲପୁରରୁ ହୀରାକୁଦ ମଧ୍ୟରେ ୬ଟି ସ୍ଥାନରେ ଏହି ତିନି ସହରର ବର୍ଜ୍ୟ ଜଳ ନଦୀ ଶଯ୍ୟାରେ ପଡ଼ୁଛି । ମହାନଦୀରେ ଥିବା ପତଳା ଧାରରେ ଏହି ଅସନା ପାଣି ମିଶିବା ପରେ ନଈ ପାଣି ଅତ୍ୟନ୍ତ ଦୂଷିତ ହୋଇଯାଉ ଛି। ସହରାଞ୍ଚଳରେ ବର୍ଜ୍ୟ ଜଳ ବିଶୋଧନ କରିବାକୁ ନିୟମ ରହିଥିଲେ ବି ସମ୍ବଲପୁର କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରି ନାହିଁ । ବର୍ତ୍ତମାନ ସମ୍ବଲପୁରରେ ସ୍ବେରେଜ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହୋଇ ନ ଥିଲାବେଳେ ମହାନଦୀ ସବୁ ପ୍ରକାର ବର୍ଜ୍ୟ ଜଳର ଏକମାତ୍ର ନିଷ୍କାସନ ସ୍ଥଳ ପାଲଟିଛି ।

କେବଳ ବର୍ଜ୍ୟ ଜଳ ନୁହେଁ, ସହରରୁ ନିର୍ଗତ ଶୁଷ୍କ ଆବର୍ଜନା ମଧ୍ୟ ମହାନଦୀ ଶଯ୍ୟାରେ ପକାଇ ଦିଆଯାଉଛି । ଲକ୍ଷ୍ମୀ ଡୁଙ୍ଗୁରୀ ନିକଟସ୍ଥ ମହାନଦୀ ଶଯ୍ୟା ଅଘୋଷିତ ଡମ୍ପିଂ ୟାର୍ଡ ପାଲଟିଛି । ବିଭିନ୍ନ ଘରୋଇ କଳକାରଖାନା, ବ୍ୟବସାୟ ପ୍ରତିଷ୍ଠାନ ରାତାରାତି ସେମାନଙ୍କ ଆବର୍ଜନା ନେଇ ମହାନଦୀରେ ପକାଉଛନ୍ତି । ନିର୍ମାଣ କାର୍ଯ୍ୟରୁ ବାହାରୁଥିବା ବର୍ଜ୍ୟ ସାମଗ୍ରୀ ଓ ଭଗ୍ନାବଶେଷ ମଧ୍ୟ ନଦୀ ଶଯ୍ୟାରେ ପାହାଡ଼ ପରି ଗଦା କରି ଦିଆଯାଉଛି । ହୀରାକୁଦରୁ ବନ୍ୟା ଜଳ ଛଡ଼ା ଯିବା ମାତ୍ରେ ଏହି ସବୁ ମଇଳା ବଢ଼ି ପାଣିରେ ମିଶି ତଳ ମୁଣ୍ଡକୁ ଯାଉଛି ଓ ନଦୀକୁ ପ୍ରଦୂଷିତ କରୁଛି । ବର୍ତ୍ତମାନ ବି ଲୋକଙ୍କର ଖୋଲାରେ ଶୌଚ କରିବା ଅଭ୍ୟାସ ଯାଇ ନାହିଁ । ବ୍ୟାପକ ସଚେତନତା ଓ ଶୌଚାଳୟ ନିର୍ମାଣ ସତ୍ତ୍ବେ ହଜାର ହଜାର ଲୋକ ନଈ କୂଳରେ ଶୌଚ ଅଭ୍ୟାସ ଛାଡ଼ି ନାହାନ୍ତି ।

ସହରର ବର୍ଜ୍ୟ ଜଳ ବ୍ୟତୀତ ହୀରାକୁଦରେ ଥିବା ତିନିଟି ବୃହତ ଶିଳ୍ପର ବର୍ଜ୍ୟ ଜଳ ମଧ୍ୟ ମହାନଦୀରେ ମିଶୁଥିବା ଅଭିଯୋଗ ହୁଏ । ହୀରାକୁଦର ନର୍ଦ୍ଦମା ନିଷ୍କାସନ ହେଉଥିବା ନାଳରେ ଏହି କାରଖାନା ପାଣି ମିଶାଇ ଦିଆ ଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରନ୍ତି । ତେବେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର କହିବା ଅନୁଯାୟୀ କୌଣସି ଶିଳ୍ପର ବର୍ଜ୍ୟ ଜଳ ମହାନଦୀରେ ମିଶୁ ନାହିଁ । ଶିଳ୍ପ କାରଖାନାଗୁଡ଼ିକ ବ୍ୟବହାର କରୁଥିବା ଜଳକୁ କାରଖାନା ମଧ୍ୟରେ ବିଶୋଧନ କରି ପୁଣି ପୁନଃ ବ୍ୟବହାର କରିଥାଆନ୍ତି । କିନ୍ତୁ ସହରାଞ୍ଚଳ ନର୍ଦ୍ଦମା ପାଣି ନିଷ୍କାସନ ଯୋଗୁଁ ହିଁ ହୀରାକୁଦରୁ ସମ୍ବଲପୁର ମଧ୍ୟରେ ମହାନଦୀ ଜଳ ବ୍ୟବହାର ଯୋଗ୍ୟ ହୋଇ ରହି ନାହିଁ । ତେଣୁ ତିନି ସହରରୁ ନିର୍ଗତ ଜଳର ବିଶୋଧନ କରି ନଈରେ ଛଡ଼ାଗଲେ ଏହି ସମସ୍ୟା ଅନେକାଂଶରେ ଦୂର ହୋଇ ପାରିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।